Connect with us

ଦେଶ

ସମସ୍ତ ଅଭିଯୁକ୍ତଙ୍କ ଉପରେ ଲାଗିଲା ଆତଙ୍କୀ ଷଡଯନ୍ତ୍ର ଅଭିଯୋଗ

ସାଙ୍କେତିକ ଚିତ୍ର

ମାଲେଗାଓଁ ବିସ୍ଫୋରଣ ମାମଲା
ସମସ୍ତ ଅଭିଯୁକ୍ତଙ୍କ ଉପରେ ଲାଗିଲା ଆତଙ୍କୀ ଷଡଯନ୍ତ୍ର ଅଭିଯୋଗ
ମୁମ୍ବାଇ, ୩୦ା୧୦ : ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତ ଓ ସ୍ୱାଧୀ ପ୍ରଜ୍ଞା ଠାକୁର ସମେତ ସମସ୍ତ ୭ ଅଭିଯୁକ୍ତଙ୍କ ଉପରେ ଆତଙ୍କୀ ଷଡଯନ୍ତ ରଚିବା ଓ ହତ୍ୟା ଅଭିଯୋଗ ସ୍ଥିର କରିଛି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ଧାର୍ଯ୍ୟ କରାଯାଇଛି ।

ଏହାପୂର୍ବରୁ ସୋମବାର ବାମ୍ବେ ହାଇକୋର୍ଟ ବିସ୍ଫୋରଣ ମାମଲାରେ ଅଭିୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତ ଦ୍ୱାରା ଅଭିଯୋଗ ସ୍ଥିର କରିବା ଉପରେ ରୋକ ଲଗାଇବାକୁ ମନା କରି ଦେଇଥିଲେ । ଅନ୍ୟପଟେ ସ୍ୱାଧୀ ପ୍ରଜ୍ଞା ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ଦର୍ଶାଇ କହିଛନ୍ତି ଯେ, ଏହା ପୂର୍ବରୁ ଏନ୍ଆଇଏ ମୋତେ କ୍ଲିନ୍ଚିଟ୍ ଦେଇଥିଲା । ଏବେ ମୋ ବିରୋଧରେ ଅଭିଯୋଗ ସ୍ଥିର କରାଯାଇଛି । ଏହା କଂଗ୍ରେସର ଷଡଯନ୍ତ୍ର, ମାତ୍ର ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ହେବି କାରଣ ସତ୍ୟର ସର୍ବଦା ବିଜୟ ହୋଇଥାଏ । ସୂଚନାଯୋଗ୍ୟ ଯେ, ଏନ୍ଆଇଏ କର୍ଣ୍ଣେଲ ପୁରୋହିତ ସମେତ ସମସ୍ତ ଅଭିଯୁକ୍ତଙ୍କ ଉପରେ ଆତଙ୍କୀ ଷଡଯନ୍ତ୍ର ରଚିବା, ହତ୍ୟା ଓ ସମସ୍ତ ଅପରାଧ ଆଧାରରେ ଅଭିଯୋଗ ସ୍ଥିର କରିଛି । ହାଇକୋର୍ଟ ଏନ୍ଆଇଏର ଓକିଲ ସନ୍ଦେଶ ପାଟିଲଙ୍କୁ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ପର୍ଯ୍ୟନ୍ତ ପୁରୋହିତଙ୍କ ଯାଚିକାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ହାଇକୋର୍ଟ ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ ଲଗାଇବା ପାଇଁ ପୁରୋହିତଙ୍କ ଅନୁରୋଧ ଅସ୍ୱୀକାର କରିଛି । ଖଣ୍ଡପୀଠ କହିଛି ଯେ, ପୂର୍ବରୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଉଭୟ ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସାତଜଣ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏର ଧାରା ୧୮ ଓ ୧୬, ଆଇପିସି ଧାରା ୧୨୦ ବି, ୩୦୨, ୩୦୭, ୩୨୪, ୩୨୬, ୪୨୭, ୧୫୩ ଏ ଓ ବିସ୍ଫୋଟକ କାନୁନର ଧାରା ୩, ୪, ୫ ଓ ୬ ଆଧାରରେ ଅଭିଯୋଗ ସ୍ଥିର କରାଯାଇଛି । ଏଥିରେ ଧାରା ୩୦୨ ହତ୍ୟା, ୧୨୦ ବି ଷଡଯନ୍ତ୍ର ରଚିବା ଓ ୩୦୭ ହତ୍ୟା ଉଦ୍ୟମ କରିବା ପାଇଁ ଲଗାଯାଇଛି । ବର୍ତ୍ତମାନ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତ ଦ୍ୱାରା ପୁରୋହିତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ କରିବା ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ସେପ୍ଟେମ୍ବର ୨୯ରେ ଏକ ମସଜିଦ ପାଖରେ ଏକ ମୋଟର ସାଇକେଲରେ ବନ୍ଧା ଯାଇଥିବା ବିସ୍ଫୋଟକ ସାମଗ୍ରୀ ବିସ୍ଫୋରଣ ହେବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ପୁରୋହିତଙ୍କ ବ୍ୟତୀତ ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରଜ୍ଞା ସିଂହ ଠାକୁର, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସମୀର କୁଲକର୍ଣ୍ଣି, ଅଜୟ ରାହିରକର, ସୁଧାକର ଦ୍ୱିବେଦୀ ଓ ସୁଧାକର ଚତୁର୍ବେଦୀ ସାମିଲ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ