Connect with us

ଓଡିଶା

୫-ଟି କାର୍ଯ୍ୟକ୍ରମରେ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

୫-ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଡାକ୍ତରଙ୍କ ପାଇଁ ୧୦ ଲକ୍ଷ, ଅନ୍ୟ କର୍ମଚାରୀଙ୍କ ପାଇଁ ୫ ଲକ୍ଷ
ଭୁବନେଶ୍ୱର,୨୮ ଅକ୍ଟୋବର – ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରୁଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ ଓ ଅନ୍ୟ କର୍ମଚାରୀମାନ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସେମ୍ବଦନଶୀଳ ଭାବରେ ରୋଗୀ ମାନଙ୍କର ଯତ୍ନ ନେଉଛନ୍ତି । ତେଣୁ ଏହି ନଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରିଛନ୍ତି । ଏହା ସହିତ ଭଲ କାମ କରୁଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯିବ ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସର୍ବୋଚ୍ଚ ପୁରସ୍କାର ଭାବରେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ ଜଣ ଡାକ୍ତରଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଡାକ୍ତରଙ୍କ କ୍ଷେତ୍ରରେ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଥିବା ବେଳେ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙକ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ମାନଙ୍କର ଏକ କମିଟି ଏହି ପୁରସ୍କାର ନିମନ୍ତେ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବେ ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରୀ କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତୀ ଉଚ୍ଚପଦବୀକୁ ପଦୋନ୍ନତି ଦିଆଯିବ । ଏଥିପାଇଁ ସେ ସର୍ବନିମ୍ନ ୨୫ ବର୍ଷ ସ୍ଥାୟୀ ଚାକିରୀ କରିଥିବା ଆବଶ୍ୟକ ।
ସେହିପରି ନେସନାଲ କ୍ୱାଲିଟି ଏକ୍ରିଡେସନ ଷ୍ଟାଣ୍ଡାର୍ଡ଼ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ ଭାବରେ ପରବର୍ତୀ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ।
କାୟାକଳ୍ପ ପ୍ରମାଣ ପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କୁ ଠାରୁ ଆରମ୍ଭ କରି ନିରାପତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।
ଲକ୍ଷ୍ୟ ପ୍ରମାଣ ପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ପରବର୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।
ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀ ମାନଙ୍କର ମତାମତକୁ ଭିତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡ଼ିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ତା ସହିତ ବର୍ଷ ସାରା ଭଲ କାମ କରିଥିବା ସ୍ଥାୟୀ ମେଡ଼ିକାଲ କର୍ମଚାରୀ ମାନଙ୍କୁ ଏଲ.ଟି.ସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ ।
ପ୍ରସବ ଓ ତଦ୍ଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।
ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ଆମର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକୁ ନେସନାଲ ଲେଭେଲ କ୍ୱାଲିଟି ଏକ୍ରିଡେସନ ହାସଲ ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କର ସଫଳତାର ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା