Connect with us

ଓଡିଶା

୫ରୁ ଖରିଫ ଧାନ ସଂଗ୍ରହ ୩ଦିନରେ ଚାଷୀଙ୍କୁ ମିଳିବ ଟଙ୍କା

ସାଙ୍କେତିକ ଚିତ୍ର

୫ରୁ ଖରିଫ ଧାନ ସଂଗ୍ରହ
୩ଦିନରେ ଚାଷୀଙ୍କୁ ମିଳିବ ଟଙ୍କା
ଭୁବନେଶ୍ୱର,୩୧ା୧୦ : ଆସନ୍ତା ୫ ତାରିଖରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ । ବରଗଡ ଓ କଳାହାଣ୍ଡି ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଚଳିତ ବର୍ଷ ୫୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରୁ ୩୭ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହେବ ।

ପଞ୍ଜିକୃତ ଚାଷୀଙ୍କ ଠାରୁ ଅଧିକ ଧାନ ଆସିଲେ ତାକୁ ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ଧାନ ବିକ୍ରିର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କ ପ୍ରାପ୍ୟ ଜମାହେବ । ସର୍ବାଧିକ ତିନିଦିନ ମଧ୍ୟରେ ଚାଷୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇବେ ତା’ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀ, ଭାଗ ଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ଚାଷୀ ଅମଳ କରୁଥିବା ଧାନରୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିମନ୍ତେ ବର୍ଷକର ଖାଦ୍ୟ ପାଇଁ ମୁଣ୍ଡପିଛା ୩ କ୍ୱିଣ୍ଟାଲ ରଖି ବଳାକା ଧାନ ବିକ୍ରି କରିବା ବ୍ୟବସ୍ଥା ଥିଲା । ଏଥର ତାହା ଉଠାଇ ଦିଆଯାଇଛି । ଏହାଦ୍ୱାରା ଅଧିକ ସଂଖ୍ୟାରେ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ପୂର୍ବରୁ ଗତ ମାସରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୦୧୮-୧୯ ଖାଦ୍ୟ ଓ ସଂଗ୍ରହ ନୀତିକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲା । ତେବେ ଚଳିତ ବର୍ଷ ସଂଗୃହୀତ ହେବାକୁ ଥିବା ୩୭ଲକ୍ଷ ମେଟ୍ରିକ ଟନ ଚାଉଳରୁ ୨୩ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯିବ । ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ । ଖାଦ୍ୟ ନିଗମ ଏହାକୁ ବାହାର ରାଜ୍ୟକୁ ସେମାନଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର ପାଇଁ ପଠାଇବେ । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ନଭେମ୍ବରରୁ ୨୦୧୯ ଏପ୍ରିଲ ପର୍ଯ୍ୟନ୍ତ ଖରିଫ ଧାନ ଏବଂ ୨୦୧୯ ମେ’ରୁ ଜୁନ୍ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ କରାଯିବ ।

ଭାରତ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଅନୁଯାୟୀ ଚାଷୀ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ଏବଂ ଗ୍ରେଡ ଏ’ ଧାନ ପିଛା ୧୭୭୦ ଟଙ୍କା ପାଇବେ । ଅନଲାଇନ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ । ଏଥର ପୂର୍ବବର୍ଷ ପରି ରାଜ୍ୟର ସମସ୍ତ ୩୦୮ଟି ଧାନ ସଂଗ୍ରହକାରୀ ବ୍ଲକରେ ସଂଗ୍ରହ ପ୍ରକ୍ରିୟା ପି-ପାସ ମାଧ୍ୟମରେ ପରିଚାଳିତ ହେବ । ଅଭାବୀ ଧାନ ସଂଗ୍ରହକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସଂଗ୍ରହକାରୀ ସଂସ୍ଥାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ବର୍ଷର ଶତ ପ୍ରତିଶତ ଚାଉଳ ଫେରସ୍ତ କରିନଥିବା ମିଲରଙ୍କୁ ଏଥର ଧାନ ସଂଗ୍ରହ ବ୍ୟବସ୍ଥାରୁ ବାଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

ଗତ ଧାନ ସଂଗ୍ରହ ବର୍ଷ (୨୦୧୭-୧୮)ରେ ୫୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ମରୁଡି, ଅଦିନିଆ ବର୍ଷା ପାଇଁ ଧାନ ସଂଗ୍ରହ ପ୍ରଭାବିତ ହେବା ଯୋଗୁଁ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନଥିଲା । ଏହିବର୍ଷ ୪୯.୦୬ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗୃହୀତ ହୋଇଥିଲା । ଏଥିରୁ ୩୩.୨୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉପଲବ୍ଧ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା