Connect with us

ଓଡିଶା

ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ଲାଇନଚ୍ୟୁତ, ୪୦ ଆହତ

ସାଙ୍କେତିକ

ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ଲାଇନଚ୍ୟୁତ, ୪୦ ଆହତ
– ମାଲବାହୀ ଟ୍ରେନ୍ କୁ ଧକ୍କା ଦେବାରୁ ୮ ଟି ବଗି ଲାଇନ୍‌ଚ୍ୟୁତ
– ତଦନ୍ତ କରିବେ ରେଲୱେ ସେଫଟି କମିଶନର
– ହେଲପ ଲାଇନ୍ ନମ୍ବର ଜାରୀ , ୫ ଟଇ ଟ୍ରେନ୍ ର ଗତିପଥ ବଦଳିଲା
କଟକ/ଭୁବନେଶ୍ୱର,୧୬ ଜାନୁଆରୀ – କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ଶାଳଗାଁ ନିକଟରେ ଗୁରୁବାର ସକାଳ ସାଢେ ୬ଟାରେ ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ଲାଇନଚ୍ୟୁତ ହେବାରୁ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଗୁରତର ରହିଛି । ଘନ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଏକ ମାଲବାହୀ ଟ୍ରେନ୍ କୁ ପଛ ପଟୁ ଏହି ଟ୍ରେନ୍ ଧକ୍କା ଦେବାରୁ ଟ୍ରେନ୍ ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା ।
ଅପରପକ୍ଷରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିବାପାଇଁ ରେଲୱେ ସେଫଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ପୂର୍ବ ସର୍କଲ ରେଲୱେ ସେଫ୍ଟି କମିଶନର ଅଭୟ କୁମାର ରାୟ ଏହି ତଦନ୍ତ କରିବେ । ୧୮ ତାରିଖରୁ ତଦନ୍ତ ଆରମ୍ଭ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁର୍ଘଟଣା ପରେ ରେଲୱେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏଗୁଡ଼ିକ ହେଲା କଟକ- ୦୬୭୧୧୦୭୨, ଖୋର୍ଦ୍ଧା ରୋଡ୍‌- ୦୬୭୪୧୦୭୨, ପୁରୀ- ୦୬୭୫୨୧୦୭୨ ଓ ଭୁବନେଶ୍ୱର ହେଡ୍ କ୍ୱାର୍ଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨ ।
ଅନ୍ୟପକ୍ଷରେ ଟ୍ରେନ୍ ଦୁର୍ଘଟଣା ଯୋଗୁଁ କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ଅନ୍ୟ ୫ ଟି ଟ୍ରେନ୍ ର ଗତିପଥ ବଦଳାଯାଇଛି । ଗତିପଥ ବଦଳିଥିବା ଟ୍ରେନଗୁଡ଼ିକ କଟକ ପରିବର୍ତେ ନରାଜ ବାଟ ଦେଇ ଯାତ୍ରା କରିବେ ବୋଲି ଜଣାଯାଇଛି । ତାଳଚେର-ପୁରୀ ମେମୁ ଟ୍ରେନ୍‌, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌, ପୁରୀ-ରାଉରକେଲା , ଧାନବାଦ୍‌- ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଆଜି ନରାଜ ବାଟ ଦେଇ ଯାତ୍ରା କରିବ ।

ମିଳିଥିବା ସୂଚନା ଅନୁସାରେ, କପିଳାସ ରୋଡ୍ ପାରି ହେବା ପରେ ଏବଂ ନିଗୁଣ୍ଡି ଷ୍ଟେସନର ପ୍ରାୟ ୧ କିଲୋମିଟର ପୂର୍ବରୁ ଥିବା ଶାଳଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସେହି ଲାଇନ୍ ରେ ଠିଆ ହୋଇଥିବା ଏକ ମାଲଗାଡ଼ିକୁ ଧକ୍କା ଦେବାରୁ ଯାତ୍ରୀବାହୀ ଟ୍ରେନ୍ ର ୮ଟି ବଗି ଲାଇନ୍ ଚ୍ୟୁତ ହୋଇଥିଲା । ଟ୍ରେନ୍ ଦୁର୍ଘଟଣା ନେଇ ରେଲୱେକୁ କିଛି ଯାତ୍ରୀ ଟ୍ୱିଟ୍ କରିବା ପରେ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ପହଂଚି ସ୍ଥାନୀୟ ଯୁବକଙ୍କ ସହ ଆହତମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ୫ ଜଣଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି । ଅନ୍ୟମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟିନଥିବା ସ୍ପଷ୍ଟ କରାଯାଇଛି ।
ଆହାତ ମାନଙ୍କ ମଧ୍ୟରେ ରହିଛନ୍ତି କଟକର ଶରତ ଚନ୍ଦ୍ର ବେହେରା(୪୯), ବାଲେଶ୍ୱରର ପୂର୍ଣ୍ଣ ଚନ୍ଦ୍ର ନାୟକ(୩୫), ଗଞ୍ଜାମର ଜିତେନ୍ଦ୍ର କୁମାର ପାଢୀ (୩୯), କଟକର ଅଶ୍ୱିନୀ କୁମାର ଲେଙ୍କା(୪୦), ସୁନାରାଣୀ ସାହୁ (୩୭), ଛତିଶଗଡ଼ର ପୁଷ୍ପାଞ୍ଜଳି ଝାଟୁଆ (୩୦ ), ତନିଶା ଝାଟୁଆ (୩୬) ବାଲେଶ୍ୱରର ପ୍ରଭାତ କୁମାର ରାଜ (୪୨), ଖୋର୍ଦ୍ଧାର ଜାୟଶ୍ରୀ ନାଏକ (୨୮), ନାରାୟଣ ପାତ୍ର (୫୧), ପ୍ରସନ୍ନ କୁମାର ସାହୁ (୩୫), ବାଲେଶ୍ୱରର ତନ୍ମୟ ନାୟକ (୦୨), ଦୁର୍ଯ୍ୟୋଧନ ନାୟକ(୩୮) ଓ ଜ୍ୟୋତି ନାୟକ (୨୫-ମହିଳା) ।

ଦୁର୍ଘଟଣା ପ୍ରସଙ୍ଗରେ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ନିର୍ଗୁଣ୍ଡି ଷ୍ଟେସନ ଡେପୁଟି ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନର ଗାର୍ଡ ଓ ଏଲଟିଟି ଟ୍ରେନର ୨ ଜଣ ଡ୍ରାଇଭରଙ୍କୁ ନିଲମ୍ବନ କରିଛି ପୂର୍ବତଟ ରେଳବାଇ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା