Connect with us

ଦେଶ

ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା

ସାଙ୍କେତିକ

ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା
ମନୋନୟନ କମିଟିର ୨-୧ ମତ, ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧ
ନୂଆଦିଲ୍ଲୀ,୧୦ା୧ : ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ତିନିଜଣିଆ ମନୋନୟନ କମିଟିର ୨-୧ ମତରେ ବିବାଦୀୟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଗୁରୁବାର ସଂଧ୍ୟାରେ ତାଙ୍କ ପଦରୁ ହଟାଇ ଦିଆଯାଇଛି । ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା ପରେ ସରକାର ତାଙ୍କୁ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । କେନ୍ଦ୍ର ସରକାର ତାଙ୍କୁ ଛୁଟିରେ ପଠାଇବାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବସ୍ଥାପିତ ହେବାର ଦିନକ ପରେ ଶ୍ରୀ ବର୍ମା ପୁଣିଥରେ ଏହି ପଦରୁ ହଟିଛନ୍ତି ।

ଗତକାଲି ଆଲୋକ ବର୍ମାଙ୍କ ପ୍ରସଙ୍ଗରେ ଏହି ତିନିଜଣିଆ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପ୍ରତିନିଧି ଭାବେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଏକେ ସିକ୍ରି ଏବଂ ଲୋକସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ବୈଠକ କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତିରେ ପହଞ୍ଚୀପାରି ନଥିଲେ । ପୁନର୍ବାର ଆଜି ଏହି ତିନିଜଣ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ଅଢ଼େଇ ଘଣ୍ଟାକାଳ ଆଲୋଚନା କରି ଶେଷରେ ବିରୋଧୀ ଦଳ ନେତାଙ୍କ ଦୃଢ଼ ବିରୋଧ ସ୍ୱେତେ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ । କମିଟିକୁ ନ ଜଣାଇ ପୂର୍ବରୁ ପ୍ରଧାନମନ୍ତ୍ରୀ କାହିଁକି ଶ୍ରୀ ବର୍ମା ଓ ଶ୍ରୀ ଆସ୍ଥାନାଙ୍କୁ ଛୁଟିରେ ପଠାଇଥିଲେ ବୋଲି ଶ୍ରୀ ଖାର୍ଗେ ଏହି ବୈଠକରେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବସ୍ଥାପିତ ହେବାର ୨୪ ଘଣ୍ଟା ନ ପୁରୁଣୁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି । ତେବେ ଶ୍ରୀ ବର୍ମାଙ୍କୁ ହଟାଇବା ପରେ ଏବେ ଏହି ପଦରେ କାହାକୁ ନିଯୁକ୍ତି ଦିଆଯିବ ସେ ନେଇ କୌଣସି ନିଷ୍ପତ୍ତି ଜଣାପଡିନି ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଅକ୍ଟୋବର ୨୦୧୮ରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ଦ୍ୱିତୀୟ ମୁଖ୍ୟ ତଥା ସ୍ୱତନ୍ତ୍ର ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରୁ ଉଭୟଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇବା ସହ ସିବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାରର ଅନ୍ତରୀଣ ମୁଖିଆ ରୂପେ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦେଇଥିଲେ । ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୭୭ଦିନ ପରେ ମଙ୍ଗଳବାର ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ଲାଗି ନିର୍ଦ୍ଦେଶ ଦେବା ସହ ତାଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ନଦେବା ଲାଗି କଟକଣା ଜାରି କରିଥିଲେ । ବୁଧବାର ଆଲୋକ ବର୍ମା କାର୍ଯ୍ୟରେ ଯୋଗଦେଇ ପ୍ରଥମେ ଶ୍ରୀ ରାଓ କରିଥିବା କେତେକ ଅଫିସରଙ୍କ ବଦଳି ଆଦେଶକୁ ରଦ୍ଦ କରିବା ସହିତ ଗୁରୁବାର ପୂର୍ବାହ୍ନରେ ୫ଜଣ ଅଧିକାରୀଙ୍କୁ ବଦଳି କରିବା ନିର୍ଦ୍ଦେଶ ଜାରି କରିଥିଲେ । ଗୁରୁବାର ତିନି ଜଣିଆ କମିଟିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ଜଷ୍ଟିସ ସିକ୍ରି ଉଭୟ ଶ୍ରୀ ବର୍ମାଙ୍କୁ ବହିଷ୍କାର କରିବାକୁ ମତ ରଖିଥିବା ବେଳେ ବିରୋଧୀ ଦଳ ନେତା ଦୃଢ଼ ବିରୋଧ କରିଥିଲେ । ତେବେ ୨-୧ ମତରେ ଶ୍ରୀ ବର୍ମାଙ୍କୁ ବରଖାସ୍ତ କରିବା ନିଷ୍ପତ୍ତି କାଏମ ରହିଥିବା ଜଣାପହିଛି ।

ପ୍ରକାଶଥାଉ କି, ଶ୍ରୀ ବର୍ମା ଦୁଇବର୍ଷ ଲାଗି ସିବିଆଇ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ । ଚଳିତ ମାସ ୩୧ ତାରିଖ ପର୍ଯ୍ରନ୍ତ ତାଙ୍କ କାର୍ଯ୍ୟକାଳ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦି, ବିରୋଧୀ ଦଳ ନେତା ଖାର୍ଗେ ଏବଂ ତତ୍କାଳୀନ ପ୍ରଧାନ ବିଚାରପତି ଜଗଦୀଶ ସିଂହ ଖେହରଙ୍କ ତିନିଜଣିଆ କମିଟି ଶ୍ରୀ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ରୂପେ ମନୋନୟନ କରି ଅବସ୍ଥାପିତ କରିଥିଲେ । ଅନ୍ୟପକ୍ଷରେ ଆସ୍ଥାନାଙ୍କ ସହ ଶ୍ରୀ ବର୍ମାଙ୍କ ମଧରେ ମତଭେଦ ସୃଷ୍ଟି ହେବା ଓ ଉଭୟ ଉଭୟଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିବାକୁ ନେଇ ପୁରା ସିବିଆଇ ବିବାଦ ଘେରକୁ ଚାଲିଯାଇଥିଲା । ପରସ୍ପର ମଧ୍ୟରେ ତିକ୍ତତା ଏତେ ବଢ଼ିଥିଲା ଯେ, ଆସ୍ଥାନାଙ୍କ ବିରୋଧରେ ଳାଞ୍ଚ ଅଭିଯୋଗକୁ ନେଇ ଶ୍ରୀ ବର୍ମା ଏତଲା ରୁଜୁ କରାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରିବା ସହ ଗିରଫଦାରୀ ଏହାଇବାକୁ ଶ୍ରୀ ଆସ୍ଥାନା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ।

ସିବିଆଇରେ ପ୍ରଥମ ଓ ଦ୍ୱିତୀୟ ଅଧିକାରୀଙ୍କ ମଧ୍ୟରେ ଏଭଳି ଲଢ଼େଇକୁ ଦେଖି କେନ୍ଦ୍ର ସରକାର ଉଭୟଙ୍କୁ ଛୁଟିରେ ପଠାଇବା ସହ ବିବାଦର ତଦନ୍ତ ଲାଗି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)କୁ ନିର୍ଦ୍ଦେଶ ଦେଇଥିଳେ । ତେବେ ସୁପ୍ରିମକୋର୍ଟକୁ ଏହି ମାମଲା ଯିବା ପରେ ସୁପ୍ରିମକୋର୍ଟ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ସିଭିସି ତଦନ୍ତ କରିବାକୁ କୁହାଯାଇଥିଲା ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଥିବାରୁ ଶ୍ରୀ ଗୋଗୋଇ ମନୋନୟନ କମିଟି ଳାଗି ନିଜ ତରଫରୁ ଜଷ୍ଟିସ୍ ସିକ୍ରିଙ୍କ ନାମ ଅନ୍ୟତମ ସଦସ୍ୟ ଲାଗି ପଠାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ