Connect with us

ଦେଶ

ଇଭିଏମ୍ ପୂର୍ବରୁ ଭିଭିପ୍ୟାଟ୍ ଗଣତି ନେଇ ବିରୋଧୀଙ୍କ ଆବେଦନକୁ ନିର୍ବାଚନ କମିଶନଙ୍କ ଅଗ୍ରାହ୍ୟ

ସାଙ୍କେତିକ

ଇଭିଏମ୍ ପୂର୍ବରୁ ଭିଭିପ୍ୟାଟ୍ ଗଣତି ନେଇ ବିରୋଧୀଙ୍କ ଆବେଦନକୁ ନିର୍ବାଚନ କମିଶନଙ୍କ ଅଗ୍ରାହ୍ୟ
ନୂଆଦିଲ୍ଲୀ,୨୨ ମଇ – ଭୋଟ୍ ଗଣତି ପାଇଁ ଇଭିଏମ୍ ଖୋଲିବା ପୂର୍ବରୁ ଭିଭିପ୍ୟାଟ୍ ପେପର୍ ସ୍ଲିପ୍ କୁ ପ୍ରଥମେ ଗଣତି କରିବାକୁ ବିରୋଧୀ ଦଳଗୁଡ଼ିକ କରିଥିବା ଆବଦନକୁ ଆଜି ନିର୍ବାଚନ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି ।
ନିର୍ବାଚନ କମିଶନ କହିଛନ୍ତି, ଇଭିଏମ ଭୋଟ୍ ଗଣତି ପରେ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ଆସନ ପାଇଁ ଲଟେରି ସିଷ୍ଟମରେ ୫ଟି ବୁଥର ଭିଭିପ୍ୟାଟ୍ ସ୍ଲିପ୍ ଗଣାଯିବ । ଏନେଇ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଇଭିଏମ ଭୋଟିଂ ସରିବା ପରେ ହିଁ ଭିଭିପ୍ୟାଟ୍ ଚିରକୁଟ୍ ଗଣତି ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି ।
ଗତକାଲି ଦେଶର ୨୨ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ୍ ଗଣତି ପୂର୍ବରୁ ଭିଭିପ୍ୟାଟ୍ ସ୍ଲିପ୍ ଗଣତି କରିବାକୁ ଦାବି କରିଥିଲେ । ଏଥିସହ ଯଦି ଗଣତି ବେଳେ ଇଭିଏମ ସହ ଭିଭିପ୍ୟାଟର ସଂଖ୍ୟା ମେଳ ନ ଖାଏ, ତା’ହେଲେ ପୂରା ବିଧାନସଭା ନିର୍ବାଚନମଣ୍ଡଳୀର ଭିଭିପ୍ୟାଟ୍ ସହ ଇଭିଏମ୍ ଭୋଟର ଗଣତି କରିବାକୁ ଦାବି କରିଥିଲେ । ବିରୋଧୀଙ୍କ ଏହି ଦାବି ପରେ ଆଜି ନିର୍ବାଚନ କମିଶନରେ ଥିବା ୩ ଜଣିଆ କମିଟି ଏହା ଉପରେ ତର୍ଜମା କରିଥିଲେ । ଶେଷରେ ବିରୋଧୀଙ୍କ ଦାବି ଅଗ୍ରାହ୍ୟ ହୋଇଯାଇଥିଲା ।
କମିଟି କହିଛନ୍ତି, ଯଦି ଇଭିଏମ ଭୋଟ୍ ସହ ଭିଭିପ୍ୟାଟ୍ ସ୍ଲିପ୍ ମେଳ ନ ଖାଇଲା, ତା’ହେଲେ ଭିଭିପ୍ୟାଟର ଭୋଟ୍ ହିଁ ଗଣତିରେ ସାମିଲ ହେବ । ନିର୍ବାଚନ ଆଇନ୍ ୫୬ଡି(୪)(ବି) ଅନୁଯାୟୀ ଏଭଳି ବ୍ୟବସ୍ଥା ରହିଛି । ଏଥିସହ ନିର୍ବାଚନ ଫଳାଫଳ ଭିଭିପ୍ୟାଟ୍ ଗଣତି ଆଧାରରେ ହିଁ ପ୍ରକାଶ ପାଇବ ।
ଇଭିଏମ ଟ୍ୟାମ୍ପରିଂ ବିବାଦ ପରେ ସୁପ୍ରିମକୋର୍ଟ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବୁଥର ଭିଭିପ୍ୟାଟକୁ ଭୋଟ୍ ଗଣତି ପରେ ଇଭିଏମ ସହ ମେଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ