Connect with us

ଅପରାଧ

ଭଦ୍ରକ ପୁରୁଣା ବଜାରରେ ପୁଲିସ-ଜନତା ମୁହାଁମୁହିଁ

ସାଙ୍କେତିକ

ଭଦ୍ରକ ପୁରୁଣା ବଜାରରେ ପୁଲିସ-ଜନତା ମୁହାଁମୁହିଁ
ବଦଳିଲେ ଆଇଆଇସି, ଆଇଜିଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ
ଭଦ୍ରକ, ୧୭ ସେପ୍ଟେମ୍ବର – ପୁରୁଣାବଜାର ତିନିଛକି ନିକଟରେ ରାସ୍ତାରେ ଏକ ସ୍କୁଟି ପାର୍କିଂ କରିବା ଘଟଣାରେ ଗତକାଲି ରାତିରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା । ପରିସ୍ଥିତି ଏପରି ଅଣାୟତ ହୋଇଥିଲା ଯେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯାଇ ଘଟଣାସ୍ଥଳରେ ପୁଲିସ୍ ଲାଠି ଚାର୍ଜ କରିଥିଲା । ଏଥିରେ ପୁରୁଣାବଜାର ଅଲାଲପୁର ନିବାସୀ ସେକ୍ ରାଜୁ ନାମକ ଜଣେ ବ୍ୟକ୍ତି ଆହତ ହୋଇ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ ।

ଏହି ଘଟଣାର ଖବର ପାଇ ପୁରୁଣାବଜାର ଠାରେ ଅନୁଷ୍ଠିତ ବୁଢାଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଯୋଗଦେବାକୁ ଆସିଥିବା ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏବଂ ପୁରୁଣାବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କୁ ପୁଲିସ୍ ହେଡ୍କ୍ୱାର୍ଟରକୁ ବଦଳି କରି ତାଙ୍କ ସ୍ଥାନରେ ରତିକାନ୍ତ ଗିରିଙ୍କୁ ଦାୟିତ୍ୱ ଦେଇଥିଲେ । ପରିସ୍ଥିତି ଉତ୍ତେଜନା ପୁର୍ଣ ଥିବାରୁ ସେଠାରେ ୨ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଥିଲା ।

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୁରୁଣାବଜାର ତିନିଛକିରେ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ରାତି ପ୍ରାୟ ୮ଟା ସମୟରେ ପାଟ୍ରୋଲିଂ କରିବାକୁ ଯାଇ ହନିଫ କ୍ଲବ୍ ସମ୍ମୁଖରେ ଥିବା ଭାଟମହଲା ସାହିର ସେକ୍ ବିଲାଲଙ୍କ ‘ତାଜ୍ କ୍ଲଥ୍ ଷ୍ଟୋର’ ସମ୍ମୁଖରେ ପହଂଚି ଦୋକାନ ବାହାରେ ଟଙ୍ଗା ହୋଇଥିବା କିଛି ଲୁଗାକୁ ଟାଣି ରାସ୍ତାକୁ ଫୋପାଡି ଦେଇଥିଲେ । ଏହି ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପୁଲିସ୍ର ମାତ୍ରାଧିକ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଅଂଚଳର ବହୁଲୋକ ଏଭଳି ଲଙ୍କାକାଣ୍ଡ କରିବସିଥିଲେ ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ବାଧ୍ୟହୋଇ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହି ଘଟଣାରେ ଲୋକେ ଥାନାଧିକାରିଣୀଙ୍କ ବଦଳି ଓ ଲାଠିଚାର୍ଜ କରିଥିବା ପୁଲିସକୁ ନିଲମ୍ବନ ଦାବି କରିଥିଲେ । ଦାବି ପୂରଣ ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।

ତେବେ ପୁଲିସର ଟ୍ରାଫିକ୍ କଂଟ୍ରୋଲ ସମୟରେ ବାଧା ଆଣୁଥିବା ଦୋକାନ ଗୁଡିକର ଅବରୋଧକୁ ହଟାଇବାକୁ ଯାଇ ପୁଲିସ୍ ଯେଭଳି ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶୀକାର ହେବାକୁ ପଡିଲା, ସେଥିନେଇ ଯେଉଁ ଅଭିଯୁକ୍ତମାନେ ସେମାନଙ୍କୁ ଆକ୍ରମଣ କରିବା ସହ ପୁଲିସ୍ ଗାଡି ଉପରକୁ ଟେକା ପଥର ଫିଙ୍ଗିଥିଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । କାହିଁକି ନା ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ଖୁବ୍ କମ୍ ଦିନରେ ଉକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଭୟ ହିନ୍ଦୁ-ମୁସ୍ଲିମ୍ ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ଉଦାହରଣ ପାଲଟିଥିଲେ । ଏପରିକି ସେ ସ୍ୱଚ୍ଛ ଭାରତ ଅଭିଯାନରେ ନିଜେ ଝାଡୁ କରିବା ସହ ରକ୍ତଦାନ ଓ ବହୁ ଜନହିତକର କାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।

ବିଶେଷକରି ଉକ୍ତ ଅଂଚଳରେ ଦୀର୍ଘଦିନରୁ ଚାଲିଆସୁଥିବା ନକଲି ଜର୍ଦ୍ଦା ବେପାର ଓ ବହୁ ଅସାଧୁ କାର୍ଯ୍ୟକୁ ସେ ଲୋକଲୋଚନକୁ ଆଣି ଅପରାଧୀଙ୍କ ପର୍ଦ୍ଦାଫାସ୍ କରିଥିଲେ । ଏଣୁ ତାଙ୍କୁ ଏଠାରୁ ବଦଳି କରିବା ପଛରେ ଏହା ଏକ ସୁପରିକଳ୍ପିତ ଚକ୍ରାନ୍ତ ବୋଲି କେତେକ ବ୍ୟକ୍ତିବିଶେଷ ଗଣମାଧ୍ୟମକୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ