Connect with us

ଦେଶ

ସାହିନବାଗ ମାମଲାର ଶୁଣାଣି ଦିଲ୍ଲୀ ନିର୍ବାଚନ ପରେ : ସୁପ୍ରିମକୋର୍ଟ

ସାଙ୍କେତିକ

ସାହିନବାଗ ମାମଲାର ଶୁଣାଣି ଦିଲ୍ଲୀ ନିର୍ବାଚନ ପରେ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ , ୦୭ ଫେବୃଆରୀ – ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାରୁ ଶୁକ୍ରବାର ସୁପ୍ରିମକୋର୍ଟ ସାହିନବାଗ ମାମଲାର ଶୁଣାଣି କରିବାକୁ ମନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିପାଇଁ ନିର୍ବାଚନ ଶେଷ ହେବା ପରେ ମାମଲାର ଶୁଣାଣି ହେବ । ତେଣୁ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ହେବ ବୋଲି କୋର୍ଟ କହିଛନ୍ତି ।
ଜଷ୍ଟିସ ଏସ.କେ.କୌଲ ଏବଂ କେ.ଏମ. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସେଠାରେ ଅସୁବିଧା ରହିଛି ଏବଂ ଏହାର କିଭଳି ସମାଧାନ ହୋଇପାରିବ ତାହାର ଉପାୟ ବାହାର କରାଯିବା ଆବଶ୍ୟକ । ଫେବୃଆରୀ ୮ରେ ନିର୍ବାଚନ ହେଉଥିବା ଜଣେ ଆଇନଜୀବୀ ଅବଗତ କରାଇବା ପରେ କୋର୍ଟ କହିଛନ୍ତି ଯେ ସୋମବାର ଏହି ମାମଲାର ଶୁଣାଣି କରାଯିବ ।
ଖଣ୍ଡପୀଠ ଏହି ମର୍ମରେ ଆବେଦନକାରୀଙ୍କୁ ସୋମବାର ପ୍ରସ୍ତୁତ ହୋଇ ଶୁଣାଣିକୁ ଆସିବା ପାଇଁ କହିଛନ୍ତି ଯେଉଁଥିରେ ଆବେଦନକାରୀଙ୍କୁ ଜବାବ ଦେବାକୁ ହେବ ଯେ କାହିଁକି ସାହିନବାଗ ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରା ନ ଯିବ । ଖଣ୍ଡପୀଠ କହିଛନ୍ତି, ସେହି ମାମଲାର ବିଚାର ଦିଲ୍ଲୀ ହାଇକୋର୍ଟରେ ହେବା ଠିକ ରହିବ । ଏଭଳି ମାମଲା ପାଇଁ ହାଇକୋର୍ଟ ସଠିକ ଫୋରମ ଏବଂ ସେଠାରେ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି ।
ସୁପ୍ରିମକୋର୍ଟରେ ଆଇନଜୀବୀ ଅମିତ ସାହାଣୀଙ୍କ ଦ୍ୱାରା ଦାୟର ଆବେଦନରେ ଦର୍ଶାଯାଇଛି ଯେ ଡିସେମ୍ବର ୧୫ରୁ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି କାଳିନ୍ଦୀ କୁଞ୍ଜ-ସାହିନବାଗ ରାସ୍ତା ବିକ୍ଷୋଭକାରୀମାନେ ବନ୍ଦ ରଖିଥିବାରୁ, ସେ ରାସ୍ତାକୁ ତୁରନ୍ତ ମୁକ୍ତ କରିବା ପାଇଁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ । ପୂର୍ବରୁ ହାଇକୋର୍ଟ ସ୍ଥାନୀୟ ପ୍ରଶାସକଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କହିଥିଲେ ।ଏହି ଘଟଣାରେ ଦିଲ୍ଲୀର ପୂର୍ବତନ ବିଧାୟକ ନନ୍ଦ କିଶୋର ଗର୍ଗ ଅଲଗା ଆବେଦନ ଜରିଆରେ ସାହିନବାଗ ଅଂଚଳରୁ ପ୍ରତିବାଦକାରୀମାନଙ୍କୁ ହଟାଇବାକୁ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ