Connect with us

ଦେଶ

୨୯କୁ ଘୁଞ୍ଚୀଲା ଅଯୋଧ୍ୟା ଶୁଣାଣି

ସାଙ୍କେତିକ

୨୯କୁ ଘୁଞ୍ଚୀଲା ଅଯୋଧ୍ୟା ଶୁଣାଣି
ନୂଆଦିଲ୍ଲୀ,୧୦ା୧ : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଜାନୁଆରୀ ୨୯ ତାରିଖକୁ ଘୁଞ୍ଚୀ ଯାଇଛି । ଆଜି ସୁପ୍ରିମ୍କୋର୍ଟର ୫ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ଶୁଣାଣି ପୂର୍ବରୁ ୫ ଜଣିଆ ଖଣ୍ଡପୀଠରୁ ଜଷ୍ଟିସ୍ ୟୁ ୟୁ ଲଳିତ ଓହରି ଯିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୯ ତାରିଖ ପୂର୍ବରୁ ପୁଣିଥରେ ନୂଆ ଖଣ୍ଡପୀଠ ଗଠନ କରାଯିବ । ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ପକ୍ଷରୁ ସରକାରଙ୍କ ଉପରେ ପ୍ରବଳ ଚାପ ପଡୁଛି ।

ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ଦାବି ହେଉଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଚୂଡାନ୍ତ ରାୟ ପ୍ରକାଶ ପରେ ହିଁ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ମାମଲାର ତ୍ୱରିତ ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ସମେତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆଗତ ୧୪ଟି ଆବେଦନକୁ ଗତବର୍ଷ ସୁପ୍ରିମକୋର୍ଟ ଖାରଜ କରିବା ସହିତ ୨୦୧୯କୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ । ନୂଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ବୋଲି ଗତ ୪ ତାରିଖରେ ସୁପ୍ରିମକୋର୍ଟ ୧ ମିନିଟରେ ଶୁଣାଣି ପରେ ରାୟ ଦେବା ସହିତ ଗତ ୮ ତାରିଖରେ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବିଚାରପତି ୟୁ ୟୁ ଲଳିତ, ଏସ୍ ଏ ବୋବ୍ଡେ, ବିଚାରପତି ଏନ୍ ଭି ରମଣ ଓ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା ।

ତେବେ ଶୁଣାଣି ପୂର୍ବରୁ ଗୁରୁବାର ଖଣ୍ଡପୀଠରୁ ୟୁ ୟୁ ଲଳିତ ଓହରି ଯାଇଛନ୍ତି । ଅଯୋଧ୍ୟାର ବିବାଦୀୟ ଜମିକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ଦାବି କରିବା ସହିତ ସେଠାରେ ରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ଗୁଡିକ ଦାବି କରି ଆସୁଛନ୍ତି । ମନ୍ଦିର ନିର୍ମାଣ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ୧୯୯୨, ଡିସେମ୍ବର ୬ ତାରିଖରେ ସେଠାରେ ଥିବା ବାବ୍ରି ମସଜିଦ୍କୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାପରେ ମାମଲା କୋର୍ଟକୁ ଯାଇଥିଲା । ୨୦୧୦ରେ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭ ଏକର ଜମିରୁ ହିନ୍ଦୁ ସଂଗଠନକୁ ଦୁଇ ତୃତୀୟାଂଶ ଓ ସୁନି ୱକଫ ବୋର୍ଡକୁ ଏକ ତୃତୀୟାଂଶ ଜମି ହସ୍ତାନ୍ତର କରିବା ପାଇଁ ରାୟ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଉଭୟ ହିନ୍ଦୁ ଓ ମୁସଲିମ୍ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଆପିଲ୍ କରାଯାଇଥିଲା । ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବଦ୍ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ