Connect with us

ଓଡିଶା

ସଚିବାଳୟର ନାମ ପରିବର୍ତନ କରାଯାଇ ଲୋକସେବା ଭବନରେ ନାମିତ କରାଯିବ – ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ସଚିବାଳୟର ନାମ ପରିବର୍ତନ କରାଯାଇ ଲୋକସେବା ଭବନରେ ନାମିତ କରାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯ ଜୁଲାଇ – ସାମଗ୍ରିକ ଭାବେ ଓଡ଼ିଶାରେ ଆଇନଶୃଙ୍ଖଳା ଏବଂ ଅପରାଧ ବହୁକାଂଶରେ ନିୟନ୍ତ୍ରଣାଧିନ ରହିଛି । ନିକଟରେ ଅନୁଷ୍ଠିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଛି । କୌଣସି ଗୋଷ୍ଠୀ ସଂଘର୍ଷ, ସାମ୍ପ୍ରଦାୟିକ ଦଙ୍ଗା, ଛାତ୍ର ଆନ୍ଦୋଳନ, କୃଷି ଆନ୍ଦୋଳନ ଘଟିନାହିଁ । ନକ୍ସଲ ଆନ୍ଦୋଳନ ଏବଂ ନକ୍ସଲ ହିଂସାକୁ ମଧ୍ୟ ଅନୁରୂପ ଭାବେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗଣତନ୍ତ୍ରରେ ଲୋକେ ହେଉଛନ୍ତି ଆମର ପ୍ରଭୁ । ତାଙ୍କର ସେବା କରିବା ଆମର କର୍ତବ୍ୟ । ସେମାନଙ୍କର ଆଶା ପୂରଣ ପାଇଁ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ହେବ ବୋଲି ସେ କହିଛନ୍ତି ।
ଅପର ପକ୍ଷରେ ରାଜ୍ୟ ସଚିବାଳୟର ନାମ ପରିବର୍ତନ କରାଯାଇ ଲୋକସେବା ଭବନରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗ ଲାଗି ୫,୨୯୦ କୋଟି ୩ ହଜାର ଟଙ୍କା ଏବଂ ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗ ପାଇଁ ୩୯୪ କୋଟି ୭୭ ଲକ୍ଷ ୫୭ ହଜାର ଟଙ୍କାର ଖର୍ଚ୍ଚ ଦାବି ଆଗତ କରିଥିଲେ । ଏହା ଉପରେ ହୋଇଥିବା ଆଲୋଚନା ଗୃହର ବାତାବରଣକୁ ସରଗରମ ରଖିଥିବାର ପରିଲକ୍ଷିତ ହୋଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ବୋଲି ବିରୋଧି ଦଳ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା ବେଳେ ଶାସକ ଦଳ ପକ୍ଷରୁ ପୋଲିସର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଆଲୋଚନାର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନକ୍ସଲ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାନ୍ତର କେତେକ ସ୍ଥାନରେ ସେମାନଙ୍କର କାର୍ଯ୍ୟକଳାପ ରହିଛି । ଗତ ବର୍ଷରେ ୧୯ ଜଣ ମାଓବାଦୀ କ୍ୟାଡ଼ରର ମୃତ୍ୟୁବରଣ କରିଥିଲା ବେଳେ ଚଳିତ ବର୍ଷ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାଭିମାନ ଅଂଚଳରେ ଗୁରୁପ୍ରିୟା ସେତୁ ଖୋଲାଯିବା ଫଳରେ ବହୁ ଉନ୍ନୟନ କାର୍ଯ୍ୟର ସୁଗମ ହୋଇଛି । ସମାଜରେ ଥିବା ମହିଳା, ଶିଶୁ ଏବଂ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସୁରକ୍ଷା ଦେବା ଉପରେ ତାଙ୍କ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି । ସେମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧିକ ମାମଲାକୁ ତଦନ୍ତ କରିବା ପାଇଁ ରାଜ୍ୟର ୨୯ଟି ଜିଲ୍ଲାରେ ମହିଳା, ଶିଶୁ ଡେସ୍କ ଏବଂ ଇଂଟିଗ୍ରେଟେଡ଼ ଆଂଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ ଗଠନ କରାଯାଇଛି । ସମସ୍ତ ଦୁଷ୍କର୍ମ ମାମଲା ବିଶେଷ କରି ନାବାଳିକାକୁ କରାଯାଉଥିବା ଦୁଷ୍କର୍ମକୁ ରେଡ଼ ଫ୍ଲାଗ ମାମଲା ଭାବେ ନିଆଯାଉଛି । ଯାହାଫଳରେ ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଦଣ୍ଡବିଧାନ ହାର ବୃଦ୍ଧି ପାଇବ । ସଂଗଠିତ ଅପରାଧ ଏବଂ ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ଥିବା ସବୁ ଗ୍ୟାଙ୍ଗଷ୍ଟର ଏବଂ ମାଫିଆ ମାନଙ୍କୁ ଗିରଫ କରାଯାଇଛି । ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ମମାଫିଆମାନଙ୍କୁ ଗିରଫ କରାଯାଉଛି । ନିଶା କାରବାର, ଷ୍ଟୋନ କ୍ୱାରୀ ଏବଂ ପରିବହନ ମାଫିଆ ମାନଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପଡ଼ି ରହିଥିବା ମାମଲା ଗୁଡ଼ିକୁ ହ୍ରାସ କରିବା ପାଇଁ ଗ୍ରାଜୁଏଟ କନେଷ୍ଟବଳ ଏବଂ ଗୁଇନ୍ଦା ବିଭାଗର ହାବିଲଦାର ମାନଙ୍କୁ ସେ ସବୁ ମାମଲାର ତଦନ୍ତ କରିବା ପାଇଁ କ୍ଷମତାପ୍ରାପ୍ତ କରାଯାଇଛି । ଦଣ୍ଡ ବିଧାନ ହାର ଯେପରି ବୃଦ୍ଧି ପାଇବ ସେଥିନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ୧୪୮ କ୍ୟାଡ଼ରଭୁକ୍ତ ଏପିପି, ୧୧ କ୍ୟାଡ଼ରଭୁକ୍ତ ପିପିପି ଙ୍କୁ ନିଯୁକ୍ତି ଦିଆଯାଇଛି । ପୋଲିସ ବଳକୁ ଅଧିକ ଆଧୁନିକିକରଣ କରିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି । ସେମାନଙ୍କୁ ଆଇଟିରେ ଦକ୍ଷତା ଆଣିବା ପାଇଁ ମଧ୍ୟ ତାଲିମ ଦିଆଯାଉଛି । ବାତ୍ୟା ଫନିରେ ପୋଲିସ ଏବଂ ଅଗ୍ନିଶମ କେବଳ ଆଇନ ଶୃଙ୍ଖଳା ରକ୍ଷା କରିଛି । ରିଲିଫ ବଂଟନ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଛି ।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ସମ୍ପର୍କରେ ଆଲୋଚନାର ଉତର ଦେଇ କହିଥିଲେ ଯେ, ସାଧାରଣ ଜନତାର କଲ୍ୟାଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାଧାରଣ ଗରୀବ ଓ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଫନି ସହାୟତା ପାଇଁ ବିଭିନ୍ନ ସଂସ୍ଥାରୁ ୪୬୨କୋଟି ଟଙ୍କା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୫ ଟି ସୂତ୍ର କାର୍ଯ୍ୟ ସବୁ ସରକାରୀ ବିଭାଗରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବ୍ୟତୀତ ଓପଏସସି, ଓଏସଏସସି, ଓଡ଼ିଶା ସବଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନର ପରୀକ୍ଷା ନିୟମିତ ଭାବେ କରାଯାଉଛି । ରାଜ୍ୟ ମଧ୍ୟରେ ବିମାନ ଚଳାଚଳ କରିବା ପାଇଁ ରଙ୍ଗେଇଲୁଣ୍ଡା, ଜୟପୁର, ସଚିଭାତା, ଉତକେଲା, ତୁଷୁରା, ବିରସାଲ ବିମାନଘାଟିକୁ ଉନ୍ନତିକରଣ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପ୍ରଶାସନରେ ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ଲୋକାୟୁକ୍ତ ୨୦ ମାର୍ଚ୍ଚରୁ କାର୍ଯ୍ୟକ୍ଷମ ହୋଇଛି । ଭିଜିଲାନ୍ସ ସମ୍ପର୍କରେ ସେ କହିଥିଲେ ଯେ, ଭିଜିଲାନ୍ସ ସଂସ୍ଥାକୁ ଅଧିକ ଶକ୍ତିଶାଳୀ କରିବା, ଅଧିକ ଆଧୁନିକୀକରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ଗତବର୍ଷ ଏଥିପାଇଁ ଭିଜିଲାନ୍ସ ଏକାଡେମୀ ପ୍ରତିଷ୍ଠା କରାଯାଇଛି । ଏହି ଏକାଡେମୀରେ ବିଭିନ୍ନ ସମୟରେ ଟ୍ରେନିଂ କରାଯାଇଛି । ରାଉରକେଲାଠାରେ ଏକ ନୂଆ ଭିଜିଲାନ୍ସ ଡିଭିଜନ କରିବା ପାଇଁ ମଂଜୁରୀ କରାଯାଇଛି । ୨୦୧୯ରେ ରାଜ୍ୟ ଭିଜିଲାନ୍ସ ୧୩୭ଟି କ୍ରିମିନାଲ କେସ ପଂଜୀକୃତ କରିଛି । ଏଥିମଧ୍ୟରେ ୨୬ ଟି ଆୟବର୍ହିଭୂତ ସମ୍ପତି ମାମଲା ରହିଛି । ଲାଂଚ ନେଉଥିବା ବେଳେ ୬୭ଟି କେସ୍ ଧରାପଡ଼ିଛି । ଏହା ବ୍ୟତୀତ ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ୪୪ଟି କେସ୍ ମାମଲା ରୁଜୁ କରାଯାଇଛି । ପୋଲିସ ଆକ୍ଟକୁ ଖୁବ୍ ଶିଘ୍ର ଗୃହରେ ଅନୁମୋଦନ କରିବା ପାଇଁ ପଦକ୍ଷେପ ନେଉଛି । ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ରହିଥିବାରୁ ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକା ରହିଛି ଏବଂ କେବଳ ସେତିକି ନୁହେଁ ଓଡ଼ିଶାରେ ପୁଂଜି ନିବେଶ କରିବା ପାଇଁ ଶିଳ୍ପଦ୍ୟୋଗୀମାନଙ୍କୁ ମଧ୍ୟ ଆକୃଷ୍ଟ କରାଯାଇଛି । ଏ ସରକାରଙ୍କ ଉପରେ ସାଢ଼େ ଚାରି କୋଟି ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ରଖିଥିବାରୁ କ୍ରମାଗତ ଭାବେ ପଂଚମ ଥର ପାଇଁ ଆମେ କ୍ଷମତାସୀନ ହୋଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଉତର ଦେଇ ସାରିବା ପରେ ବିରୋଧି ଦଳର ନେତା ପ୍ରଦୀପ ନାୟକ ସ୍ପଷ୍ଟୀକରଣ କରିବା ପାଇଁ ଚାହିଁଥିଲେ ହେଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୁଯୋଗ ନ ଦେବାରୁ ତାର ପ୍ରତିବାଦରେ କକ୍ଷ ତ୍ୟାଗ କରିଥିଲେ । ପରେ ଖର୍ଚ୍ଚଦାବିଟି ପାରିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା