Connect with us

ଅପରାଧ

ପ୍ରଥମ ଦିନରେ କଟିଲା ୧୫୪୫ ଉପଭୋକ୍ତାଙ୍କ ବିଜୁଳି

ସାଙ୍କେତିକ

ଖୋର୍ଦ୍ଧା , କଟକ ଓ କେନ୍ଦ୍ରାପଡାରେ ଆରମ୍ଭ ହେଲା ସେସୁର ବିଜୁଳି କାଟ୍ ଅଭିଯାନ
– ପ୍ରଥମ ଦିନରେ କଟିଲା ୧୫୪୫ ଉପଭୋକ୍ତାଙ୍କ ବିଜୁଳି
ଭୁବନେଶ୍ୱର,୧୬ ଜାନୁଆରୀ – ଦୀର୍ଘ ଦିନ ଧରି ବିଜୁଳି ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ କାଟିବା ଅଭିଯାନ ଆରମ୍ଭ କରିଛି ସେସୁ । ଗୁରୁବାର ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଦ୍ୟୁତ କାଟ୍ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧,୫୪୫ ଉପଭୋକ୍ତାଙ୍କ ବିଦ୍ୟୁତ୍ .ସଂଯୋଗ କଟାଯାଇଛି । ସେହିପରି ୫କୋଟି ୩୮ ଲକ୍ଷ ୯୮ ହଜାର ଟଙ୍କା ବକେୟା ବିଲ୍ ଆଦାୟ କରାଯାଇଛି ବୋଲି ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ପ୍ରଥମେ ବିଲ୍ ବାକି ରଖିଥିବା ବ୍ୟାବସାୟିକ ସଂସ୍ଥାଙ୍କ ବିଜୁଳି କଟାଯାଇଛି । ଯେଉଁ ବ୍ୟବସାୟିକ ସଂସ୍ଥା ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ପରେ ବି ଦେୟ ପଇଠ କରୁ ନାହାନ୍ତି, ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ବିଛିନ୍ନ କରାଯାଉଛି । ଖୋର୍ଦ୍ଧାରେ ସେସୁର ୩୦ଟି ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବିଳମ୍ବିତ ସନ୍ଧ୍ୟା ଯାଏଁ ବିଦ୍ୟୁତ୍ କାଟ ଅଭିଯାନ ଚାଲିବ । ଏଯାବତ୍ ୮୦୦ ବ୍ୟବସାୟିକ ଉପଭୋକ୍ତାଙ୍କ ବିଜୁଳି କଟାଯାଇଛି ଏବଂ ଉପଭୋକ୍ତାଙ୍କଠାରୁ ୩ କୋଟି ଟଙ୍କା ସେସୁ ଆଦାୟ କରିଥିବା ନେଇ ସେ କହିଛନ୍ତି ।

ଏସଡିଓ ମାନସ ରଂଜନ ଦାସ କହିଛନ୍ତି ଯେ ଆଜି ଯେଉଁମାନେ ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି ସେମାନଙ୍କ ଠାରୁ ୪ ଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଖୋର୍ଦ୍ଧା ଅଂଚଳରେ ୫୧ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୮୦ କୋଟି ଟଙ୍କାର ବିଲ୍ ବାକିଆ ରହିଛି ବୋଲି ସେ କହିଛନ୍ତି ।

ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଧନୀ ଶ୍ରେଣୀର ଉପଭୋକ୍ତା ଯେଉଁମାନଙ୍କ ଘରେ ଫ୍ରିଜ୍‌, ଚାରିଚକିଆ ଯାନ , ଏସି ଓ ଯେଉଁମାନେ ବହୁତଳ ବିଶିଷ୍ଟ କୋଠାରେ ରହୁଥିବେ, ଆୟକର ଦେଉଥିବେ, ସେଭଳି ଉପଭୋକ୍ତାଙ୍କର ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବ ।

ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କ ବିଜୁଳି କଟାଯିବ । ଏହି ପର୍ଯ୍ୟାୟରେ ଅନ୍ୟ ସାଧାରଣ ଉପଭୋକ୍ତା ବି ସାମିଲ ହେବେ । ଯେଉଁମାନେ ବର୍ଷ ବର୍ଷ ଧରି ଦେୟ ପୈଠ କରୁ ନାହାଁନ୍ତି ସେମାନଙ୍କର ଲାଇନ୍ କଟାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ବକେୟା ବିଲ୍ ପଇଠ ନ କଲେ ୧୬ ତାରିଖ ଠାରୁ ସାଧାରଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ସେସୁ । କିନ୍ତୁ ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ଉପଭୋକ୍ତା ସଂଗଠନ ତୀବ୍ର ବିରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ନରମିଥିଲେ ସେସୁ କର୍ତୃପକ୍ଷ ଏବଂ ନିଷ୍ପତି ବଦଳାଇ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ