Connect with us

ଓଡିଶା

ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା -୧୨ ଘଂଟିଆ ଯାଜପୁର ବନ୍ଦ

ସାଙ୍କେତିକ

ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା
ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ୧୨ ଘଂଟିଆ ଯାଜପୁର ବନ୍ଦ
ଯାଜପୁର/ଧର୍ମଶାଳା, ୨୧ ଅକ୍ଟୋବର – ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ପୁଲିସର ପକ୍ଷପାତିତାକୁ ବିରୋଧ ଓ ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାବ୍ୟାପୀ ୧୨ ଘଂଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦକୁ ବିପୁଳ ଜନ ସମର୍ଥନ ମିଳିଛି ।

ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ୍ ର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ଜିଲା ବ୍ୟାପି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ ସରକାରୀ ଅଫିସ, ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଜଜକୋର୍ଟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ପୌରପାଳିକା କାର୍ଯ୍ୟାଳୟ ବନ୍ଦ ରହିଛି । କେତେକ ସ୍ଥାନରେ ଆନ୍ଦୋଳନକାରୀ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଟ୍ରେନ୍ ଚଳାଚଳକୁ ଯାଜପୁର ରୋଡ ଠାରେ ୨ ଘଂଟା ଧରି ବନ୍ଦ ରଖାଯାଇଥିଲା । ଫଳରେ ଭଦ୍ରକ-ବ୍ରହ୍ମପୁର ଡିଏମୟୁ, ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ଫାଲକନାମା ଏକ୍ସପ୍ରେସ ଏଠାରେ ଅଟକି ରହିଥିଲା । ଯେଉଁଥିପାଇଁ ଦୂରଦୂରନ୍ତକୁ ଯାତ୍ରା କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ଛକ ଓ ସମ୍ବେଦନଶିଳ ସ୍ଥାନ ମାନଙ୍କରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ବିଜେପି କର୍ମୀ ମାନେ ଆଜି ସକାଳ ୬ଟାରୁ ପିକେଟିଂ କରି ପ୍ରଥମେ ଜିଲ୍ଲାର ପ୍ରବେଶ ପଥ ସଠିପୁର ଛକ ଠାରେ ଓ ଛତିଆ ଛକରେ ୫ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ଜାରକା ନିକଟରେ ଥିବା ଜାତୀୟ ରାଜପଥ ନଂ ୧୬ ଓ ଯାଜପୁର ରୋଡ ଦଳା ଛକରେ ଏନଏଚ ନଂ ୨୧୫କୁ ଅବରୋଧ କରିଥିଲେ । ଜାରକାଠାରେ ବିଜେପିର ଜିଲା ସାଧାରଣ ସମ୍ପାଦକ ସର୍ବେଶ୍ୱର ବେହୁରା, ବରିଷ୍ଠ ନେତା ରମେଶ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଚଗଲି ବିଶ୍ୱାଳ, ସୁଶାନ୍ତ ବେହେରା, ବି. ବରାଳ, ସୁପ୍ରାରାଣୀ ସାହୁ, ସୁବାସ ସେଠୀ ପ୍ରମୁଖ ଉପସ୍ଥିତ ରହି ରାଜପଥ ଅବରୋଧ କରିଥିଲେ । ଏଥିସହିତ ଧର୍ମଶାଳା ତହସିଲ କାର୍ଯ୍ୟାଳୟ, ବ୍ଲକ ଓ ସମସ୍ତ ବ୍ୟାଙ୍କ ବନ୍ଦ ରହିଥିଲା । ଯାଜପୁର ଜିଲା ବରୀ ବ୍ଲକରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା ।

ଆଜି ସକାଳୁ ବରୀ ନିର୍ବାଚନ ମଣ୍ଡଳୀର ଯୁବନେତା ବିଶ୍ୱରଂଜନ ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷା ସୁଭାଶିନୀ ନାଥ, ଉପାଧ୍ୟକ୍ଷା ରମେଶ ଭଞ୍ଜ, ଜିଲା ପରିଷଦ ସଭ୍ୟା ରଂଜିତା ସାମଲ, ସୁଲଭ ବେହୁରିଆ, ଦିଲିପ ମହାନ୍ତି, ସନ୍ତୋଷ ନାୟକ ପ୍ରମୁଖ ପିକେଟିଂ କରି ବରୁଆଁ-ବରୀ ମୁଖ୍ୟ ରାସ୍ତା ବରୀ ମାଉଣ୍ଡଠାରେ ରାସ୍ତା ଅବରୋଧ କରିଥିଲେ । ସମସ୍ତ ଦୋକାନ, ତହସିଲ କାର୍ଯ୍ୟାଳୟ, ବ୍ଲକ, ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଓ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିଲା । ସେହିପରି ରସୁଲପୁର ବ୍ଲକରେ ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ପରିଡା, ଜିଲା ସମ୍ପାଦକ ଶଶିଭୂଷଣ ସାହୁ, ଚତୃଭୂଜ ଦ୍ୱିବେଦୀ, ୩୫ ନଂ ଜୋନାଲ୍ ସଭାପତି ଦେବକାନ୍ତ ନାୟକ, ଉପ-ସଭାପତି ଲକ୍ଷ୍ମୀଧର ପତି, ୩୬ ନଂ ଜୋନ ପ୍ରଭାରୀ ମୁକୁନ୍ଦଦେବ ମହାନ୍ତି, ୩୩ନଂ ମଣ୍ଡଳ ସଭାପତି ମାୟାଧର ପଲେଇ ଓ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ରସୁଲପୁର ତହସିଲ, ବ୍ଲକ, ସ୍କୁଲ, କଲେଜ, ବାରବାଟୀ ପରିବା ବଜାର, କୁଆଖିଆ ବଜାର ଆଦି ପିକେଟିଂ କରି ବନ୍ଦ କରିଥିଲେ । ଅନୁରୂପ ଭାବେ ବଡଚଣା ନିର୍ବାଚନ ମଣ୍ଡଳୀର ଯୁବନେତା ଅମର ନାୟକଙ୍କ ନେତୃତ୍ୱରେ ଆଜି ସକାଳେ ଗୌତମବୁଦ୍ଧ ପ୍ରତିମୂର୍ତି ନିକଟରେ ଏକ ସଭା କରାଯାଇଥିଲା ।

ଏହି ସଭାରେ ଶାସକ ଦଳକୁ ଦୃଢ଼ ସମାଲୋଚନା କରିବା ସହିତ ପୁଲିସର ଟାଳଟୁଳ ନୀତିକୁ ଘୋର ବିରୋଧ କରାଯାଇଥିଲା ଏବଂ ସ୍ମିତାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ହୋଇଥିଲା । ଏହି ସଭାରେ ପୂର୍ବତନ ଯାଜପୁର ସାଂସଦ ମୋହନ ଜେନା, ବିରେନ୍ଦ୍ର ରାଉତ, ପ୍ରମୋଦ ଜେନା, ଦେବଜାନୀ ପ୍ରଧାନ ପ୍ରମୁଖ ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଦେଇ ଚଳାଚଳ କରୁଥିବା ସମସ୍ତ ଗାଡି ମୋଟରକୁ ବନ୍ଦ କରିବା ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ବେସରକାରୀ ସ୍କୁଲ କଲେଜ ବନ୍ଦ କରିଥିଲେ । ରାସ୍ତା ଅବରୋଧ ଖବର ପାଇ ଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ, ବଡଚଣା ଥାନା ଅଧିକାରୀ ଦିପକ ଜେନା ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସମସ୍ତ ବିଜେପିର କର୍ମକର୍ତାଙ୍କୁ ଫାଣ୍ଡିରେ ଅଟକ ରଖି ପରେ ଛାଡି ଦେଇଥିବା ଜଣାପଡିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗିରଫ ଅଭିଯୁକ୍ତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଦଳ ଅଭିଯୋଗ କରିଛି । ଏସପିଙ୍କ ବୟାନ୍ ଓ ରୂପେଶଙ୍କ ପରିବାର ଲୋକଙ୍କ ବୟାନ ସମାନ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଏସପି ମାମଲାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଗତକାଲି ବିଜେପିର ଏକ ଟିମ୍ ଡିଜିପିଙ୍କୁ ଭେଟିଛି ।
ସେହିପରି ଏହି ଘଟଣାରେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି ।

ଅନ୍ୟପକ୍ଷରେ ବିଜେପି ନେତା ସଜ୍ଜନ ଶର୍ମାଙ୍କ ସହ ଅଭିଯୁକ୍ତ ରୂପେଶ ଭଦ୍ରର ଫଟୋକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା