Connect with us

ଅପରାଧ

ଧାମନଗର ତହସିଲଦାରଙ୍କୁ ଗାଳି ଓ ଧମକ ଦେବା ପ୍ରସଙ୍ଗ : ଫେରାର୍ ଅଭିଯୁକ୍ତଙ୍କ ପିତାଙ୍କ ମୃତ୍ୟୁ, ଶବ ରଖି ତହସିଲ ସାମ୍ନାରେ ଧାରଣା

ସାଙ୍କେତିକ

ଧାମନଗର ତହସିଲଦାରଙ୍କୁ ଗାଳି ଓ ଧମକ ଦେବା ପ୍ରସଙ୍ଗ : ଫେରାର୍ ଅଭିଯୁକ୍ତଙ୍କ ପିତାଙ୍କ ମୃତ୍ୟୁ, ଶବ ରଖି ତହସିଲ ସାମ୍ନାରେ ଧାରଣା
ଭଦ୍ରକ, ୨୧ ଅକ୍ଟୋବର – ଧାମନଗଗର ଜନୈକ ଯୁବକ ପୁଲିସ୍ ଉପସ୍ଥିତିରେ ମାଜିଷ୍ଟ୍ରେଟ୍, ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଦେବା ଘଟଣା ଆଜି ଅଭିଯୁକ୍ତ ପିତାଙ୍କ ମୃତ୍ୟୁ ପରେ ନେଇଛି ନୂଆ ମୋଡ ।

ଏଠାରେ ସୂଚନାଯୋଗ୍ୟ ଗତ ୧୮ ତାରିଖ ଦିନ ସ୍ଥାନୀୟ ଅଂଚଳର ଯୁବକ ରାଜେଶ ମହାନ୍ତି ପୁଲିସ ଉପସ୍ଥିତିରେ ତହସିଲଦାରଙ୍କୁ ଅତି ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲା । ଏପରିକି ସଂପୃକ୍ତ ଯୁବକ ଧାମନଗର ଅଂଚଳର ଜଣେ ପ୍ରଭାବଶାଳୀ ନେତାଙ୍କ ନାମ ନେଇ ତୋ ଚାକିରି ଖାଇବି ବୋଲି କହି ତହସିଲଦାରଙ୍କୁ ଧମକାଇବା ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ସଂପୃକ୍ତ ଯୁବକ ପୁଲିସ ଉପସ୍ଥିତିରେ ତହସିଲଦାରଙ୍କୁ ଗାଳି କରୁଥିବା ସମୟରେ ପୁଲିସ କର୍ମଚାରୀମାନେ ସେଠାରେ ଠିଆ ହୋଇ ନିରବଦଷ୍ଟା ସାଜିଥିବା ଏହି ଭିଡିଓରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏନେଇ ତହସିଲଦାର ଥାନାରେ ସଂପୃକ୍ତ ଯୁବକଙ୍କ ନାମରେ ଏକ ଅଭିଯୋଗ କରିବାରୁ ପୁଲିସ ଥାନାରେ କେଶ ନଂ-୨୨୩/୧୯ରେ ଏକ ମାମଲା ରୁଜୁ କରି ଚୁପ ହୋଇ ବସିଥିଲା । ଏହାର ପ୍ରତିବାଦରେ ଧାମନଗର ତହସିଲ ଓ ବ୍ଲକ କର୍ମଚାରୀମାନେ ଫାଟକ ନିକଟରେ ପ୍ରତିକ ଧାରଣାରେ ବସି କଲମ ଛାଡ ଆନ୍ଦୋଳନ କରିଥିଲେ । ଏବଂ ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଥିଲେ । ବିଶେଷକରି ଜଣେ ସରକାରୀ ପଦସ୍ଥ ଅଫିସଙ୍କୁ ପୁଲିସ ଉପସ୍ଥିତିରେ ଗାଳି ଗୁଲଜ ଓ ତାଙ୍କ ଚାକିରି ଖାଇବାର ଧମକ ଏହା ଏକ ଅଗଣତ୍ରାନ୍ତ୍ରିକ ଦର୍ଶାଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାକୁ ଘୋର ବିରୋଧ ଓ ଘଟଣାର ଦୃଢ ନିନ୍ଦା କରାଯାଇଥିଲା ।

ତେବେ ‘କୁଆ ଉଡିବାକୁ ତାଳ ପଡିବା’ କଥାଭଳି ଆଜି ଅଭିଯୁକ୍ତ ରାଜେଶଙ୍କ ପିତାଙ୍କର ହୃଦଘାତରେ ମୃତ୍ୟୁ ହେବାରୁ ତାଙ୍କ ପରିବାର ଲୋକେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜେଶଙ୍କ ପିତା ରାହାସ ବିହାରୀ ମହାନ୍ତିଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ କରି ତାଙ୍କ ମୃତଦେହକୁ ତହସିଲ କାର୍ଯ୍ୟାଳୟ ଆଗରେ ରଖି ଧାରଣାରେ ବସିଥିଲେ । ଏପରିକି ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ରାଜେଶର ଭାଇଙ୍କ ଅଭିଯୋଗ ମୂଳେ ପୁଲିସ୍ ବାରମ୍ବାର ତାଙ୍କ ସାନଭାଇ ତଥା ଅଭିଯୁକ୍ତକୁ ଖୋଜିବା ଆଳରେ ତାଙ୍କ ପରିବାରକୁ ମାନସିକ ନିର୍ଯ୍ୟାତନା ଦେଇଥିଲା । ଉକ୍ତ କାରଣରୁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ କରିଥିଲେ ଭାଇ । ଏପରିକି ତାଙ୍କ ପିତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ତାଙ୍କୁ ଗିରଫ କରିବା ନେଇ ଅଡି ବସିଥିଲେ ।

ତେବେ ପରବର୍ତ୍ତୀ ସମୟରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଏସ୍ଡିପିଓ ମନୋରଂଜନ ସାମଲ ଉକ୍ତ ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ