Connect with us

Uncategorized

ଶ୍ରୀମନ୍ଦିରରେ ବଢିଲା ଗହଳି ଚହଳି

ସାଙ୍କେତିକ

ଶ୍ରୀମନ୍ଦିରରେ ବଢିଲା ଗହଳି ଚହଳି
ଭକ୍ତ ପାଇଲେ ନୀଳାଚଳ ଅବଢ଼ା
ପୁରୀ, ୧୬ ଜୁଲାଇ – ଦୀର୍ଘ ୧୨ଦିନ ପରେ ଆଜି ଶ୍ରୀମନ୍ଦିରରେ ଗହଳି ଚହଳି ଲାଗିରହିଛି । ଗତକାଲି ବିଗ୍ରହମାନେ ରତ୍ନ ସିଂହାସନରେ ବିଜେ କରିଥିଲେ । ମଙ୍ଗଳବାର ସକାଳୁ ବିଭିନ୍ନ ନୀତି ସମାପନ ହେବା ପରେ ନୀଳାଚଳ ଅବଢା ଭକ୍ତମାନେ ପାଇଛନ୍ତି । ଏହା ପ୍ରଥମ ଅବଢା ହୋଇଥିବାରୁ ଏହାର ମାହାତ୍ମ୍ୟ ଅନେକ ରହିଛି । ମା ଲକ୍ଷ୍ମୀ ଯତ୍ନର ସହ ପ୍ରଭୁଙ୍କ ପାଇଁ ଷାଠିଏ ପଉଠି ଭୋଗ ରାନ୍ଧିଛନ୍ତି । ଖାଁ ଖାଁ ହୋଇଥିବା ରୋଷଶାଳ ଏବେ ହୋଇଛି ଚଳଚଂଚଳ । ୧୨ଦିନ ଧରି ରୋଷଘରେ ଚୂଲି ଜଳିନଥିଲା । ସୁଆର ସେବାୟତମାନେ ଚୂଲି ମରାମତି କରିବା ସହ ଲିପାପୋଛା କରିଥିଲେ । ରୋଷଘର ଚୂନ ହେବା ସହ ଚାରିପଟ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା ।

ମହାପ୍ରଭୁ ନୀଳାଦ୍ରି ବିଜେ କରିବା ପରେ ପ୍ରଥମ ଦିନର ମହାପ୍ରସାଦକୁ ନୀଳାଚଳ ଅବଢା ବା ନୀଳାଦ୍ରି ଅବଢାଭାବେ ପରିଚିତ । ଏହି ଅବଢା ପାଇବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇ ପଡିଥିଲେ । ଅବଢା ପାଇବା ପରେ ଆନନ୍ଦ ବଜାରରେ ଆନନ୍ଦର ସହ ଭୋଜନ କରି ଆତ୍ମତୃପ୍ତି ପାଇଥିଲେ । ଏହା ସହ ପୁରୀ ସମେତ ଆଖପାଖରେ ବିବାହ, ବ୍ରତ, ଜନ୍ମଦିନ, ଶୁଦ୍ଧିକାର୍ଯ୍ୟ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ବରାଦି ଅବଢା ଯାଇଥିଲା । ଏହି ଅବଢା ସେବନ କରି ବ୍ରାହ୍ମଣଙ୍କୁ ଭୋଜନ ଦେଇ ଦକ୍ଷିଣା ପ୍ରଦାନ କଲେ ମହାପୂଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆନନ୍ଦ ବଜାରରେ ଭକ୍ତ ଓ ସେମାନଙ୍କ ପରିବାର ଦଳ ଦଳ ହୋଇ ବ୍ରାହ୍ମଣ ଭୋଜନ କରାଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଗଣାରେ ଭକ୍ତମାନଙ୍କୁ ନୀଳାଚଳ ଅବଢା ସେବନ କରିବାର ସୁବିଧା ଯୋଗାଇ ଦିଆଯାଉଛି । ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କୁ ରତ୍ନ ସିଂହାସନରେ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇପଡିଛନ୍ତି । ୧୨ଦିନ ଧରି ଶ୍ରୀମନ୍ଦିର ଶୂନ୍ୟ ଶୂନ୍ୟ ଲାଗୁଥିଲା । ଭକ୍ତମାନେ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରି ଶୀଘ୍ର ଫେରିଯାଉଥିଲେ । ଗହଳି ଚହଳି ନଥିବାରୁ ନିଛାଟିଆ ନିଛାଟିଆ ମନ୍ଦିର ଭିତର ଲାଗୁଥିଲା । କାଳିଆ ଠାକୁର ଯୁଆଡେ ଗହଳି ସିଆଡେ । ପ୍ରଭୁ ବିଜେ କରିବା ପରେ ଏବେ ଶ୍ରୀମନ୍ଦିର ପୂର୍ଣ୍ଣ ପୂର୍ଣ୍ଣ ଲାଗୁଛି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized