Connect with us

ଆଞ୍ଚଳିକ

ତିତଲୀ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ସାଙ୍କେତିକ ଚିତ୍ର

ତିତଲୀ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା
ଭୁବନେଶ୍ୱର,୩୧ା୧୦ : ୨୦୧୮ ଅକ୍ଟୋବର ୧୧ ଓ ୧୨ ତାରିଖରେ ଭୀଷଣ ସାମୁଦ୍ରିକ ଝଡ଼ ତିତିଲି ଯୋଗୁ ବିଭିନ୍ନ ସ୍ଥାନରେ ଚାଷୀ ଓ ଅନ୍ୟାନ୍ୟ କ୍ଷେତ୍ରର ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ପାଇଁ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିଛନ୍ତି ।

କୃଷି ଇନପୁଟ ସବସିଡ଼ି – ୩୩ ପ୍ରତିଶତ ବା ଅଧିକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅଣ-ଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଏବଂ ନିଶ୍ଚିତ ଜଳସେଚିତ ଜମି କ୍ଷେତ୍ରରେ ହେକ୍ଟର ପିଛା ୧୩,୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛିା ୧୮,୦୦୦ ଟଙ୍କା । ଏହି ସହାୟତା ପ୍ରକୃତ ଚାଷୀଙ୍କୁ ହିଁ ଦିଆଯିବ । ଏହି ରିହାତି ସବୁ ଦିନିଆ ଫସଲ କ୍ଷେତ୍ରରେ କୌଣସି ଚାଷୀଙ୍କ ପାଇଁ ୨୦୦୦ ଟଙ୍କାରୁ କମ୍ ହେବ ନାହିଁ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କାରୁ କମ୍ ହେବ ନାହିଁ । ୨୦୧୮-୧୯ ରବି ଫସଲ ପାଇଁ ତିତିଲ ପ୍ରଭାବିତ ଅଂଚଳ ଚାଷୀମାନଙ୍କୁ ୧ ଲକ୍ଷ ୨୦ ହଜାର ଡାଲି ଜାତୀୟ ଶସ୍ୟବୀଜ, ୩୦,୦୦୦ ତୈଳବୀଜ ମିନି କିଟ୍ ଏବଂ ୫୦,୦୦୦ ପନିପରିବା ମଞ୍ଜିର କିଟ୍ – ଏହିପରି ସମୁଦାୟ ୨ ଲକ୍ଷ ସ୍ୱତନ୍ତ୍ର ମିନି କିଟ୍ ଯୋଗାଇ ଦିଆଯିବ ।

ରବି ଋତୁ ପାଇଁ ତିତିଲି ପ୍ରଭାବିତ ଜିଲ୍ଲା ମାନଙ୍କରେ ୨୦ ହଜାର ହେକ୍ଟର ଚାଷ ଜମିରେ ବିଭିନ୍ନ କୃଷି ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ । କାଜୁ, ଆମ୍ବ, ନଡ଼ିଆ, କିଆ, ରେଶମ ଆଦି ଚାଷ କ୍ଷେତ୍ରରେ ନଷ୍ଟ ହୋଇଥିବା ୨୦ ହଜାର ହେକ୍ଟର ଜମିକୁ ପୁନରୁଦ୍ଧାର କରାଯିବ । କ୍ଷତିଗ୍ରସ୍ତ ହୋଇଥିବା ୨୦୦୦ ହେକ୍ଟର ଆଖୁ ଫସଲକୁ ସ୍ୱତନ୍ତ୍ର ସହାୟତା ଦିଆଯିବ । ମୂଳ ଜାତୀୟ ଓ ଆଳୁ ଜାତୀୟ ଫସଲ ପାଇଁ ୟୁନିଟ୍ ପିଛା ୭୦୦୦ ଟଙ୍କା ହିସାବରେ ୨୦୦୦ ଚାଷୀଙ୍କୁ ପ୍ରୋତ୍ସାହସନ ସହାୟତା ଦିଆଯିବ । ୫୦୦ ଛତୁ ଚାଷୀଙ୍କୁ ୟୁନିଟ ପିଛା ୧୦,୦୦୦ ଟଙ୍କା ସହାୟତା ଦିଆଯିବ । ୫୦ ପ୍ରତିଶତ ରିହାତିରେ ୧୦୦୦ ପମ୍ପସେଟ ଦିଆଯିବା ସହ ସର୍ବାଧିକ ୧୫୦୦୦ ଟଙ୍କା ଦିଆଯିବ । ସୌର ଜଳନିଧି ଯୋଜନାରେ ୯୦ପ୍ରତିଶତ ରିହାତିରେ ୧୦୦୦ ସୌର ପମ୍ପସେଟ, ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର ଦିଆଯିବା ସହିତ ଡାଲି ଓ ତୈଳ ଜାତୀୟ ଫସଲ କ୍ଷେତ୍ରରେ ୭୫ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ୭୫୦ଟି କ୍ୟାମ୍ପ ଜରିଆରେ ସିଡ଼୍ ଟ୍ରିଟ୍ମେଂଟ କୌଶଳ ଶିକ୍ଷାଯିବ ।

୫୦ ହଜାର ଚାଷୀଙ୍କୁ ପରିବାର ପିଛା ୫ଟି ଆମ୍ବ, ୪ଟି ନଡ଼ିଆ ଗଛ ପ୍ରଦାନ କରାଯିବ । ରବି ଫସଲ ପାଇଁ ଉନ୍ନତ ମାନର ମଂଜି ପ୍ରଦାନ ସହ ଏବଂ ଉଠା ଜଳସେଚନ ପଏଂଟ ଗୁଡ଼ିକୁ ମରାମତି କରାଯିବ । ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତିସ୍ଥଳେ ୨୦୧୮ ଖରିଫ୍ ପାଇଁ ସ୍ୱଳ୍ପ ମିଆଦି କୃଷି ଋଣକୁ ମଧ୍ୟମ ମିଆଦି କୃଷି ଋଣରେ ପରିବର୍ତନ କରିବା ଏବଂ ସ୍ୱଳ୍ପ ମିଆଦି ଋଣ ନେଇଥିବା ଚାଷୀ ମାନଙ୍କ ପାଇଁ ଦେୟ ତାରିଖକୁ ୨୦୧୯ ସେପ୍ଟେମ୍ବର ୩୦କୁ ଘୁଂଚାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଗୃହପାଳିତ ପଶୁ ମୃତ୍ୟୁ କ୍ଷେତ୍ରରେ ଦୁହାଁଳିଆ ଗାଇ ମଇଁଷି ପାଇଁ (ସର୍ବାଧିକ ୩ଟି ପଶୁ) ପଶୁ ପିଛା ୩୦ ହଜାର ଟଙ୍କା, ବଳଦ କ୍ଷେତ୍ରରେ ସର୍ବାଧିକ ୨୫ ହଜାର, ବାଛୁରୀ ପାଇଁ ୧୬ ହଜାର, ଛେଳି ପିଛା ୩୦୦୦, କୁକୁଡ଼ା ପିଛା ସର୍ବନିମ୍ନ ୫୦ ଟଙ୍କାରୁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ଗୁହାଳର ପୁନରୁଦ୍ଧାର ପାଇଁ ୧୦ ହଜାର ଚାଷୀଙ୍କୁ ଜଣପିଛା ୧.୧୩ ଲକ୍ଷ ଟଙ୍କା ଦିଆଯିବ । ଛେଳି ଗୁହାଳ ପୁନରୁଦ୍ଧାର ପାଇଁ ୧୦ ହଜାର ଚାଷୀଙ୍କୁ ଗୁହାଳ ପିଛା ୪୪ ହଜାର ଟଙ୍କା ଦିଆଯିବ । କୁକୁଡ଼ା ପାଳନ ଜରିଆରେ ୨୦ ହଜାର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ । ମାଛ ଚାଷର କ୍ଷତି ସହିଥିବା ଚାଷୀ ମାନଙ୍କୁ ୭୫ ପ୍ରତିଶତ ରିହାତିରେ ହେକ୍ଟର ପିଛା ଲକ୍ଷେରୁ ଉଦ୍ଧ୍ୱର୍ ଟଙ୍କା ଦିଆଯିବ ।

ଡଙ୍ଗା ପିଛା ୨୨,୫୦୦, ଜାଲ ପିଛା ୧୫ ହଜାର, ଏବଂ ସାମୁଦ୍ରିକ ଅଂଚଳ ଓ ଚିଲିକାର ମତ୍ସ୍ୟଜୀବି ମାନଙ୍କ ପାଇଁ ଡଙ୍ଗା ପିଛା ୬୦ ହଜାର ଓ ଜାଲ ପାଇଁ ୧୫ ହଜାର ଟଙ୍କା ଦିଆଯିବ । ହସ୍ତଶିଳ୍ପ କ୍ଷେତ୍ରରେ କାରିଗରୀ ମାନଙ୍କୁ ନୂଆ ଯନ୍ତ୍ରପାତି ଏବଂ କଂଚାମାଲ ପାଇଁ ୪୧୦୦ ଟଙ୍କା ଲେଖାଏଁ ଦିଆଯିବ । ରେଶମ ଚାଷୀ ମାନଙ୍କୁ ହେକ୍ଟର ପିଛା ୪୮୦୦ ଟଙ୍କା ଇନପୁଟ ସବସିଡ଼ି ଓ ରେଶମ ଚାଷରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ରିଅରିଂ ହାଉସ ପୁନରୁଦ୍ଧାର ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ ରିଅରିଂ ହାଉସ ପାଇଁ ୫୭ ହଜାର ଟଙ୍କା ସମୁଦାୟ ୧୨୫ ରେଶମ ଚାଷୀଙ୍କୁ ଦିଆଯିବ ।

କ୍ଷତିଗ୍ରସ୍ତ ଅଂଚଳରେ ସରକାରଙ୍କର ସହାୟତା ବୃଦ୍ଧି ପାଇଁ ପ୍ରାୟ ୩୦ ହଜାର ଚାଷୀ ଥିବା ୨୦୦ ପ୍ରଡ୍ୟୁସର ଗ୍ରୁପକୁ ପ୍ରୋତ୍ସାହନ ଦିଆଯିବ । ପ୍ରତ୍ୟେକ ପ୍ରଡ୍ୟୁସର ଗ୍ରୁପକୁ ୩ ଲକ୍ଷ ଟଙ୍କା ଦିଆଯିବ । ଚାଷ କାର୍ଯ୍ୟରେ ଲିପ୍ତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ସିଡ଼ ମନି ଦିଆଯିବ । ଭୁରାଜସ୍ୱ ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି କ୍ଷେତ୍ରରେ ଚାଷୀ ମାନଙ୍କୁ ଭୂ ରାଜସ୍ୱ ବାବଦ ସେସ୍ ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବ ।

ସେହିପରି କ୍ଷତିଗ୍ରସ୍ତ ଅଂଚଳରେ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ପରାକ୍ଷା ଦେୟ ସହ ଛାଡ଼ କରାଯିବା ସହ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ୨ ହଳ ସ୍କୁଲ ପୋଷାକ ଓ ପାଠ୍ୟ ପୁସ୍ତକ ମାଗଣାରେ ପ୍ରଦାନ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ