Connect with us

ଦେଶ

‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବାରୁ କାଶ୍ମୀରରେ ଫାରୁକଙ୍କୁ ବିରୋଧ

‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବାରୁ କାଶ୍ମୀରରେ ଫାରୁକଙ୍କୁ ବିରୋଧ
ଶ୍ରୀନଗର,୨୨ା୮ : ଦିଲ୍ଲୀରେ ‘ଭାରତ ମାତା କି ଜୟ’ ଏବଂ ‘ଜୟ ହିନ୍ଦ’ ସ୍ଲୋଗାନ ଦେବା ପରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରରେ ବିରୋଧର ସାମ୍ନା କରିବାକୁ ପଡିଛି । ଇଦ୍-ଉଲ୍-ଜୁହା ଅବସରରେ ବୁଧବାର ଫାରକୁ ଅବଦୁଲ୍ଲା ଶ୍ରୀନଗରର ହଜରତବଲ ଦର୍ଘାକୁ ନମାଜ ପାଠ କରିବାକୁ ଯାଇଥିଲେ । ଦର୍ଘା ବାହାରେ ଓ ଭିତରେ ଉପସ୍ଥିତ ଲୋକମାନେ ତାଙ୍କୁ ବିରୋଧ କରିଥିଲେ ଓ ବିରୋଧୀ ସ୍ଲୋଗାନ ଦେଇଥିଲେ । ଏପରିକି ତାଙ୍କୁ କେତେକ ଲୋକ ଠେଲାପେଲା କରିଥିଲେ ଓ ତାଙ୍କ ଉପରକୁ ଜୋତା ଫିଙ୍ଗା ଯାଇଥିଲା । ସେଠାରେ ଫାରୁକ୍ ଅବଦୁଲ୍ଲା କିଛି ନ କହି ଚୁପଚାପ ବସି ରହିଥିଲେ ।

ବାହାରକୁ ଆସିବା ପରେ ଫାରୁକ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, କେତେକ ମନ୍ଦବୁଦ୍ଧି ଲୋକଙ୍କ ଏପରି କାଣ୍ଡରେ ସେ ଡରିଯାଇନାହାନ୍ତି । ଭାରତ ମାତା କି ଜୟ କହିବାରେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ । ଭାରତ ଆଗେଇ ଚାଲିଛି ଓ କାଶ୍ମୀରକୁ ନିଜ ଗୋଡରେ ଠିଆ ହେବାକୁ ପଡିବ ।

ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦରା ଗାନ୍ଧି ଷ୍ଟାଡିୟମରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଯୋଗଦେଇ ଫାରକୁ ଅବଦୁଲ୍ଲା ଅଟଳବିହାରୀ ବାଜପେୟୀଙ୍କୁ ମନେ ପକାଇଥିଲେ ଓ ଭାରତ ମାତା କି ଜୟ ଏବଂ ଜୟ ହିନ୍ଦର ସ୍ଲୋଗାନ ଦେଇଥିଲେ । ଏହାପରେ ତାଙ୍କୁ କାଶ୍ମୀରର କଠୋରପନ୍ଥୀମାନେ ବିରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ