Connect with us

ଅପରାଧ

ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା

ସାଙ୍କେତିକ

ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା
ଅଭିଯୁକ୍ତଙ୍କ ସହ ଦୁଇ ଗିରଫ,

ପୁରୀ, ୩ ଡ଼ିସେମ୍ବର – ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅଂଚଳ ପୁଲିସ ଲାଇନରେ ଥିବା ସରକାର କ୍ୱାଟରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ଦିନ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଚଂଳ ଡିଆଇଜି ଆଶିଷ କୁମାର ସିଂ କହିଲେ ଏହି ଘଟଣା ଅତି ଅମାନୁଷିକ ଓ ସ୍ପର୍ଶକାତର । ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ସହ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଆବେଦନ କରାଯିବ । ୨୦ଦିନ ଭିତରେ ଚାର୍ଜସିଟ ପ୍ରଦାନ କରାଯିବ । ଏ ସଂପର୍କରେ କୁମ୍ଭାରପଡା ଥାନା କେସ ନମ୍ବର ୩୦୮/୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ ଓ ତାର ସହଯୋଗୀ ରାଜେଶ କୁମାର ସେଠୀଙ୍କୁ ଗିରଫ କରାଯାଇଛି । ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ଖୋଜୁଛି । ଏହି ଘଟଣାର କୁମ୍ଭାରପଡା ଥାନା ଆଇଆଇସି କୁଳମଣି ସେଠୀ ତଦନ୍ତ କରୁଛନ୍ତି । ଭାରତୀୟ ଦଣ୍ଡବିଧି ଆଇନ ୩୬୩, ୩୭୬ (ଡିଏ), ୩୯୪ ଓ ୬ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି । ନିମାପଡା ବସଷ୍ଟାଣ୍ଡରେ ନାବାଳିକା ପୀଡିତା ବସକୁ ଅପେକ୍ଷା କରିଥିବା ସମୟରେ ଅଭିଯୁକ୍ତମାନେ କାକଟପୁରରେ ଛାଡିଦେବି କହି ପୁରୀ ଆଣି ଦୁଷ୍କର୍ମ କରିଥିଲେ । ଘଟଣାଟି ଅତି ତ୍ୱରିତ ବେଗରେ ପ୍ରଚାର ହେବା ପରେ ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ କରାଯାଇ ଏସପିଙ୍କୁ ଦାବିପତ୍ର ଦିଆଯାଇଥିଲା ।
ପୁଲିସ ପରିଚୟପତ୍ର ବ୍ୟବହାରକୁ ନେଇ ଅଲଗା ମାମଲା : ବିଭିନ୍ନ ମାମଲାରେ ବହିଷ୍କୃତ କନେଷ୍ଟବଲ ଜିତେନ୍ଦ୍ର କୁମାର ସେଠୀ ବିଭିନ୍ନ ସମୟରେ ପୁଲିସ ପରିଚୟପତ୍ର ଦେଖାଇ ଅପକର୍ମରେ ଜଡ଼ିତ ହେଉଥିବା ଅଭିଯୋଗ ହୋଇଥିଲା । ବହିଷ୍କୃତ କରିବା ପରେ ପରିଚୟପତ୍ରଟି ଅଧିକାରୀମାନେ ନେଇନଥିବାରୁ ତାହାକୁ ସେ ଅପବ୍ୟବହାର କରୁଥିଲେ । ପରିଚୟପତ୍ର ଦେଖାଇ ପୀଡ଼ିତା ମନରେ ବିଶ୍ୱାସ ଜନ୍ମାଇବାରୁ ସେ କାରରେ ଆସିଥିଲେ ବୋଲି କହିଛନ୍ତି । ଏ ସଂପର୍କରେ ଏକ ଅଲଗା ମାମଲା କରାଯିବ ବୋଲି ଡିଆଇଜି ଶ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବ୍ୟବହୃତ କାର୍ ଓ ଡ୍ରାଇଭର ଗଲେ କୁଆଡେ : ନିମାପଡାରୁ ପୁରୀ ଆଣିଥିବା କାରଟିର ଡ୍ରାଇଭର କିଏ, ଗାଡିର ମାଲିକ କିଏ, ଜିତେନ୍ଦ୍ରଙ୍କ ସହ ତାର କି ପ୍ରକାର ସଂପର୍କ ରହିଥିଲା ସେ ସଂପର୍କରେ ଆଲୋଚନା ହେଉଛି । ପୁଲିସ ସେ ସଂପର୍କରେ ଅନୁସନ୍ଧାନ ଚଳାଇଥିବା ବେଳେ ଦୁଇଟି ଦୁଇଚକିଆ ଗାଡିକୁ ଜବତ କରିଛି । ଗୋଟିଏ ହୋଣ୍ଡା ସାଇନ୍ ମୋଟର ସାଇକେଲ ଓ ହୋଣ୍ଡା ଆଭିଏଟର ସ୍କୁଟରକୁ ପୁଲିସ ଜବତ କରିଛି । କିନ୍ତୁ କାରଟି ଖସି ଯାଇଛି ।
କ୍ୱାଟରକୁ ନେଇ ଚର୍ଚ୍ଚା : ପୁଲିସ ଲାଇନ୍ ରେ ଘଟଣା ଘଟିଥିବା କ୍ୱାର୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନିଲମ୍ବିତ କନଷ୍ଟେବଳଙ୍କ ସେହି କ୍ୱାଟରଟି ତାଙ୍କ ସ୍ତ୍ରୀ ନାମରେ ରହିଥିଲା । ସ୍ତ୍ରୀ ପୁଲିସ ଚାକିରୀରେ କାର୍ଯ୍ୟରତ ଥିବାବେଳେ ଜିତେନ୍ଦ୍ର ସେହି କ୍ୱାର୍ଟରକୁ ବ୍ୟବହାର କରି ଦୁଷ୍କର୍ମ କରିଥିବା ଆଲୋଚନା ହେଉଛି । ସେହି କ୍ୱାର୍ଟରକୁ ନେଇ କାଳେ ଚର୍ଚ୍ଚା ହେବ ଗତକାଲି ରାତିରୁ ପୁଲିସ ଲାଇନର ସମସ୍ତ ଗେଟକୁ ତାଲା ମାରି ବନ୍ଦ କରାଯାଇଛି । ସେହି କ୍ୱାଟରରେ ଆଗରୁ ମଧ୍ୟ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି ।
କାଳ ହେଲା ମନିପର୍ସ ଓ ଆଇକାର୍ଡ଼ : କ୍ୱାଟରରେ ଅତ୍ୟଧିକ ନିଶା ସେବନ କରିବା ପରେ ଅଭିଯୁକ୍ତମାନେ ଶୋଇପଡିଥିଲେ । ଏହାର ସୁଯୋଗ ନେଇ ପୀଡ଼ିତା ତାଙ୍କର ମନିପର୍ସଟିକୁ ଧରି କୌଶଳକ୍ରମେ ଖସି ଆସିବାକୁ ସମର୍ଥ ହୋଇଥିଲେ । ଯାହା ପରବର୍ତି ସମୟରେ ଅଭିଯୁକ୍ତ ଜିତେନ୍ଦ୍ର ପାଇଁ କାଳ ପାଲଟିଥିଲା । ପୁଲିସ ପରିଚୟପତ୍ର, ଆଧାରକାର୍ଡ, ପ୍ୟାନ୍ କାର୍ଡ ଓ କିଛି କାଗଜପତ୍ରରୁ ପୁଲିସକୁ ଅଧିକ ତଥ୍ୟ ମିଳିପାରିଥିଲା ।
ବଦନାମ୍ ହେଉଛି ବର୍ଦ୍ଦି : ବିଭିନ୍ନ ସମୟରେ ପୁଲିସ ନାଁରେ ଅନେକ ଘଟଣା ଯୋଡି ହୋଇଯାଉଥିବାରୁ ବଦନାମ ହେଉଛି ବର୍ଦ୍ଦି । ଜିତେନ୍ଦ୍ର ଘଟଣାରେ ପୁଲିସ ପରିଚୟ ପତ୍ର ବ୍ୟବହାର ଯୋଗୁଁ ପୀଡିତାଙ୍କ ମନରେ ସନ୍ଦେହ ଜାତ ହୋଇନଥିଲା । ପରେ ରକ୍ଷକ ଯେତେବେଳେ ଭକ୍ଷକ ସାଜିଲା ଘଟଣାଟି ପଦାକୁ ଆସିଲା । ବିଭିନ୍ନ ସମୟରେ ଖାକି ପୋଷାକରେ କଳଙ୍କ ଲାଗୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ