Connect with us

ଅପରାଧ

ପୂର୍ବତନ ଆନନ୍ଦପୁର ବ୍ଲକ୍ ଅଧ୍ୟକ୍ଷଙ୍କୁ ହତ୍ୟା

ସାଙ୍କେତିକ

ଘସିପୁରାରେ ନିର୍ବାଚନୀ ହିଂସା
ପୂର୍ବତନ ଆନନ୍ଦପୁର ବ୍ଲକ୍ ଅଧ୍ୟକ୍ଷଙ୍କୁ ହତ୍ୟା
ପତିଆରା ହ୍ରାସ ହତ୍ୟାକାଣ୍ଡର ମୂଳ କାରଣ
କେନ୍ଦୁଝର, ୨୬ ମାର୍ଚ୍ଚ – କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କ ଧକୋଠା ସ୍ଥିତ ବାସଭବନ ସମ୍ମୁଖରେ ଗତକାଲି ରାତିରେ କେତେକ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଦୁର୍ବୃତମାନେ ଅତି ନର୍ମମ ଭାବେ ତାଙ୍କର ଦୁଇ ହାତ ଓ ଦୁଇ ଗୋଡକୁ ହାଣି ପକାଇଥିଲେ । ଏପରିକି ତାଙ୍କର ଗୋଟିଏ ହାତକୁ ସେମାନେ କାଟି ନେଇ ଯାଇଥିଲେ । ଦୁର୍ବୃତମାନେ ଏତେ ନୃଶଂସ ଭାବେ ତାଙ୍କୁ ହାଣି ଥିଲେ ଯେ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଅନ୍ୟ ହାତଟି ଓ ଗୋଡ ଦୁଇଟି କେବଳ ଶରୀରରେ ଓହଳି ରହିଥିଲା । ଦୁର୍ବୃତମାନେ ନେଇ ପଳାଇଥିବା କଟା ହାତଟି ନ ମିଳିବା ପର୍ଯ୍ୟନ୍ତ ଶବ ସତ୍କାର କରାଯିବ ନାହିଁ ବୋଲି ଚେତାବନୀ ଦେଇ ସ୍ଥାନୀୟ ଲୋକମାନେ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପୋଲିସ ଅନେକ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ଆକ୍ରମଣର କାରଣ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରି ନଥିଲେ ମଧ୍ୟ ସ୍ଥାନୀୟ ଘସିପୁରା ଥାନା ଅନ୍ତର୍ଗତ ବଡଏକତାଳି ଓ କୁଣ୍ଡାକୋଟ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି । କୁଣ୍ଡାକୋଟ ଗ୍ରାମର ମୂଳ ବାସୀନ୍ଦା ରାମଚନ୍ଦ୍ର ଏହି ଗଣ୍ଡଗୋଳରେ ମଧ୍ୟସ୍ଥତା କରି ସମାଧାନ କରିବାକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ପତିଆରା ହ୍ରାସ ଆଶଙ୍କାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆନନ୍ଦପୁର ବ୍ଳକ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ଧକୋଠା ଅଂଚଳରେ ବେଶ୍ ଦବଦବା ରହିଥିଲା । ଗତ ୨୦୧୪ ବିଧାନସଭା ନିର୍ବଚନରେ ସ୍ୱାଧିନ ଭାବେ ସେ ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଥିଲେ । ତେବେ ଗତ କିଛି ବର୍ଷ ହେବ ଅସୁସ୍ଥତା କାରଣରୁ ରାଜନୀତିରେ ସେ ସକ୍ରିୟ ନଥିଲେ । ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ସହ ହାତ ମିଳାଇ ବିଜେଡି ଦଳରେ ଯୋଗ ଦେବାର ନିଷ୍ପତି ନେଇଥିଲେ । ରାମଚନ୍ଦ୍ରପୁର ଥାନାର ବଡପଦନା ଠାରେ ମଙ୍ଗଳବାର ଦିନ ତାଙ୍କର ବଦ୍ରୀଙ୍କ ସହ ହାତ ମିଳାଇ ସମର୍ଥକ ମାନଙ୍କ ସହ ବିଜେଡିରେ ଯୋଗଦାନର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଯାଇଥିଲା । ହେଲେ ସୋମବାର ଦିନ ରାତ୍ରୀ ପ୍ରାୟ ୧୦ଟା ସମୟରେ ସଂପୃକ୍ତ ଦୁଇ ଗ୍ରାମର ଗଣ୍ଡଗୋଳକୁ ଆଳକରି ରାମଚନ୍ଦ୍ରଙ୍କୁ ତାଙ୍କ ଘରୁ ଡାକି ନେଇ ଅତ୍ୟନ୍ତ ବିଭତ୍ସ ଭାବେ ଦୁର୍ବୃତ ମାନେ ତାଙ୍କର ହାତ ଗୋଡକୁ ହାଣି ହତ୍ୟା ଉଦ୍ୟମ କରିଥିଲେ । ରାମଚନ୍ଦ୍ର ବେହେରା ବିଜେଡି ଦଳରେ ଯୋଗ ଦେଲେ କାଳେ ଦଳରେ ସେମାନଙ୍କର ପ୍ରଭାବ ହ୍ରାସ ପାଇବ ସେହି ଆଶଙ୍କାରେ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ସୂଚନା ମିଳିଛି । ଯାହାକି ପରିବାର ସଦସ୍ୟଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି । ଏପରିକି ରାମଚନ୍ଦ୍ରଙ୍କୁ କଟକ ନିଆଯାଉଥିବା ବାଟରେ ସେ ଆକ୍ରମଣକାରୀ ମାନଙ୍କର ନାମ ପ୍ରକାଶ କରିଥିବା ଜଣାପଡିଛି । ଏହି ଘଟଣାରେ ପ୍ରାୟ ୧୨/୧୪ ଜଣ ସଂପୃକ୍ତ ଥିଲେ । ଇତିମଧ୍ୟରେ ପୋଲିସ ପକ୍ଷରୁ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୋଗରେ ଅଶୋକ ପୃଷ୍ଟି, ଅଜିତ ପୃଷ୍ଟି ଓ ସଞ୍ଜିତ ପୃଷ୍ଟିଙ୍କୁ ଗିରଫ କରାଯାଇଛି । ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପୋଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ