Connect with us

ଦେଶ

କଂଗ୍ରେସର ବନ୍ଦ ଡାକରା ଅଭୁତପୂର୍ବ ସଫଳ l

କଂଗ୍ରେସର ବନ୍ଦ ଡାକରା ଅଭୁତପୂର୍ବ ସଫଳ l

ପେଟ୍ରୋଲ, ଡ଼ିଜେଲ ଦରବୃଦ୍ଧିର ପ୍ରତିବାଦ:
କଂଗ୍ରେସର ବନ୍ଦ ଡାକରା ଅଭୁତପୂର୍ବ ସଫଳ
ଭୁବନେଶ୍ୱର,୧୦ା୯ : ଦେଶରେ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧିପାଉଥିବା ଏବଂ କେନ୍ଦ୍ରର ବିଜେପି ସରକାର ତାହାକୁ ଜିଏସ୍ଟି ପରିସରଭୁକ୍ତ କରୁନଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଆହ୍ୱାନ ସମଗ୍ର ଓଡ଼ିଶାରେ ସମ୍ପୂର୍ଣ୍ଣ ସଫଳ ହୋଇଛି ।

ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୁବପିଢି, ମଧ୍ୟମ ଓ ନିମ୍ନ ମଧ୍ୟବିତ, ଗୃହିଣୀଙ୍କୁ ସର୍ବାଧିକ ବାଧୁଥିବା ଦୃଷ୍ଟିରୁ ସେପ୍ଟେମ୍ବର ୧୦ରେ କଂଗ୍ରେସର ବନ୍ଦ ଡାକରା ପ୍ରତି ଜନସାଧାରଣଙ୍କର ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଥିଲା । ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ତାହା ପରବର୍ତୀ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ କରିନଥିଲା । ବନ୍ଦ ପାଳନ ଯୋଗୁଁ ବସ, ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଏହି କାରଣରୁ ସୋମବାର ପୂର୍ବତଟ ରେଳପଥର ୧୦ ଯୋଡା ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା । ଏତଦ୍ବ୍ୟତୀତ ବହୁ ଦୂରଗାମୀ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ବିଜେପି ସରକାର ତୈଳଦରକୁ ଯେଭଳି ବେଲଗାମ ଭାବେ ବୃଦ୍ଧି ହେବାକୁ ଛାଡି ଦେଇଛନ୍ତି, ତାକୁ ବିରୋଧ କରିଥିଲେ ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦପାଳନ ସମୟରେ କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ । ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ, କୌଣସି ଜରୁରୀ କାମରେ ଯାଉଥିବା ବ୍ୟକ୍ତି, ଭିନ୍ନକ୍ଷମଙ୍କ ଯାତ୍ରାରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବାକୁ କଂଗ୍ରେସର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ୍ ଖୋଲାଯାଇଥିଲା । ଯାନବାହନ ଚଳାଚଳ ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ ଆଦି ବନ୍ଦ ରହିଥିଲା । ସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ଉପସ୍ଥାନ ନଗଣ୍ୟ ରହିଥିଲା । ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

କଂଗ୍ରେସର ବନ୍ଦ ଡାକରାକୁ ମିଳିଥିବା ଅଭୂତପୂର୍ବ ସମର୍ଥନରୁ ସ୍ପଷ୍ଟ ଭାବରେ ଜଣାଯାଇଛି ଯେ ତୈଳ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କ ପ୍ରତି ସାଧାରଣରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଛି । ଏଭଳି ଶାନ୍ତିପୂର୍ଣ୍ଣ ବନ୍ଦପାଳନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରଥମ ଥର ପାଇଁ କଂଗ୍ରେସ କର୍ମୀମାନେ ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଥିଲେ । ସେମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ କୌଣସି ଜୋର ଜବରଦସ୍ତି ନ କରି ସେମାନଙ୍କୁ ଗୋଲାପ ଫୁଲ ଦେଇ ବନ୍ଦକୁ ସମର୍ଥନ ଜଣାଇବାକୁ ନିବେଦନ କରିଥିଲେ ।

ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାଷ୍ଟରକ୍ୟାଂଟିନ ଛକରେ ପିକେଟିଂ କରିବାପରେ ବିଧାନସଭା ସମ୍ମୁଖକୁ ଯାଇ ବିଧାୟକମାନେ ବିଧାନସଭା ନଯିବାକୁ ସେମାନଙ୍କୁ କହିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ଦଳୀୟ ବିଧାୟକ ତାରାପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ । ସେହିଭଳି ଏଜି ଛକରେ ଏଆଇସିସି ପ୍ରଚାର କମିଟି ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିରୋଧୀଦଳ ନେତା ନରସିଂହ ମିଶ୍ର, ଓଡ଼ିଶା ପିସିସିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ତାରାପ୍ରସାଦ ବାହିନୀପତି ଓ ଅଂଶୁମାନ ମହାନ୍ତି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ, ସାଧାରଣ ସମ୍ପାଦକ ସଂଗ୍ରାମକେଶରୀ ଜେନା, ଓଡ଼ିଶା ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ସମ୍ପାଦକ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପିକେଟିଂ କରିଥିଲେ ।

ମାଷ୍ଟରକ୍ୟାଂଟିନ ଛକରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ଏଆଇସିସିର ଅନିଲ ଚୌଧରୀ, ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ସତ୍ସଙ୍ଗ ବିହାରଠାରେ ପୂର୍ବତନ ଛାତ୍ରକଂଗ୍ରେସ ସଭାପତି ଇତିଶ ପ୍ରଧାନ ରହି ପିକେଟିଂ କରିବା ସହିତ ତୈଳଦର ବୃଦ୍ଧିକୁ ବିରୋଧ କରିଥିଲେ । କଂଗ୍ରେସର ବନ୍ଦ ଡାକରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପଛପଟ ଗେଟ ବାଟେ ବିଧାନସଭା ମଧ୍ୟକୁ କଡା ସୁରକ୍ଷା ମଧ୍ୟରେ ପ୍ରବେଶ କରିଥିଲେ ।

କଟକ, ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ପୋଲିସ କମିଶନର ସତ୍ୟଜିତ ମହାନ୍ତି ବିଭିନ୍ନ ସ୍ଥାନ ଗସ୍ତକରି ନିଜେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ । ପୋଲିସ ଏଜି ଛକରେ ପିକେଟିଂ କରୁଥିବା ଏଆଇସିସି ପ୍ରଚାର କମିଟି ସଦସ୍ୟ ଭକ୍ତଚରଣ ଦାସଙ୍କ ସମେତ ୫୦ ଜଣଙ୍କୁ ଗିରଫ କରିନେଇଥିଲା । ଏହା ପୂର୍ବଦିନ କଂଗ୍ରେସ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟରସାଇକେଲ ଶୋଭାଯାତ୍ରାରେ ଯାଇ ବନ୍ଦ ସପକ୍ଷରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ଶାନ୍ତିପୂର୍ଣ୍ଣ ଭାବରେଏହି ବନ୍ଦ ପାଳନ କରାଯାଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ, କର୍ମୀ, ଶୁଭେଚ୍ଛୁ ଏବଂ ରାଜ୍ୟବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ଆଗାମୀ ନିର୍ବାଚନ ବିଜେପି ପାଇଁ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ