Connect with us

ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ନିଯୁକ୍ତି ମେଳା ଜାନୁଆରୀ ୯ରେ

ସାଙ୍କେତିକ

ଖୋର୍ଦ୍ଧା ଜିଲ୍ଲା ନିଯୁକ୍ତି ମେଳା ଜାନୁଆରୀ ୯ରେ
ଭୁବନେଶ୍ୱର, ୦୩ ଡିସେମ୍ବର – ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ଠାରେ ଖୋର୍ଦ୍ଧା ଜିଲ୍ଲା ନିଯୁକ୍ତି ମେଳା ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ରଞ୍ଜନ ମିଶ୍ର ଆଗାମୀ ଜାନୁଆରୀ ୯ ତାରିଖରେ ପୋଖରୀପୁଟ ରିଜର୍ଭ ପଡ଼ିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିଯୁକ୍ତି ମେଳାକୁ ସଫଳତାର ସହ ଆୟୋଜନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ ।

ଏହି ନିଯୁକ୍ତି ମେଳା ସାମଗ୍ରିକ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ । ନିଯୁକ୍ତିଦାତାଙ୍କ ଠାରୁ ନିଯୁକ୍ତି ସୁଯୋଗ ସମ୍ବନ୍ଧିତ ବିବରଣୀ ସଂଗ୍ରହ କରାଯାଇ ନିଯୁକ୍ତି ମେଳା ଦିନ ପ୍ରାର୍ଥୀ ଚୟନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ନିୟୋଜନ କାର୍ଯ୍ୟାଳୟରେ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ପ୍ରାର୍ଥୀମାନଙ୍କୁ ମୋବାଇଲ ଯୋଗେ ସୂଚନା ପ୍ରଦାନ କରାଯିବ । ଆ.ଟି.ଆଇ, ପଲିଟେକନିକ ଏବଂ ଡିପ୍ଲୋମା କରିଥିବା ପ୍ରାର୍ଥୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଦୃଷ୍ଟି ଦିଆଯିବ । ନିଯୁକ୍ତି ମେଳା ସ୍ଥାନରେ, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା, ଶୋଚାଳୟ ତମ୍ବୁ, ସୁରକ୍ଷା ଓ ସ୍ୱେଚ୍ଛାସେବୀ ସେବା ସମ୍ବନ୍ଧିତ ବିଷୟ ଉପରେ ଗୁରୁତ୍ୱ ଆରୋପ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ବୈଠକରେ କମିଶପରେଟ ପୋଲିସର ଅତିରିକ୍ତ ଡିସିପି ଏବଂ ଜିଲ୍ଲାର ପଦାଧିକାରୀମାନେ ଆଲୋଚନା କରି ଅଂଶଗ୍ରହଣ ପୂର୍ବକ ମତାମତ ଦେଇଥିଲେ ।

ପ୍ରକାଶ ଥାଉକି ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ନିଯୁକ୍ତି ମେଳା ଅବ୍ୟବହିତ ପୂର୍ବରୁ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ