Connect with us

ଦେଶ

ଆଉ ଏକ ମାଇଲଷ୍ଟୋନ୍ ହାସଲ କଲା ଇ-ନାମ୍

ସାଙ୍କେତିକ

ଆଉ ଏକ ମାଇଲଷ୍ଟୋନ୍ ହାସଲ କଲା ଇ-ନାମ୍
ନୂଆଦିଲ୍ଲୀ : ଇ-ନାମ୍ ବ୍ୟବସ୍ଥା କେବଳ ଏକ ଯୋଜନା ନୁହେଁ, ବରଂ ଏହା ଦେଶର କୃଷକମାନଙ୍କ ନିକଟରେ ପହଂଚିବା ଦିଗରେ ଏକ ସଫଳ ଯାତ୍ରା ଏବଂ କୃଷକମାନଙ୍କ ଉତ୍ପାଦନ, ବିକ୍ରୟ କ୍ଷେତ୍ରରେ ଏହା ଏକ ବିପ୍ଲବ ସୃଷ୍ଟି କରିବ ବୋଲି କୃଷି ଓ କୃଷକ କଲ୍ୟାଣ ବିଭାଗ ସଚିବ ସଞ୍ଜୟ ଅଗ୍ରୱାଲ କହିଛନ୍ତି । ନୂଆବର୍ଷ-୨୦୧୯ର ଶୁଭାରମ୍ଭ ସହ ପ୍ରଧାନମନ୍ତ୍ରୀଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଇ-ନାମ୍’ ଆଉ ଏକ ମାଇଲଷ୍ଟୋନ ହାସଲ କରିଛି । ରାଜ୍ୟ-ରାଜ୍ୟ ମଧ୍ୟରେ ମଣ୍ଡିମାନଙ୍କ ଭିତରେ ଏହି ବ୍ୟବସ୍ଥା ମାଧ୍ୟମରେ ଯୋଗାଯୋଗ ସ୍ଥାପନ କରାଯାଇ ପାରିଛି । ପୂର୍ବରୁ କେବଳ ଏପିଏମ୍ସି ମଧ୍ୟରେ ଏଭଳି ବାଣିଜ୍ୟ କାରବାର କରାଯାଇ ପାରୁଥିଲା କିମ୍ବା ଗୋଟିଏ ରାଜ୍ୟରେ ଥିବା ଦୁଇଟି ଏପିଏମ୍ସି ମଧ୍ୟରେ ଏଭଳି କାରବାର ପାଇଁ ବ୍ୟବସ୍ଥା ଥିଲା । ତେବେ ପ୍ରଥମ ଥରପାଇଁ ଟମାଟୋ କାରବାର କ୍ଷେତ୍ରରେ ଆନ୍ତଃରାଜ୍ୟ ବିପଣନ ସମ୍ଭବ ହୋଇଛି ।

ଉତରପ୍ରଦେଶର ବରେଲୀସ୍ଥିତ ଇ-ନାମ ଏପିଏମ୍ସି ଏବଂ ଉତରାଖଣ୍ଡର ହଲଦୱାନୀ ଇ-ନାମ ଏପିଏମ୍ସି ମଧ୍ୟରେ ଏହି କାରବାର ସମ୍ପନ୍ନ ହୋଇଛି । ସେହିଭଳି ଉତରାଖଣ୍ଡ ଓ ଉତରପ୍ରଦେଶର ଇ-ନାମ ମଣ୍ଡିମାନେ ଏବେ ଆଳୁ, ମୂଳା ଏବଂ ଫୁଲକୋବି କାରବାର ପାଇଁ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିଛନ୍ତି । ଏହି ସମସ୍ତ ଘଟଣାରେ ଇ-ନାମ ପୋର୍ଟାଲ ମାଧ୍ୟମରେ ଇ-ପେମେଂଟ କରାଯାଇଛି । ଏହାଦ୍ୱାରା କୃଷକମାନେ ଅଧିକ ସକ୍ରିୟ ଭାବେ ବଜାର ସୁବିଧା ହାସଲ କରିବେ ଏବଂ ଅଧିକରୁ ଅଧିକ କ୍ରେତା, ବ୍ୟବସାୟୀଙ୍କ ନିକଟରେ ପହଂଚିପାରିବେ । ପୁଣି ଇ-ନାମ ବ୍ୟବସ୍ଥା ସେମାନଙ୍କ ଦ୍ରବ୍ୟର ଅଧିକ ମୂଲ୍ୟ ପ୍ରଦାନର ସୁଯୋଗ ଦେବ । ରାଜ୍ୟମାନଙ୍କ ମଧ୍ୟରେ ଇ-ନାମ ଯୋଜନା ମାଧ୍ୟମରେ ବାଣିଜ୍ୟ କାରବାରକୁ ସୁଗମ କରିବା ସକାଶେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନେକଗୁଡ଼ିଏ ସମନ୍ୱୟ ବୈଠକର ଆୟୋଜନ କରିଥିଲା ।

ଏହି ବୈଠକରେ ଇ- ନାମ ଯୋଜନାଭୁକ୍ତ ରାଜ୍ୟ ଓ ମଣ୍ଡିବୋର୍ଡର ଅଧିକାରୀ/ ମଣ୍ଡି ସଚିବମାନେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ଓ ମତାମତ ପ୍ରକାଶ ପରେ ଉଭୟ ରାଜ୍ୟ ପରସ୍ପର ମଧ୍ୟରେ ବାଣିଜ୍ୟ ଲାଇସେନ୍ସ ବ୍ୟବସ୍ଥା ଆଦାନପ୍ରଦାନ ଏବଂ ଇ-ନାମ ପୋର୍ଟାଲ ଜରିଆରେ ବ୍ୟବସାୟ କରିବାକୁ ସହମତ ହୋଇଥିଲେ । ଇ-ନାମ ଅର୍ଥାତ ଜାତୀୟ କୃଷି ବଜାର ଏକ ସର୍ବଭାରତୀୟ ଇଲେକ୍ଟ୍ରୋନିକ ବାଣିଜ୍ୟ କାରବାର (ଇ-ଟ୍ରେଡିଂ ପୋର୍ଟାଲ) । ଏହା ବର୍ତମାନ କାର୍ଯ୍ୟ କରୁଥିବା ନିୟନ୍ତ୍ରିତ ପାଇକାରୀ ବଜାର (ଯାହାକି ଏପିଏମ୍ସି ମାର୍କେଟ ଭାବେ ପରିଚିତ) ସେଥିରେ ଏକ ଭର୍ଚୁଆଲ ପ୍ଲାଟଫର୍ମ ଏବଂ ନେଟ୍ୱାର୍କ ପ୍ରସ୍ତୁତ କରିଥାଏ । ଏହାଦ୍ୱାରା କୃଷିଜାତ ଦ୍ରବ୍ୟକୁ ସମନ୍ୱିତ ଭାବେ ଇ-ପ୍ଲାଟଫର୍ମ ଜରିଆରେ ଏକ ଜାତୀୟ ବଜାର ସୁବିଧା ମିଳିଥାଏ । ଇ-ନାମ ପ୍ଲାଟଫର୍ମରେ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଅନ୍ଲାଇନ୍ରେ ପ୍ରତିଯୋଗିତାମୂଳକ ତଥା ସ୍ୱଚ୍ଛ ମୂଲ୍ୟରେ ମାର୍କେଟିଂ ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ।

ଏହା ଏଭଳି ଏକ ମୂଲ୍ୟ ଆବିଷ୍କାର ବ୍ୟବସ୍ଥା ଓ ଅନ୍ଲାଇନ୍ ପେମେଂଟ ସୁବିଧା ଯାହା କୃଷକମାନଙ୍କୁ ବିଶେଷଭାବେ ସହାୟକ ହେବ । ଏହା ମାଧ୍ୟମରେ କୃଷି ଉତ୍ପାଦନର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ ହୋଇପାରିବ । ଇ-ନାମ ପୋର୍ଟାଲ ସମସ୍ତ ଏପିଏମ୍ସି ସଂପର୍କିତ ସୂଚନା ଓ ସେବାର ଏକ ସିଙ୍ଗଲ ୱିଣ୍ଡୋ ସେବା ବ୍ୟବସ୍ଥା । ଏଥିରେ କୃଷିଜାତ ସାମଗ୍ରୀର ଉପଲବ୍ଧତା, ଗୁଣାତ୍ମକ ମାନ, ମୂଲ୍ୟ, କ୍ରୟ ବିକ୍ରୟ ପ୍ରସ୍ତାବ ଏବଂ ଇ-ପେମେଂଟ କାର୍ଯ୍ୟ ସିଧାସଳଖ ଭାବେ ସମ୍ପନ୍ନ ହୋଇଥାଏ ଏବଂ କୃଷକମାନଙ୍କ ଜମାଖାତାରେ ଅର୍ଥ ଜମା ହୋଇଥାଏ । କୃଷକମାନେ ଇ-ନାମ ସଂପର୍କିତ ସୂଚନା ସେମାନଙ୍କ ମୋବାଇଲ ଫୋନ୍ ଜରିଆରେ ଯେ କୌଣସି ସ୍ଥାନରେ, ଯେ କୌଣସି ସମୟରେ ପାଇପାରିବେ ।

ଏହି ଅନ୍ଲାଇନ୍ ପ୍ଲାଟଫର୍ମ ମୂଲ୍ୟ ସୂଚନା ପ୍ରଦାନ କ୍ଷେତ୍ରରେ ଥିବା ବୈଷମ୍ୟକୁ ହ୍ରାସ କରିବା ସହ କୃଷକମାନଙ୍କୁ ସଂପ୍ରସାରିତ ଜାତୀୟ ବଜାର ସହ ସିଧାସଳଖ ଯୋଡ଼ିବାର ବ୍ୟବସ୍ଥା କରିଛି । ଏପର୍ଯ୍ୟନ୍ତ ୧୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ କ୍ଷେତ୍ରର ୫୮୫ଟି ନିୟନ୍ତ୍ରିତ ବଜାର ଇ-ନାମ ପ୍ଲାଟଫର୍ମରେ ନିଜକୁ ସାମିଲ କରିଛନ୍ତି ।

ସରକାର ୨୦୨୦ ମସିହା ମାର୍ଚ୍ଚ ମାସ ସୁଦ୍ଧା ଏଥିରେ ଅତିରିକ୍ତ ୪୧୫ଟି ନିୟନ୍ତ୍ରିତ ମାର୍କେଟକୁ ଯୋଡ଼ିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏହାତିରିକ୍ତ ଇ-ନାମ ପୋର୍ଟାଲ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଲଜିଷ୍ଟିକ୍ସ ସେବା ସଂପର୍କୀତ ସକଳ ପ୍ରକାର ସୂଚନା ଯୋଗାଇ ଆସୁଛି । ଯାହାକି କୃଷିଜାତ ଦ୍ରବ୍ୟର ପରିବହନ ଓ ବାଣିଜ୍ୟରେ ସହାୟକ ହେଉଛି । ଇ-ନାମ ପ୍ଲାଟଫର୍ମର ଏକ ଆନ୍ତଃରାଜ୍ୟ ଡାସବୋର୍ଡର ବିକାଶ ଘଟାଯାଇଛି, ଯାହା ଇ-ନାମ ପରିସରଭୁକ୍ତ ରାଜ୍ୟମାନଙ୍କ ମଧ୍ୟରେ ଆନ୍ତଃରାଜ୍ୟ ବାଣିଜ୍ୟ କାରବାରକୁ ସୁଗମ କରିବା ନିମନ୍ତେ ଉଦ୍ଦିଷ୍ଟ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ