Connect with us

ମନୋରଞ୍ଜନ

କଦାର ଖାଁଙ୍କ ପରଲୋକ

ସାଙ୍କେତିକ

ମୁମ୍ବାଇ,୧ା୦୧ : ବରିଷ୍ଠ ବଲିଉଡ ଅଭିନେତା କାଦର ଖାନ୍ ଆଉ ନାହାନ୍ତି । ଗତକାଲି (ଡିସେମ୍ବର ୩୧ ତାରିଖ) ରାତିରେ ତାଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା କାଦର ଖାନ୍ କାନାଡାରେ ସର୍ଫରାଜଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ । ପ୍ରଥମେ ଖଳନାୟକ ଭାବେ ପରିଚୟ ଲାଭ କରିଥିବା କାଦର ଖାନ୍ ପରବର୍ତ୍ତୀ ସମୟରେ ଚରିତ୍ର ଓ ହାସ୍ୟ ଅଭିନେତା ଭାବେ ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ସଂଳାପ ରଚନାରେ ତାଙ୍କର ଗଭୀର ଦକ୍ଷତା ଥିଲା ।

ବିଶେଷକରି ୮୦ ଓ ୯୦ ଦଶକରେ ତାଙ୍କର ଅନେକ ହିଟ୍ ଫିଲ୍ମ ପ୍ରେକ୍ଷାଳୟକୁ ଆସିଥିଲା । କାଦର ଖାନଙ୍କ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଥିବା ସମସ୍ତ ବନ୍ଧୁବର୍ଗ, ପ୍ରଶଂସକଙ୍କୁ ସର୍ଫରାଜ କୃତଜ୍ଞତା ଜଣାଇଛନ୍ତି । କାନାଡାଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି କୁହାଯାଇଛି । ୧୯୩୭ ମସିହା ଅକ୍ଟୋବର ୨ ତାରିଖରେ କାବୁଲରେ ଜନ୍ମିତ କାଦର ଖାନ୍ ୧୯୭୩ରେ ରାଜେଶ ଖାନ୍ନାଙ୍କ ଅଭିନୀତ ‘ଦାଗ୍’ ଜରିଆରେ ବଲିଉଡରେ ଅଭିନେତା ଭାବେ ପାଦ ଥାପିଥିଲେ । ଏହାପୂର୍ବରୁ ସେ ରନ୍ଧୀର କପୁର ଓ ଜୟା ବଚ୍ଚନ ଅଭିନୀତ ‘ଜୱାନି ଦିୱାନୀ’ରେ ସଂଳାପ ଲେଖକ ଭାବେ ବଲିଉଡ ସହିତ ସଂଶ୍ଲିଷ୍ଟ ହୋଇସାରିଥିଲେ ।

୧୯୭୪ରେ ରାଜେଶ ଖାନ୍ନାଙ୍କ ଅଭିନୀତ ‘ରୋଟି’ ଚଳଚ୍ଚିତ୍ରର ସଂଳାପ କାଦର ଖାନଙ୍କୁ ସଂଳାପ ଲେଖନରେ ଷ୍ଟାର ମାନ୍ୟତା ଦେଇଥିଲା । ପ୍ରାୟ ୩୦୦ ଫିଲ୍ମ ଭେଟି ଦେଇଥିବା କାଦର ଖାନ ୨୫୦ରୁ ଊଦ୍ଧ୍ୱର୍ ସିନେମାରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି । ବିଶେଷକରି ମନମୋହନ ଦେଶାଇ ଓ ପ୍ରକାଶ ମେହେରାଙ୍କ ଫିଲ୍ମରେ ସେ ସର୍ବାଧିକ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ।

ମନମୋହନ ଦେଶାଇଙ୍କ ନିର୍ମିତ ଫିଲ୍ମଗୁଡିକ ମଧ୍ୟରେ ‘ଧରମ୍ ବୀର’, ‘ଗଙ୍ଗା ଯମୁନା ସରସ୍ୱତୀ’, ‘କୁଲି’, ‘ଦେଶପ୍ରେମୀ’, ‘ସୁହାଗ’, ‘ପରବରିସ୍’, ‘ଅମର ଆକର ଆନ୍ଥୋନି’ ଏବଂ ପ୍ରକାଶ ମେହେରାଙ୍କ ନିର୍ମିତ ଫିଲ୍ମ ‘ଜ୍ୱାଲାମୁଖୀ’, ‘ସରାବୀ’, ‘ମୁକଦ୍ଦର କା ସିକନ୍ଦର’, ‘ଲାୱାରିସ୍’, ପରି ବ୍ଲକବଷ୍ଟର ହିଟ୍ ଫିଲ୍ମରେ ସେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ।

୧୯୮୨ରୁ ୧୯୯୫ ପର୍ଯ୍ୟନ୍ତ ସେ ମୁଖ୍ୟତଃ ଦକ୍ଷିଣ ଭାରତ ସିନେମାର ହିନ୍ଦି ରିମେକରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିବାରେ ମନୋନିବେଶ କରିଥିଲେ । ଏଥିସହିତ ସେ ‘ସମା’ ନାମକ ଏକ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ଛୋଟ ପରଦାରେ ମଧ୍ୟ ପରିଚିତ ଥିଲେ । ‘ହସ ମତ୍’, ‘ମିଷ୍ଟର ଧନସୁଖ’, ‘ହେ ପଡୋଶୀ….କୌନ ହେ ଦୋଷୀ’ ଆଦି ସିରିଏଲରେ କାଦର ଖାନ୍ ଅଭିନୟର ଛାପ ଛାଡି ଯାଇଛନ୍ତି । ଚଳଚ୍ଚିତ୍ର ଦୁନିଆକୁ ଆସିବା ପୂର୍ବରୁ କାଦର ଖାନ୍ ମହାରାଷ୍ଟ୍ରର ଇଞ୍ଜିନିୟର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ