Connect with us

ଅପରାଧ

ଭଦ୍ରକରେ ମଦମୃତ୍ୟୁର ବିଭୀଷିକା : ନକଲି ବିଦେଶୀ ମଦ ନେଲା ୯ ଜୀବନ

ସାଙ୍କେତିକ

ଭଦ୍ରକରେ ମଦମୃତ୍ୟୁର ବିଭୀଷିକା : ନକଲି ବିଦେଶୀ ମଦ ନେଲା ୯ ଜୀବନ
୪୫ରୁ ଉଦ୍ଧ୍ୱର୍ ଭଦ୍ରକ ସମେତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ
ରାଜ୍ୟ ଅବକାରୀ କମିଶନଙ୍କ ନିର୍ଦ୍ଦେଶରେ ଡେପୁଟି କମିଶନରଙ୍କ ଭଦ୍ରକ ଗସ୍ତ
ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଭଦ୍ରକ, ୩୦ ଅପ୍ରେଲ – ଚଳିତ ନିର୍ବାଚନରେ ବେଆଇନ୍ ମଦ କାରବାରକୁ ରୋକିବା ଦିଗରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ବି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବଂଟାଯାଉଥିବା ଏହି ବିଦେଶୀ ଛାପ ଥିବା ବିପଦଜନକ ନକଲି ମଦ ପିଇ ଏହି ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଓ ତିହିଡି ବ୍ଲକ୍ ଅଧୀନସ୍ଥ ଦୌଲତପୁର, ସାହାପୁର, ବାମନବିନ୍ଧା, ବାରସର, ଘଟପୁର ଭଳି ପଂଚାୟତ ଗୁଡିକରେ ମଦମୃତ୍ୟୁର ତାଣ୍ଡବ ଦେଖାଦେଇଛି । ଏପରିକି ଏହି ନକଲି ମଦ ପିଇ ୫୫ ରୁ ଉଦ୍ଧ୍ୱର୍ ବ୍ୟକ୍ତି ତିହିଡି, ଭଦ୍ରକ, କଟକ ଓ ଭୁବନେଶ୍ୱରର କେତେକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣାରେ ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ଭଦ୍ରକ ଆସି କ୍ଷେତ୍ରୀୟ ତଦନ୍ତ ପରେ ଜିଲାପାଳଙ୍କୁ ସାକ୍ଷାତ୍ କରି କଟକ ଫେରିଯାଇଛନ୍ତି ।
ତେବେ ସରକାରଙ୍କ ପକ୍ଷରୁ ଏହି ମଦ ମୃତ୍ୟୁର କାରଣ ସଂପର୍କରେ କୌଣସି ତଥ୍ୟ ପ୍ରକାଶ ପାଇନଥିଲେ ମଧ୍ୟ ଏହା ଯେ କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଗତକାଲି ନିର୍ବାଚନ ପୂର୍ବରୁ ବଂଟା ଯାଇଥିବା ନକଲି ମଦର କୁପରିଣାମ ତାହା ମୃତ୍ୟୁବରଣ କରିଥିବା ପରିବାର ଓ ଏବେବି ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ପୀଡିତଙ୍କ ବୟାନରୁ ଜଣାପଡିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଓ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଏହି ନକଲି ମଦ କାରବାର ପଛରେ ଜଡିତ ଥିବା ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୀରହାଟ ଠାରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ୧୨ ଘଂଟା ଧରି ରାସ୍ତା ଅବରୋଧ ଓ ଗଣଧାରଣା ପରେ ପ୍ରଶାସନିକ ପ୍ରତିଶ୍ରୁତିରେ ତାହା ପ୍ରତ୍ୟାହୃତ ହୋଇଥିଲେ ବି ଏଭଳି ଏକ ବିବଦମାନ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
ଜିଲାପାଳ ଜ୍ଞାନ ଦାସ ପୀଡିତମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ସାକ୍ଷାତ୍ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଥିବାବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାର ଜଣାପଡିଛି । ୬ ଜଣ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାରୁ ଆଜି କଟକ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଗତକାଲି ତିହିଡିରେ ମୃତ୍ୟୁ ହୋଇଥିବାବେଳେ ଏହି ନକଲି ମଦପାନ ଜନିତ ମୃତକଙ୍କ ମଧ୍ୟରୁ ଯଶିପୁରର ମନୋଜ ମହାନ୍ତିଙ୍କ ଶବକୁ ତାଙ୍କ ପରିବାର ଲୋକେ ପୋତି ଦେଇଥିବାର ଜଣାପଡିଛି । କୁନା ଜେନା ଓ ବାଇଧର ନାୟକଙ୍କର ମଧ୍ୟ କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।
ସେହିଭଳି ରାମଚନ୍ଦ୍ର ପଢିଆରୀଙ୍କର ନିଜ ଗ୍ରାମରେ ମୃତ୍ୟୁ ହୋଇଥିବାବେଳେ ତିହିଡି ନିମେଇସାହିର ସାଧୁଚରଣ ନାୟକ ଓ ସର୍ବେଶ୍ୱର ଦାସଙ୍କୁ ଭଦ୍ରକ ଡାକ୍ତରଖାନା ଆଣୁଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଛି । ଅନୁରୂପ ଦୌଲତପୁରର ଶଙ୍କର୍ଷଣ ଦାସ, ପୀରହାଟର ବୁଧିରାମ ଜେନା, ଦୌଲତପୁରର ଶଙ୍କର୍ଷଣ ପରିଡାଙ୍କର ମଧ୍ୟ ଡାକ୍ତରଖାନା ନେବା ରାସ୍ତାରେ ମୃତ୍ୟୁ ହେବାରୁ ସେମାନଙ୍କର ମୃତଦେହକୁ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇ ଆଜି ସନ୍ଧ୍ୟା ୫ଟାରେ ବ୍ୟବଚ୍ଛେଦ କରାଯାଇଛି । ତେବେ କୃଷ୍ଣଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କର ଭଦ୍ରକ ବାହାରେ ମୃତ୍ୟୁ ହୋଇଥିବା ବିଷୟ ଜଣାପଡିଛି ।
ଭଦ୍ରକ ସମେତ ବିଭିନ୍ନ ଡାକ୍ତରଖାନାରେ ଏବେବି ଚିକିତ୍ସିତ ହେଉଥିବା ପ୍ରାୟ ୪୫ରୁ ଉଦ୍ଧ୍ୱର୍ ପୀଡିତଙ୍କ ମଧ୍ୟରୁ ଭଦ୍ରକ ଡାକ୍ତରଖାନାରେ ଥିବା ପୀରହାଟ ମାଲପୁରର ଶ୍ରୀକାନ୍ତ ମହାଳିକ, ଉଦୟକର ବାରିକ, ଚନ୍ଦ୍ରକାଟବିନ୍ଧାର ପ୍ରାଣବନ୍ଧୁ ମିଶ୍ର, ସକିଲ ସାହାଜୀ ଓ ଯଶିପୁର ବାରାକୁଲାର ଅମରେଶ ଖଟୁଆଙ୍କ ଭଳି ବ୍ୟକ୍ତିମାନଙ୍କ ବୟାନରୁ ଯାହା ଜଣାଯାଏ ସେମାନଙ୍କୁ ଗତକାଲି ନିର୍ବାଚନ ପାଇଁ ନିଜ ଦଳ ପକ୍ଷରୁ ୨୦୧୭ ମସିହା ଅବଧି ଥାଇ ନମ୍ବର ୱାନ୍ ଲେଖାଥିବା ନକଲି ବିଦେଶୀ ମଦ ବିଭିନ୍ନ ଲୋକଙ୍କ ମାଧ୍ୟମରେ ବଂଟାଯାଇଥିଲା । ସେମାନେ ଏହି ମଦ ପିଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଅନେକ ରକ୍ତବାନ୍ତି କରିଥିବାବେଳେ ଅନେକଙ୍କୁ କିଛି ଦେଖାଯାଇନଥିଲା ।
ଏଣୁ ଏଭଳି ଘଟଣା ପାଇଁ କେବଳ ପ୍ରଶାସନ ନୁହେଁ ସଂପୃକ୍ତ ରାଜନୈତିକ ଦଳର ବ୍ୟକ୍ତିବିଶେଷ ମାନେ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି । ଯେଉଁମାନଙ୍କ ନିଜ ସ୍ୱାର୍ଥ ପାଇଁ ଅକାଳରେ ବହୁ ପରିବାର ଛାରଖାର ହୋଇଗଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସିପିଆଇଏମ୍(ଏଲ)ର ଜିଲା ସଂପାଦକ ସମର ବଳ ଓ ଦୌଲତପୁରର ଅଭିମନ୍ୟୁ ବେହେରାଙ୍କ ଅଭିଯୋଗ ମୂଳେ ଆଜି ଦିନ ୧୧ଟାରେ ପ୍ରଶାନ୍ତ ବେହେରା, ଶ୍ୟାମସୁନ୍ଦର ବେହେରା, ବାବୁରାମ ଦାସ ଭଳି କେତେକ ଗୁରୁତର ପୀଡିତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା ମୂଳେ ସେମାନେ ବାହାରୁ ଆମ୍ବୁଲାନ୍ସ ମଗାଇ କଟକ ଓ ଭୁବନେଶ୍ୱର ଭଳି ଡାକ୍ତରଖାନା ଗୁଡିକୁ ନେବାକୁ ପ୍ରୟାସ କରିଥିବାବେଳେ ପୁଲିସ୍ ଉକ୍ତ ଗାଡିଗୁଡିକର ଚାବି ଛଡାଇନେଇ ସେମାନଙ୍କୁ ଛାଡିନଥିଲା । ଫଳରେ ସେମାନଙ୍କର ଅବସ୍ଥା ଅଧିକ ଗୁରୁତର ହୋଇପଡିଥିଲା ।
ଏଣୁ ଏଭଳି ଏକ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଉଚିତ୍ କ୍ଷତିପୂରଣ ଦେବାକୁ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି । ତେବେ ଆଜିର ଏଭଳି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡିର ରାଜ୍ୟ ସଂପାଦକ ଅଜୟ ନାୟକ, ଭଦ୍ରକ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଜେପି ବିଧାନସଭା ପ୍ରାର୍ଥୀ ବିଷ୍ଣୁ ସେଠୀ, ଭଦ୍ରକ ବିଜେଡି ବିଧାନସଭା ପ୍ରାର୍ଥୀ ସଂଜୀବ ମଲ୍ଲିକ, ଭଦ୍ରକର ବିଜେପି ବିଧାନସଭା ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକ, ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖାର ଡାକ୍ତର ହରେକୃଷ୍ଣ ନାୟକ ପ୍ରମୁଖ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଂଚି ପୀଡିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିବାର ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକରେ ଗତ ୨୯ ବର୍ଷ ପୂର୍ବେ ଏହିଭଳି ମଦ ମୃତ୍ୟୁ ବିଭୀଷିକା ଦେଖାଦେଇଥିବାବେଳେ ୨୦୧୭ ରେ ମଧ୍ୟ ଏହାର ପୁନରାବୃତି ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ