Connect with us

ଦେଶ

ସତୀଶ ସାନା-ମୋଇନ କୁରେଶୀଙ୍କ ଚାଟିଂ ଖୋଲିଲା ସିବିଆଇର ସତ୍ୟାସତ୍ୟ

ସାଙ୍କେତିକ ଚିତ୍ର

ସତୀଶ ସାନା-ମୋଇନ କୁରେଶୀଙ୍କ ଚାଟିଂ ଖୋଲିଲା ସିବିଆଇର ସତ୍ୟାସତ୍ୟ
ନୂଆଦିଲ୍ଲୀ,୨୫ା୧୦ : ମାଂସ ବ୍ୟବସାୟୀ ମୋଇନ କୁରେଶୀ ଓ ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନା ଏଭଳି ଦୁଇ ବ୍ୟକ୍ତିତ୍ୱ ଯାହା ପାଇଁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାନରେ ଦେଖା ଦେଇଛି ବିବାଦ । ଗୋଟିଏପଟେ ସିବିଆଇର ବିଶେଷ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଉପରେ ୧୫ ଅକ୍ଟୋବରରେ ଅଭିଯୁକ୍ତ କୁରେଶୀଙ୍କ ସହ ଜଡିତ ମାମଲାରେ ସତୀଶ ସାନାଙ୍କ ମାମଲାକୁ ରଫାଦଫା କରିବା ନିମନ୍ତେ ୩ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା ।

ଅପରପକ୍ଷରେ ରାକେଶ ଆସ୍ଥାନା ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ସତୀଶ ସାନାଙ୍କଠାରୁ ନିର୍ଦ୍ଦେଶକ ଆଲୋକ ବର୍ମା ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଦୁଇ ଅଧିକାରୀଙ୍କ ଏହି ଆରୋପ ପ୍ରତ୍ୟାରୋପକୁ ତଦନ୍ତ ପରିସରକୁ ନେଇ ଉଭୟଙ୍କୁ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଏକ ସମୟ ଥିଲା ଯେତେବେଳେ ମୋଇନ କୁରେଶୀ ଓ ସତୀଶ ସାନାଙ୍କ ବନ୍ଧୁତା ବେଶ୍ ନିବିଡ ଥିଲା । ଉଭୟଙ୍କ ସିବିଆଇର ବରିଷ୍ଠ ଅଧିକାରୀଙ୍କ ବଦଳି ଓ ପଦୋନ୍ନତିରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଉଭୟ ବନ୍ଧୁଙ୍କ ମଧ୍ୟରେ ବ୍ଲାକବେରୀ ମୋବାଇଲ ମାଧ୍ୟମରେ ହୋଇଥିବା ମେସେଜ୍ ଉଭୟଙ୍କ ସିବିଆଇ ସହ ସମ୍ପର୍କର ନିବିଡତାକୁ ପ୍ରମାଣିତ କରୁଛି । ସିବିଆଇ ନିର୍ଦ୍ଦେଶକ ଭାବେ ଏପି ସିଂହ ଓ ରଞ୍ଜିତା ସିହ୍ନା ଅବସ୍ଥାବିତ ଥିବା ବେଳେ ମୋଇନ କୁରେଶୀ ସିବିଆଇରେ ବ୍ୟାପକ ପ୍ରଭାବ ବିସ୍ତାର କରି ନେଇଥିଲେ । ଉଭୟ ନିର୍ଦ୍ଦେଶକଙ୍କ ସହ ଘନିଷ୍ଠ ସମ୍ପର୍କର ବ୍ୟାପକ ଲାଭ କୁରେଶୀଙ୍କୁ ମିଳିଥିଲା ।

ଏହାର ପ୍ରଭାବ ଦେଖିବାକୁ ମିଳିଲା ଯେତେବେଳେ ଖୋଦ୍ କୁରେଶୀ ଫସିଲେ । କୁରେଶୀଙ୍କ ସହ ସିବିଆଇର ବରିଷ୍ଠ ଦୁଇ ଅଧିକାରୀ ମଧ୍ୟ ଫସି ଯାଇଥିଲେ । ୫ ଜୁନ୍ ୨୦୧୩ରେ ମୋଇନ କୁରେଶୀ ଏଡବେଷ୍ଟନଠାରେ ଭାରତ-ପାକ୍ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ । ଆଇସିସି ଚାମ୍ପିଅନସ୍ ଟ୍ରଫିର ଏହି ମ୍ୟାଚ୍ ଦେଖୁଦେଖୁ କୁରେଶୀ ବ୍ଲାକବେରୀ ବିବିଏମ୍ ଚାଟରେ ସତୀଶ ସାନା ସହ ଚାଟିଂ କରୁଥିଲେ । କୁରେଶୀ ବିବି ଲକ୍ଷ୍ମୀନାରାୟଣଙ୍କ ବଦଳରେ ହାଇଦ୍ରାବାଦ ସିବିଆଇରେ ଜଣେ ନୂଆ ଯୁଗ୍ମ ନିର୍ଦ୍ଦେଶକଙ୍କ ଆସିବା ଘଟଣାକୁ ନେଇ ଚାଟିଂ କରୁଥିଲେ । ଏହି ସମୟରେ ଲକ୍ଷ୍ମୀନାରାୟଣଙ୍କ ପାଖରେ ଜଗମୋହନ ରେଡ୍ଡିଙ୍କ ସମେତ ଏକାଧିକ ହାଇ ପ୍ରୋଫାଇଲ ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ । କୁରେଶୀ ଏଡବେଷ୍ଟନରେ ବସି ହାଇଦ୍ରାବାଦରେ ଥିବା ସାନାଙ୍କୁ ସିବିଆଇରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଉଥିଲେ ।

କୁରେଶୀ ଚାଟରେ ସାନାଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେବା ସହ ଜଣେ ନୂଆ ବ୍ୟକ୍ତି ସିବିଆଇକୁ ଆସୁଛି ବୋଲି ସୂଚନା ଦେଇଥିଲେ । ସେହିପରି ବିବି ଲକ୍ଷ୍ନୀନାରାୟଣଙ୍କ ଅରୁଣାଚଳ ପ୍ରଦେଶକୁ ବଦଳି ହୋଇଯାଇଥିବା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ଯୋଗ ଦେବାକୁ ଥିବା ନୂଆ ବ୍ୟକ୍ତି କେବଳ ଅତିରିକ୍ତ ଦାୟିତ୍ୱରେ ରହିବେ । ଜଣେ ସ୍ଥାୟୀ ଅଧିକାରୀ ଖୁବ୍ଶୀଘ୍ର ଆସୁଛନ୍ତି । ଯିଏ ଆସିବେ ସେ ଓଡ଼ିଶା କ୍ୟାଡର । ଯେଉଁ ନୂଆ ବ୍ୟକ୍ତି ଆସିବ ସେ ବିହାର ନିବାସୀ ହୋଇଥିଲେ ମଧ୍ୟ ଓଡ଼ିଶା କ୍ୟାଡର ବୋଲି କୁରେଶୀ ଚାଟରେ ସାନାଙ୍କୁ ସୂଚନା ଦେଇଥିଲେ ।

ଉପରୋକ୍ତ କଥୋପକଥନକୁ ତର୍ଜମା କଲେ ସାନା ଓ କୁରେଶୀ ସିବିଆଇ ପରି ସଂସ୍ଥାକୁ ଏକ ପ୍ରକାର ନିୟନ୍ତ୍ରଣରେ ରଖିଥିବା ସ୍ପଷ୍ଟ ଅନୁମାନ କରାଯାଇପାରେ । ଅବଶ୍ୟ ୩ଦିନ ପୂର୍ବେ ସିବିଆଇ ମଧ୍ୟରେ ଆରମ୍ଭ ହୋଇଥିବା ଅନ୍ତଦ୍ୱର୍ନ୍ଦ୍ୱ ପରେ ସତୀଶ ସାନା ଓ ତାଙ୍କ ପରିବାରବର୍ଗ ଫେରାର ହୋଇଯାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ