Connect with us

ଦେଶ

ବିଶ୍ୱ ଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ରାଜ୍ୟପାଳ

ସାଙ୍କେତିକ

ବିଶ୍ୱ ଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ରାଜ୍ୟପାଳ
ଭୁୁବନେଶ୍ୱର, ୧୬ ଜୁଲାଇ – ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଶ୍ରୀ ହରିଚନ୍ଦନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ଅନୁସୂୟା ଉଇକେଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ହରିଚନ୍ଦନ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଏହି ଦାୟିତ୍ୱ ପାଇବା ପରେ ସେ ଓଡିଶା – ଆନ୍ଧ୍ର ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିବେ । ଏହାସହ ନିଯୁକ୍ତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ।
୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ଦୀର୍ଘବର୍ଷ ଧରି ଜନସଂଘ ଓ ବିଜେପି ସହ ଜଡ଼ିତ ଅଛନ୍ତି । ସେ ବିଜୁ ପଟ୍ଟନାୟକଙ୍କ ସରକାରରେ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।
୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମିତ ଶ୍ରୀ ହରିଚନ୍ଦନ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ ।୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ହୋଇଥିଲେ ।
ସେ ଚିଲିକା ଏବଂ ଭୁବନେଶ୍ୱରରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି । ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଂଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଏହା ବ୍ୟତୀତ ସେ ରାଜସ୍ୱ , ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଅ।ଏନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
ଶ୍ରୀ ହରିଚନ୍ଦନ ମଧ୍ୟ “ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା ଓ ମାନସୀ ଭଳି ଅନେକ ପୁସ୍ତକ ରଚନା କରିଛନ୍ତି । ଅନଶୁୟା ୟୁକି ମଧ୍ୟ ଛତିଶଗଡ ରାଜ୍ୟପାଳ ରୂପେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ