Connect with us

ଅପରାଧ

ରେଳ କର୍ମଚାରୀଙ୍କ ଖେଳ ଅଭ୍ୟାସ ବେଳେ ମୃତ୍ୟୁକୁ ନେଇ କ୍ରୀଡା ଆସୋସିଏସନର ଖୋଲୁଛି ଗୁମର

ସାଙ୍କେତିକ

ରେଳ କର୍ମଚାରୀଙ୍କ ଖେଳ ଅଭ୍ୟାସ ବେଳେ ମୃତ୍ୟୁକୁ ନେଇ କ୍ରୀଡା ଆସୋସିଏସନର ଖୋଲୁଛି ଗୁମର
ଜଟଣୀ, ୮ ଅପ୍ରେଲ – ରେଳକର୍ମଚାରୀ ଅଜିତ୍ ସିଂ କମରସିଆଲ୍ ଡିପାର୍ଟମେଂଟ ପକ୍ଷରୁ ରବିବାର ରେଳଷ୍ଟାଡିୟମରେ ଇଂଟର ଡିପାର୍ଟମେଂଟଲି ଟେନିସ୍ ବଲ୍ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ମନୋନୀତ ହୋଇ ଖେଳ ଅଭ୍ୟାସ ଆରମ୍ଭ କରି ଶନିବାର ପୁର୍ବାହ୍ନରେ ସ୍ଥାନୀୟ କୁମାରଖାତିଆ ଖେଳ ପଡିଆଠାରେ ଅଭ୍ୟାସ ଚଳାଇଥିବା ଅବସ୍ଥାରେ ଛାତିରେ ଯନ୍ତ୍ରଣା ହୋଇ ଛଟପଟ ହୋଇଥିଲେ । ଗୁରୁତର ଅବସ୍ଥାରେ ରେଳବାଇ ହସ୍ପିଟାଲକୁ ନେବା ବାଟରେ ମୃତ୍ୟୁ ବରଣ କରିଥିଲେ ।

ତେବେ ଏହି ଘଟଣାକୁ ନେଇ ରେଳବାଇ କ୍ରୀଡା ଆସୋସିଏସନର ଅନିୟମିତତା ଓ ସ୍ୱାର୍ଥବାଦୀ କାର୍ଯ୍ୟକଳାପକୁ ନେଇ ରେଳ ବିଭାଗର ସ୍ପୋର୍ଟ୍ସ ଅଫିସରଙ୍କ ମତ ଏବଂ କ୍ରୀଡାବିତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଗୁମର ଖୋଲୁଛି । ରେଳବାଇ ଖେଳପଡିଆରେ ଖେଳ ଅଭ୍ୟାସ ବନ୍ଦ କରିଦେବାରୁ ବାଧ୍ୟ ହୋଇ ଅଭ୍ୟାସ ପାଇଁ ଦୁଇ କିଲୋମିଟର ବ୍ୟବଧାନ କୁମାରଖାତିଆ ପଡିଆକୁ ଯାଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ରେଳ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ପଡିଆକୁ କାହିଁକି ବନ୍ଦ କରାଯାଇଛି । କୁମାରଖାତିଆ ପଡିଆରେ ହୋଇଥିବା ଅଜିତ ସିଂଙ୍କ ଦୁର୍ଘଟଣା ବେଳେ ଦୁଇ କି.ମି. ଦୁର ରେଳବାଇ ମେଡିକାଲକୁ ନେବାରେ ବିଳମ୍ଭ ଯୋଗୁଁ ମୃତ୍ୟୁର କାରଣ ହୋଇପାରେ ବୋଲି ଅନେକ କହୁଛନ୍ତି । ସନିବାର ରେଳ କର୍ମଚାରୀ ଅଜିତଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ତେବେ ଏନେଇ କେତେକ କ୍ରୀଡାପ୍ରେମି ଏହାକୁ ବିରୋଧ କରି ସ୍ପୋର୍ଟ୍ସ ଅଧିକାରୀଙ୍କୁ ଅବଗତ କରାଇଥିଲେ । ସ୍ପୋର୍ଟ୍ସ ଅଫିସର୍ଙ୍କ ନିର୍ଦ୍ଦେଶ କ୍ରମେ ଖେଳକୁ ସ୍ଥଗିତ ରଖାଗଲା । ଏନେଇ ସ୍ପୋର୍ଟ୍ସ ଅଫିସର୍ ଭୂପେସ୍ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି କମରସିଆଲ୍ ବିଭାଗରେ ଖେଳିବା ଲାଗି ଅଜିତ ସିଂ ମନୋନୀତ ହୋଇନଥିବା ସହିତ ସ୍ପେୟାରିଂ ନେଇ ନାହାଁନ୍ତି । ତେବେ ଏନେଇ ଜଟଣୀର କେତେକ କ୍ରୀଡାବିତ୍ ମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଅଜିତକୁ କିଏ, କିପରି ଏବଂ କେଉଁ ସ୍ୱାର୍ଥରେ ଖେଳରେ ବିନା ଅନୁମତିରେ ସାମିଲ୍ କରାଗଲା । ସ୍ପୋର୍ଟ୍ସ ଆସୋସିଏସନର ଅନିୟମିତତା ଉପରେ ବିଭିନ୍ନ ରେଳ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ଏହି ବିଭାଗରେ ଜଣେ ବ୍ୟକ୍ତି ଦୀର୍ଘ ୨୪ ବର୍ଷରୁ ଏକଦା ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ କେଉଁ କାରଣରୁ ଏଥିରେ ନୂତନଙ୍କୁ ନିୟୋଜିତ କରାଯାଉନାହିଁ । ଅନ୍ୟ ପକ୍ଷ୍ୟରେ ଏହି କ୍ରୀଡା ବିଭାଗରେ ଦୀର୍ଘ ଦିନରୁ ବାର୍ଷିକ ସାଧାରଣ ବୈଠକ, ବାର୍ଷିକ ବିବରଣୀ ସମ୍ବନ୍ଧୀୟ ସୂଚନା ପ୍ରଭୃତି ଦିଆଯାଉନଥିବା ବେଳେ ବିଭିନ୍ନ ଦିଗରୁ ଆସୁଥିବା ଅର୍ଥକୁ ଅସାଧୁ ଭାବେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହେଉଛି ।

ଏହା ସହିତ ସ୍ୱତନ୍ତ୍ର କ୍ରୀଡାବିତ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ବାଦଦେଇ ରେଳ କର୍ମଚାରୀ ତଥା ଅଣ କ୍ରୀଡାବିତ୍ ମାନଙ୍କୁ କ୍ରୀଡାରେ ସାମିଲ୍ କରାଯାଉଛି । ସେହିପରି ପ୍ରତ୍ୟେକ ମ୍ୟାଚ୍ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଖେଳାଳୀ ମାନଙ୍କୁ ଆଣି ଭଡା ସୁତ୍ରରେ ପଦକ ପିନ୍ଧାଉଥିବା ବେଳେ କ୍ରୀଡା କ୍ଷେତ୍ରରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଏଥିରୁ ବାଦ୍ ଦିଆଯାଉଛି । ଯାହା ସ୍ପୋର୍ଟ୍ସ ଗାଇର୍ଡଲାଇନ୍ ବିରୋଧୀ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ଏହି ସବୁ ସମସ୍ୟା ନେଇ ପୁର୍ବତଟ ରେଳ ବିଭାଗର ଜି.ଏମ୍,ଡି.ଆର୍.ଏମ୍, କ୍ରୀଡା ଅଫିସର୍ ପ୍ରଭୃତିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ।

ଏବେ ମଧ୍ୟ ଖୋର୍ଦ୍ଧାରୋଡ୍ ଡିଭିଜନ୍ରେ ଅନେକ ଜାତୀୟ, ଅର୍ନ୍ତଜାତୀୟ ସ୍ତରୀୟ ଖେଳାଳୀମାନେ ବେକାର ଅବସ୍ଥାରେ ବସି ରହିଛନ୍ତି, ସେଥିପ୍ରତି କ୍ରୀଡା ବିଭାଗର ଆଦୌ ନଜର ନାହିଁ । ଏହିପରି କ୍ରୀଡା ଆସୋସିଏସନ୍ର ଅନୀୟମିତତାକୁ ନେଇ ରେଲୱେ ଓପେନ୍ଲାଇନ୍ ଶାଖା ସମ୍ପାଦକ ପକ୍ଷ୍ୟରୁ ଉଚ୍ଚ ନ୍ୟାୟାଳୟରେ ଡବ୍ଲୁ.ପି.ସି. ନଂ – ୭୧/୩୧/୧୯ ମାମଲା ବିଚାରଧୀନ ରହିଛି । ଏହି ଅନିୟମିତତା ପ୍ରତି ବିଭାଗୀୟ ଅଧିକାରୀ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ