Connect with us

ଓଡିଶା

“ଧାନର ଅଭାବୀ ବିକ୍ରୀକୁ ନେଇ ଚାଷୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ଦାୟୀ’:-କଂଗ୍ରେସ

ସାଙ୍କେତିକ ଚିତ୍ର

“ଧାନର ଅଭାବୀ ବିକ୍ରୀକୁ ନେଇ ଚାଷୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ଦାୟୀ’

ଭୁବନେଶ୍ୱର,୧୦ା୧୨: ରାଜ୍ୟର ଚାଷୀମାନଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ଏବଂ ଚାଷୀଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିରୋଧି ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତି ଓ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋର ଉଦବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିିଥିଲେ ।

ଚାଷୀଙ୍କ ସମସ୍ୟା ନେଇ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି । ଓଡିଶାରେ ଦୀର୍ଘ ଦିନ ଧରି ଶାସନ କରୁଥିବା ଏକ ଦଳ କିଭଳି ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ତାହା ବର୍ତମାନ ମଣ୍ଡିରେ ପ୍ରଦାନ କରାଯାଉଥିବା ମୂଲ୍ୟ ହିଁ ନିରୂପଣ କରୁଛି । ବର୍ତମାନ ସୁଦ୍ଧା ସବୁ ଜାଗାରେ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀ ବାଧ୍ୟ ହୋଇ ଅସାଧୁ ବ୍ୟବସାୟୀଙ୍କୁ ଅପେକ୍ଷାକୃତ କମ୍ ଦାମରେ ଧାନ ଦେବାକୁ ବାଧ୍ୟ ହେଉଛନ୍ତି । ଧାନର ଅଭାବୀ ବିକ୍ରୀକୁ ନେଇ ଚାଷୀକୂଳ ହନ୍ତସନ୍ତ ହେଉଥିବା ବେଳେ ସରକାର ମିଲରଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସ୍ଥିରୀକୃତ ସହାୟକ ମୂଲ୍ୟ ୧୭୫୦ ଟଙ୍କା ଠାରୁ ୩୦୦ ଟଙ୍କା କମ୍ ମୂଲ୍ୟରେ ଧାନ ବିକ୍ରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କେନ୍ଦ୍ର ସରକାର ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ଅଣଦେଖା କରି ଧାନର ସହାୟକ ମୂଲ୍ୟ ଦେଢଗୁଣା ବୃଦ୍ଧି କରିବାରେ ବିଫଳ ହୋଇଥିବା ବେଳେ ବର୍ତମାନ ଧାର୍ଯ୍ୟ ହୋଇଥିବା ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଯାହାକୁ ନେଇ ଓଡିଶାର ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ଶହ ଶହ କୋଟି ଖର୍ଚ୍ଚ କରି ହକିରେ ମାତିଥିବା ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।

ତିତଲି ବାତ୍ୟା ସମୟରେ ହୋଇଥିବା ଫସଲ କ୍ଷୟକ୍ଷତିର ଭରଣା ହେଉ ଅବା ଚାଷୀକୂଳକୁ ସର୍ବସ୍ୱାନ୍ତ କରୁଥିବା ଚକଡା ପୋକର ନିଦାନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପାଇଲେ ନାହିଁ । ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନ୍ସନ୍ ଦାବି ନେଇ କୃଷକମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସମ୍ବେଦନହୀନ ରାଜ୍ୟ ସରକାର ଟର୍ମ ଅଫ୍ ରେଫରେନସ୍ ଆଳରେ ଚୁପ୍ ବସିଛନ୍ତି । ବିଧାନସଭାରେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନାକୁ ଡରି ପଳାୟନପନ୍ଥୀ ସରକାର ଧାର୍ଯ୍ୟ ସମୟର ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିଧାନସଭାକୁ ବନ୍ଦ କରିବା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା