Connect with us

ଓଡିଶା

ଭଦ୍ରକ : ୧୯ ଜଣ କଲେ ନାମାଙ୍କନପତ୍ର ଦାଖଲ

ସାଙ୍କେତିକ

ଭଦ୍ରକ : ୧୯ ଜଣ କଲେ ନାମାଙ୍କନପତ୍ର ଦାଖଲ : ଶୀର୍ଷରେ ସଂଜୀବ ମଲ୍ଲିକଙ୍କ ରୋଡ ସୋ
ଭଦ୍ରକ, ୮ ଅପ୍ରେଲ – ଭଦ୍ରକ ସଂସଦୀୟ କ୍ଷେତ୍ର ଓ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ଆଜି ମୋଟ ୧୯ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥାପତ୍ର ଦାଖଲ କରିଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ଆଜି ୪ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ କଂଗ୍ରେସ ଦଳର ପ୍ରାର୍ଥୀ ମଧୁମିତା ସେଠୀ, ତୃଣମୂଳ କଂଗ୍ରେସ ପ୍ରାର୍ôଥନୀ ତିଳୋତମା ଜେନା, କଳିଙ୍ଗ ସେନା ପକ୍ଷରୁ ଲକ୍ଷ୍ମୀପ୍ରିୟା ଜେନା, ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ଜେନା । ଏହି ପ୍ରାର୍ଥୀମାନେ ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସଙ୍କ ପାଖରେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ସଞ୍ଜୟ କୁମାର ନାୟକ, ବିଜେଡି ଦଳରୁ ସଂଜୀବ ମଲ୍ଲିକ, କଂଗ୍ରେସ ଦଳରୁ ନଳିନୀକାନ୍ତ ମହାନ୍ତି, ବିଜେପିରୁ ଡାକ୍ତର ପ୍ରଦିପ ନାୟକ, ସ୍ୱାଧୀନ ପ୍ରାର୍ଥୀ ରଞ୍ଜନ କୁମାର ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ପତଞ୍ଜଳୀ କରଶର୍ମା, ପ୍ରାଉଟିଷ୍ଟ ବ୍ଳକ ଅଫ୍ ଇଣ୍ଡିଆ ଦଳରୁ ସାର୍ଥକ ରଞ୍ଜନ ବିଶ୍ୱାଳ, ବିଜେପି ପକ୍ଷରୁ ବଦ୍ରିନାରାୟଣ ଧଳ, କଂଗ୍ରେସ ଦଳରୁ ନିରଞ୍ଜନ ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ଜେନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏମାନେ ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ, କଂଗ୍ରେସ ଦଳର ପ୍ରାର୍ଥୀ ବିଦ୍ୟାଧର ଜେନା ଏବଂ ସ୍ୱାଧୀନ ପ୍ରାର୍ଥୀ ଗଣେଶ ପ୍ରସାଦ ଦାସ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ହେମନ୍ତ କୁମାର ବିହାରୀଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଗଣପତି ବେହେରା ଓ କଳିଙ୍ଗ ସେନା ପକ୍ଷରୁ ସ୍ୱାତିଶ ରଞ୍ଜନ ସାହୁ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ଆଜିର ନାମାଙ୍କନ ପତ୍ର ଦାଖଲ ସମୟର ଶୋଭାଯାତ୍ରା ମଧ୍ୟରେ ଭଦ୍ରକ ବିଜେଡି ବିଧାନସଭା ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କ ରୋଡ୍ ଶୋ ଆଜିପର୍ଯ୍ୟନ୍ତ ଦାଖଲ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପଟୁଆର ଠାରୁ ବେଶ୍ ଆଗରେ ରହିଥିଲା ।

ସ୍ଥାନୀୟ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଲୋକସଭା ବିଜେଡି ପ୍ରାର୍ଥିନୀ ମଂଜୁଲତା ମଣ୍ଡଳ, ଧାମନଗର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ, ରାଜ୍ୟ ଯୁବ ବିଜେଡି ଉପସଭାପତି ଇଂ ପ୍ରୟାସକାନ୍ତି ସାମଲଙ୍କ ସମେତ ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ଏକ ଖୋଲା ଗାଡିରେ ସହର ମଧ୍ୟଦେଇ ଆସିବା ସମୟରେ ସାଧାରଣ ଜନତା ଭବ୍ୟ ସମ୍ବର୍ଦ୍ଧନା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଶ୍ରୀ ମଲ୍ଲିକଙ୍କ ପରେ କଂଗ୍ରେସର ହେଭିୱେଟ୍ ନେତା ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ତାଙ୍କର ସମର୍ଥକଙ୍କ ସହ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ନିକଟରୁ ବାହାରି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ଆଜିପର୍ଯ୍ୟନ୍ତ ଦାଖଲ କରିଥିବା ନେତାମାନଙ୍କ ଶୋଭାଯାତ୍ରା ମଧ୍ୟରେ ଭଦ୍ରକ ବିଜେଡି ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କ ଶୋଭାଯାତ୍ରା ବେଶ୍ ଦୀର୍ଘ ଓ ସୁଶୋଭିତ ହୋଇଥିଲା । ବାଣରୋଷଣି ଓ ବିଭିନ୍ନ ବାଦ୍ୟ ମଧ୍ୟରେ ଶ୍ରୀ ମଲ୍ଲିକଙ୍କ ସହର ପରିକ୍ରମା ଲୋକଙ୍କ ମନକୁ ବେଶ୍ ଆକର୍ଷିତ କରିଥିଲା ।

ଅପରପକ୍ଷରେ ଧାମନଗର ବିଜେପି ବଧାନସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଶୋଭାଯାତ୍ରା ସମସ୍ତଙ୍କ ଠାରୁ ବେଶ୍ ନିରାଡମ୍ବର ହୋଇଥିଲା । ସେ ସାଧାରଣ ଭାବେ ଏକ ବାଇକ୍ ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା