Connect with us

ଦେଶ

ନୂଆ ଖଣ୍ଡପୀଠରେ ହେବ ଅଯୋଧ୍ୟା ମାମଲା ଶୁଣାଣି

ସାଙ୍କେତିକ

ନୂଆ ଖଣ୍ଡପୀଠରେ ହେବ ଅଯୋଧ୍ୟା ମାମଲା ଶୁଣାଣି
ନୂଆଦିଲ୍ଲୀ :- ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ତିନିଜଣିଆ ଖଣ୍ଡପୀଠ ଗଠନ କରାଯିବ । ଆସନ୍ତା ୧୦ ତାରିଖରେ ନୂଆ ଖଣ୍ଡପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ଆରମ୍ଭ ହେବ । ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୦, ସେପ୍ଟେମ୍ବର ୩୦ ତାରିଖରେ ଅଯୋଧ୍ୟା ରାମ ଜନ୍ମଭୂମି – ବାବ୍ରି ମସଜିଦ୍ ମାମଲାର ଶୁଣାଣି ଅବସରରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମି ହିଁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ରାୟ ଦେଇଥିଲେ । ଏଥିସହିତ ୨.୭୭ ଏକର ବିବାଦୀୟ ଜମିକୁ ନିର୍ମୋହି ଆଖଡା, ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡ ଓ ରାମଲାଲା ଟ୍ରଷ୍ଟ ମଧ୍ୟରେ ସମାନ ଭାବରେ ବାଣ୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଭାରତ ସରକାର ବନାମ ଡ. ଇସମାଇଲ୍ ଫାରୁକ୍ଙ୍କ ମାମଲାରେ ୧୯୯୪ରେ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟ ଆଧାରରେ ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଉପରୋକ୍ତ ରାୟ ଦେଇଥିଲେ । ତେଣୁ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟର ଉପଯୁକ୍ତ ତର୍ଜମା ହୋଇନଥିବା ଦର୍ଶାଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୨୦୧୭ରେ ସୁପ୍ରିମକୋର୍ଟରେ ପୁଣି ଏକ ମାମଲା ଦାୟର ହୋଇଥିଲା । ୧୯୯୪ ରାୟର ତର୍ଜମା ପାଇଁ ୨୦୧୮ରେ ସୁପ୍ରିମକୋର୍ଟ ମନା କରି ଦେଇଥିଲେ । ମାମଲାର ତ୍ୱରିତ ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ପରିଷଦ ଦ୍ୱାରା ହୋଇଥିବା ଆବେଦନକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ, ବିଚାରପତି ଏସ କେ କୌଲ ଓ କେ ଏମ ଜୋଶେଫଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଗତବର୍ଷ ଅକ୍ଟୋବର ୨୯ ତାରିଖରେ ଖାରଜ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଥିଲେ ।

ଏହାପୂର୍ବରୁ ସେପ୍ଟେମ୍ବର ୨୭ରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ମାମଲାର ଶୁଣାଣି କରି ୧୯୯୪ର ଏକ ରାୟକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇବାକୁ ମନା କରିଥିଲେ । ଏହାସହିତ ମସଜିଦ ଇସଲାମର ଅଭିନ୍ନ ଅଙ୍ଗ ନୁହେଁ ବୋଲି କହିଥିଲେ । ସୂଚନାଥାଉ କି, ୧୯୯୨ ଡିସେମ୍ବର ୬ରେ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦକୁ ଭାଙ୍ଗି ଦିଆଯାଇଥିଲା । ଏଥିରେ ଅପରାଧିକ ଓ ଦେୱାନୀ ମୋକଦ୍ଦମା ମଧ୍ୟ ଚାଲିଥିଲା ।

୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ଜମିର ତିନି ଭାଗ ହିନ୍ଦୁଙ୍କୁ ଦେଇଥିଲେ, ଯେଉଁଠାରେ ଏବେ ରାମଲାଲା ପୂଜା ପାଉଛନ୍ତି । ଅନ୍ୟ ଭାଗ ନିର୍ମୋହୀ ଆଖଡା ଓ ତୃତୀୟ ଭାଗକୁ ସୁନ୍ନୀ ସେଣ୍ଟ୍ରାଲ ବୋର୍ଡକୁ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ପ୍ରାୟ ୧୪ଟି ମାମଲା ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ୨୦୧୧ ମେ ୯ରେ ସୁପ୍ରିମକୋର୍ଟ ତଳ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ