Connect with us

ଦେଶ

ମଧ୍ୟପ୍ରଦେଶରେ ୬୫%

ସାଙ୍କେତିକ ଚିତ୍ର

ମଧ୍ୟପ୍ରଦେଶରେ ୬୫% ଓ ମିଜୋରାମରେ ୭୧% ମତଦାନ
ଆଇଜଲ / ଭୋପାଳ,୨୮ା୧୧ : ମିଜୋରାମ୍ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମଧ୍ୟପ୍ରଦେଶରେ ସଂଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ସେହିପରି ମିଜୋରାମରେ ୭୧ ପ୍ରତିଶତ ମତଦାନ ହୋଇଛି । ଉଭୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍, ରାଜ୍ୟ କଂଗ୍ରେସ ମୁଖ୍ୟ କମଳନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜ୍ୟ ବିଜେପି ମୁଖ୍ୟ ରାକେଶ ନାଥ ତଥା ରାଜ୍ୟର ବହୁ ମନ୍ତ୍ରୀ ମତଦାନ କରିଥିଲେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭିଏଲ୍ କାନ୍ତାରାଓ କହିଛନ୍ତି ଯେ, ପ୍ରାୟ ୧୦୦ଟା ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଖରାପ ହେବାର ଖବର ମିଳିଥିଲା ପରେ ସେହି ମେସିନ୍ ଗୁଡିକୁ ତୁରନ୍ତ ବଦଳାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ୩ଜଣ ପୁଲିଂ ଅଫିସରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଖବର ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ଗୁନାଠାରେ ଓ ଅନ୍ୟ ଦୁଇଜଣଙ୍କର ଇନ୍ଦୋରଠାରେ ମୃତ୍ୟୁ ହୋଇଛି । ମୃତ ଅଫିସରମାନଙ୍କ ପରିବାର ବର୍ଗଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀକାନ୍ତା ରାଓ କହିଛନ୍ତି । ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ମୋଟ ୨୦୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

କଂଗ୍ରେସ ଓ ଏମ୍ଏନ୍ଏଫ୍ ୪୦ଜଣ ଲେଖାଏଁ ଛିଡା କରାଇଥିବା ବେଳେ ବିଜେପି ୩୯ଜଣ ଓ ଜେପିଏମ୍ ୩୮ଜଣ ପ୍ରାର୍ଥୀ ଛିଡା କରାଇଛି । ଜେପିଏମ୍ ପ୍ରାର୍ଥୀମାନେ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ମଧ୍ୟପ୍ରଦେଶରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । କଂଗ୍ରେସ ୨୨୯ଟି ଆସନରେ ପ୍ରାର୍ଥୀ ଛିଡା କରାଇଥିବା ବେଳେ ଗୋଟିଏ ଆସନ ଲୋକତାନ୍ତ୍ରିକ ଜନତା ଦଳକୁ ଛାଡିଦେଇଛି । ବିଏସପି ୨୨୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସମାଜବାଦୀ ପାର୍ଟି ୫୨ଟି ଆସନରେ ପ୍ରାର୍ଥୀ ଛିଡା କରାଇଛି ।

ଆମ୍ ଆଦମୀ ପାର୍ଟି ପ୍ରଥମଥର ପାଇଁ ମଧ୍ୟପ୍ରଦେଶ ନିର୍ବାଚନ ଲଢ଼ୁଛି । ପାର୍ଟି ୨୦୮ଟି ଆସନରୁ ପ୍ରାର୍ଥୀ ଛିଡା କରାଇଛି । ଆସନ୍ତା ୧୧ ତାରିଖରେ ଅନ୍ୟ ତିନୋଟି ରାଜ୍ୟ ସହିତ ଏହି ଦୁଇ ରାଜ୍ୟର ଫଳାଫଳ ପ୍ରକାଶ ପାଇବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ