Connect with us

ଅପରାଧ

ସେବାୟତ-ପୋଲିସ କଳି, ଶ୍ରୀମନ୍ଦିର ବନ୍ଦ

ସାଙ୍କେତିକ

ସେବାୟତ-ପୋଲିସ କଳି, ଶ୍ରୀମନ୍ଦିର ବନ୍ଦ
ଉପାସ ରହିଲେ ଶ୍ରୀଜୀଉ
୧୦ଘଣ୍ଟା ପରେ ନୀତି ଆରମ୍ଭ, ଧସେଇ ପଶିଲେ ଭକ୍ତ
ପୁରୀ,୨୮ା୧୨ : ପୋଲିସ-ସେବାୟତଙ୍କ କଳି ଯୋଗୁଁ ଶ୍ରୀଜୀଉଙ୍କୁ ଦୀର୍ଘ ୧୦ ଘଂଟା ଉପାସ ରହିବାକୁ ପଡ଼ିଛି । ଗତକାଲି ଘଟିଥିବା ବିବାଦରୁ ଶୁକ୍ରବାର ସେବାୟତମାନେ ଶ୍ରୀମନ୍ଦିର କବାଟ ସହ ନୀତିକାନ୍ତି ବନ୍ଦ କରିଦେଇଥିଲେ । ତେବେ ପ୍ରଶାସନ ସେବାୟତଙ୍କ ସହ ଘନ ଘନ ବୈଠକ କରିବା ପରେ ଶ୍ରୀଜୀଉଙ୍କ ନୀତିକାନ୍ତି ଅପରାହ୍ନରେ ଆରମ୍ଭ ହୋଇଥିଲା ।

ଅନ୍ୟପକ୍ଷରେ ସକାଳୁ ଦର୍ଶନ କରିବାକୁ ପୁରୀ ଆସିଥିବା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ଯାହାକିଛି ଅଭିଯୋଗ ରହିଛି ତା’ର ଅନୁଧ୍ୟାନ କରାଯାଉଛି । ଅପରାହ୍ନ ୪.୩୦ରେ ଶ୍ରୀମନ୍ଦିରର ଭିତର କବାଟ ଖୋଲାଯାଇଛି । ଅପରାହ୍ନ ୫ଟାରେ ନୀତିକାନ୍ତି ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶୁକ୍ରବାର ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱା ନଖୋଲିବାରୁ ହଜାର ହଜାର ଭକ୍ତ ଅପେକ୍ଷା କରି ଫେରିଥିଲେ । ବହୁ ସମୟ ଧରି ଅପେକ୍ଷା କରିବା ପରେ ଧର୍ଯ୍ୟଚ୍ୟୁତ ଘଟି ଭକ୍ତମାନେ ବ୍ୟାରିକେଟ ଭାଙ୍ଗିବା ସହ ସିଂହଦ୍ୱାର ଖୋଲିବାକୁ ଜିଦ୍ଧରି ହୋହଲ୍ଲା କରିଥିଲେ । ପରେ ଭକ୍ତମାନେ ସିଂହଦ୍ୱାର ଖୋଲି ଧସେଇ ପଶିଥିଲେ । ଭିତରେ କୌଣସି ମନ୍ଦିର ଖୋଲିନଥିବାରୁ ଭକ୍ତମାନେ ନିରାଶ ହୋଇ ପୁଣି ବାହାରକୁ ଆସିଥିଲେ ।

ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍.ପି. ଡଃ ସାର୍ଥକ ଷଡ଼ଙ୍ଗି, ଶ୍ରୀମନ୍ଦିର ନୀତି ଓ ରାଜସ୍ୱ ପ୍ରଶାସକ, ସିଟିଡିଏସପି ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ସେବାୟତଙ୍କ ସହ ଶ୍ରୀମନ୍ଦିରରେ ୨ଥର ବୈଠକ କରି ଫେଲ୍ ମାରିବା ପରେ ପୁଣି ବୈଠକ ବସିଥିଲା । ସେବାୟତଙ୍କୁ ମାଡ଼ ମାରିଥିବା ଯବାନଙ୍କ ଗିରଫ ଦାବି ଓ ସେବାୟତଙ୍କ ଅନ୍ୟ ଦାବି ଉପରେ ଅଟଳ ଅଛନ୍ତି ସେବାୟତ । ଏଭଳି ସ୍ଥିତିରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତି ଓପାସରେ ରହିଥିଲେ । ଭୋର୍ ୪ଟାରୁ ପ୍ରଭୁ ପହିଲି ଭୋଗ ନପାଇ ବସିରହିଥିଲେ । ସିଂହଦ୍ୱାରରେ ହଜାର ହଜାର ଭକ୍ତ ଅଟକି ରହିଥିବାବେଳେ ଏସ୍.ପି. ସମୁଦ୍ରକୂଳ ଓ ଅନ୍ୟଆଡ଼େ ବୁଲିଆସ ,ଖୋଲିଲେ ଦର୍ଶନ କରିବ ବୋଲି କହିବାରୁ ସେଠାରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଥିଲା । ଜିଲ୍ଲାପାଳ କହିଲେ ସବୁ ସମସ୍ୟା ଜଗନ୍ନାଥ ବୁଝିବେ । ଅନ୍ୟପକ୍ଷରେ କେତେକ ସେବାୟତ କହୁଛନ୍ତି ମନ୍ଦିର ସମସ୍ୟା ବୁଝିବାକୁ ନିଜେ ମୁଖ୍ୟମନ୍ତ୍ରୀ ଆସନ୍ତୁ । ହଜାର ହଜାର ଭକ୍ତ ଦର୍ଶନ ନପାଇ ମନଦୁଃଖରେ ଫେରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଆରାଧ୍ୟ ଦେବତା ଓପାସ ରହିବା ଘଟଣା ଭକ୍ତମାନଙ୍କୁ ବ୍ୟଥିତ କରିଛି ।

ଘଟଣାରୁ ପ୍ରକାଶ ଯେ, ଗତକାଲି ଭିତରଛୁ ସେବାୟତ ଭବାନୀ ଶଙ୍କର ମହାପାତ୍ର କିଛି ଯାତ୍ରୀଙ୍କୁ ନେଇ ସିଂହଦ୍ୱାରରେ ପ୍ରବେଶ ସମୟରେ ପୋଲିସ ଭକ୍ତକୁ ଅଟକାଇଥିଲା । ଏଥିରେ ସେବାୟତ ଓ ପୋଲିସ ଉଚ୍ଚବାଚ ହୋଇ ଧସ୍ତାଧସ୍ତି ହୋଇଥିଲେ । ୨ଜଣ ଯବାନ ଭବାନିଙ୍କ ମୁହଁ ନାକକୁ ପିଟିବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନା ଯାଇଥିଲେ । ସିଂହଦ୍ୱାରରେ ରକ୍ତ ଛିଟା ପଡ଼ିଲା । ଏହି ଘଟଣାକୁ ନେଇ ଗତକାଲି ଠାରୁ ସେବାୟତ ମେଳିହୋଇ ଜିଲ୍ଲାପାଳ, ଏସ୍.ପି. ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ ସକାଳ ପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇପାରି ନଥିଲା । ପୋଲିସ ସିସିଟିଭି ଫୁଟେଜ ଯାଂଚ କରୁଛି । ଗତକାଲି ପଶ୍ଚିମବଙ୍ଗର ଆଇନଜୀବୀ ସୌମେନ୍ଦ୍ର ପାଲ ତାଙ୍କ ସ୍ତ୍ରୀ ଓ ସମ୍ପର୍କୀୟଙ୍କୁ ନେଇ ସେବାୟତ ଭବାନୀ ସିଂହଦ୍ୱାରରେ ପ୍ରବେଶ ସମୟରେ ୬ଷ୍ଠ ବାଟାଲିଆନ ଯବାନ ଅଟକାଇଥିଲେ ।

ଏ ସମ୍ପର୍କରେ ଭବାନୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ୬ଷ୍ଠ ବାଟାଲିଆନର ଯବାନ ବିଶ୍ୱଜିତ ପରିଡ଼ା ମଧ୍ୟ ଏତଲା ଦେଇଥିଲେ । ଏହି ଘଟଣାକୁ ନେଇ ସକାଳୁ ବିସ୍ଫୋରକ ରୂପ ଧାରଣ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ