Connect with us

ଅପରାଧ

ଚୁଡାକୁଟୀ ମେଳନରେ ବେଆଇନ ଡିଜେ ବଜାଇବାକୁ କେନ୍ଦ୍ର କରି ପୁଲିସ-ଜନତା ମୁହାଁମୁହିଁ

ସାଙ୍କେତିକ

ଚୁଡାକୁଟୀ ମେଳନରେ ବେଆଇନ ଡିଜେ ବଜାଇବାକୁ କେନ୍ଦ୍ର କରି ପୁଲିସ-ଜନତା ମୁହାଁମୁହିଁ
– କ୍ୟାମେରା ଛଡାଇବାକୁ ନେଇ ଏସ୍ପିଙ୍କୁ ଭେଟିଲେ ଜିଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି
ଭଦ୍ରକ, ୨୫ ମାର୍ଚ୍ଚ – ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ଧରି ଏହି ଚୁଡାକୁଟୀ ମେଳନ ପ୍ରତିବର୍ଷ ବେଶ ଧୁମଧାମରେ ଚାଲୁଥିବା ବେଳେ ଏହି କିଛି ବର୍ଷ ହେବ ଜିଲା ପ୍ରଶାସନ ଡିଜେକୁ ବେଆଇନ କରିଛି । ହେଲେ ଏହି ନିୟମକୁ ଉଲ୍ଲଘନ କରି କେତେକ ଠାକୁର ବାଡିଆ ଡିଜେ ବଜାଇ ଶୋଭାଯାତ୍ରାରେ ମେଳନ ସ୍ଥଳକୁ ଆସୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ମେଳନରେ ଯୋଗଦେବା ପାଇଁ ପ୍ରଥମେ ବିଦ୍ୟାଧରପୁରର ଠାକୁରବାଡିଆ ଡିଜେ ବଜାଇ ଶୋଭାଯାତ୍ରାରେ ବିଭାନକୁ ମେଳନ ସ୍ଥଳକୁ ଆସିଥିଲେ । ପରେ ପଳସା ଓ ସରେଇ ବିଭାନ ଡିଜେ ବଜାଇ ଆସିବା ବେଳେ ହଠାତ ପୁଲିସ ସେମାନଙ୍କୁ ଡିଜେ ନବଜାଇବାକୁ ବାରଣ କରିଥିଲେ । ଯେହେତୁ ବିଦ୍ୟାଧରପୁର ବିଭାନ ଡିଜେ ବଜାଇ ଆସିଛି ତେଣୁ ଆମେ ମଧ୍ୟ ଡିଜେ ବଜାଇ ଯିବୁ । ଏହି ଘଟଣାକୁ ନେଇ ଉଭୟ ପୁଲିସ ଓ ଠାକୁର ବାଡିଆଙ୍କ ସମେତ ସ୍ଥାନୀୟ ଜନତାଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ଏବଂ ଭଙ୍ଗାରୁଜା ହୋଇଥିଲା । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ବିଭାନକୁ ରାସ୍ତାରେ ରଖି ଚୁଡାକୁଟିର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଖବରପାଇ ଅତିରିକ୍ତ ଏସପି ବିକାଶ ଦାସ, ଉପଜିଲାପାଳ, ଏସଡିପିଓ ମନୋରଂଜନ ସାମଲ, ତହସିଲଦାର ଦୁର୍ଗାଚରଣ ମୁର୍ମୁ, ଜିଲାର ବିଭିନ୍ନ ଥାନାର ଥାନାଧିକାରୀମାନେ ଘଟଣାସ୍ଥଳରେ ପହଂଚି ଥିଲେ । ଦୀର୍ଘ ୧ଘଣ୍ଟା ପରେ ସ୍ଥାନୀୟ ମୁରବୀ ଓ ପ୍ରଶାସନଙ୍କ ମଧ୍ୟରେ ଆଲୋଚନା କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ ଆସନ୍ତା ୨୭ ତାରିଖ ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ବୈଠକ ବସି ଆପୋଶ ସମାଧାନ କରାଯିବ ବୋଲି ଉତ୍ୟକ୍ତ ଲୋକଙ୍କୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ଚାଲିଥିବା ଧସ୍ତାଧସ୍ତି ସମୟରେ କେତେକ ଗଣମାଧ୍ୟମ ପ୍ରତିନିଧି ଏହାର ଫଟୋ ଚିତ୍ର ଉତୋଳନ କରୁଥିବା ବେଳେ ପୁଲିସ ବାରଣ କରିବା ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ମୃଦୁ ଉତେଜନା ଦେଖାଦେଇଥିବାରୁ ପୁଲିସ ପକ୍ଷରୁ ଘଟଣା ସ୍ଥଳରେ ଫୋର୍ସ ମୁତୟନ କରାଯାଇଛି ।

ଏହି ବେଆଇନ ଡିଜେ ବଜାଇବା କେନ୍ଦ୍ର କରି ଥାନାରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ମନୋରଂଜନ ସାମଲ ପ୍ରକାଶ କରିଛନ୍ତି । ଅନୁରୂପ ଜିଲାସ୍ତରୀୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ କାର୍ଯ୍ୟରତ ସାମ୍ବାଦିକଙ୍କ କ୍ୟାମେରା ଛଡାଇ ନେବା ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ସନ୍ଧ୍ୟାରେ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍ କରି ଆଲୋଚନା ପରେ ସେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏବଂ ବାହାରୁ ଆସୁଥିବା ପୁଲିସ୍ମାନେ ସାମ୍ବାଦିକ ମାନଙ୍କୁ ଚିହ୍ନିନଥିବାରୁ ସେମାନେ ନିଜର ପରିଚୟ ପତ୍ର ବାହାରକୁ ପ୍ରକାଶ ପୂର୍ବକ ସେମାନଙ୍କୁ ସହଯୋଗ କରିବା ନେଇ ପରାମର୍ଶ ଦେଇଥିଲେ ଏବଂ ଛଡାଇ ନିଆଯାଇଥିବା କ୍ୟାମେରାଟିକୁ ଯଥାଶୀଘ୍ର ଫେରାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ