Connect with us

ଓଡିଶା

ଷ୍ଟାଫ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା : ୪୮ ଘଂଟା ଭିତରେ ଅପରାଧୀଙ୍କୁ ଗିରଫ କରିବାକୁ ମହିଳାମୋର୍ଚ୍ଚାର ଦାବି

ସାଙ୍କେତିକ

ଷ୍ଟାଫ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା : ୪୮ ଘଂଟା ଭିତରେ ଅପରାଧୀଙ୍କୁ ଗିରଫ କରିବାକୁ ମହିଳାମୋର୍ଚ୍ଚାର ଦାବି
ମୃତ ନିହାରିକା ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲା ପ୍ରତିନିଧି ଦଳ
ବିଲୁଆଖାଇ ନଦୀ ପଠାକୁ ଯାଇ ଘଟଣାର ତଦନ୍ତ କଲା
ଭୁବନେଶ୍ୱର, ୧୯ ସେପ୍ଟେମ୍ବର- ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର ମୃତ୍ୟୁ ଘଟଣାରେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମୃତ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଏହା ସହ ପ୍ରତିନିଧୀ ଦଳ ବିଲୁଆ ଖାଇ ନଦୀ ପଠା, ମୃତ ନିହାରିକା କାର୍ଯ୍ୟକରୁଥିବା ନର୍ସିଂହୋମରେ ପହଂଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି । ପରେ ପୋଲିସ ଡିଜିଙ୍କୁ ଘେଟି ଘଟଣା ସଂର୍ପକରେ ଅବଗତ କରାଇବା ସହ ୪୮ ଘଂଟା ଭିତରେ ଅପରାଧୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ରାଜ୍ୟରେ ପୋଲିସ ଠିକ୍ ଭାବେ ତାର କାର୍ଯ୍ୟ କରୁନାହିଁ । ପୋଲିସର ଅପାରଗତା ଯୋଗୁଁ ମୃତ ଷ୍ଟାଫ ନର୍ସ ନିହାରିକା ନିଖୋଜ ହେବାର ୧୦ ଦିନ ପରେ ବି ଅପରାଧୀ ଧରା ପଡିନାହିଁ । ପରିବାର ପକ୍ଷରୁ ନିହାରିକା ନିଖୋଜ ହେବା ଘଟଣା କଟକ ମଧୁପାଟଣା ଥାନାରେ ଏତଲା ଦେବା ପରେ ବି ପୋଲିସ କ୍ରିୟାଶିଳ ନହୋଇ ଚୁପ୍ ରହିଲା । ପୋଲିସ ଯଦି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିଥାନ୍ତା ଆଜି ହୁଏତ ନିରୀହ ଝିଅଟିର ଜୀବନ ବଂଚିଯାଇଥାନ୍ତା ।

ଅନ୍ୟପଟେ ନିହାରିକା ଏକମାତ୍ର ରୋଜଗାରକ୍ଷମ ଥିବାରୁ ପୂରା ପରିବାରର ଭରଣପୋଷଣ ଦାୟୀତ୍ୱ ତା ଉପରେ ନିର୍ଭର କରୁଥିଲା । ରାଜ୍ୟସରକାର ୫ଟି ଲଗାଇ ଅପରାଧୀକୁ ଧରନ୍ତୁ । ମୃତ ନିହାରିକା ପରିବାରକୁ ନ୍ୟାୟ ନମିଳିଲେ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ପରିଡା ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି । ଓଡିଶାରେ ମହିଳା ଅସୁରକ୍ଷିତ ହୋଇଥିବା ସମୟରେ ଗୃହବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ବିଳୁଆଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁର୍ଷ୍କମ କରି ହତ୍ୟା କରାଯାଇଥିଲା, ପୁଣି ଆଜି ସେହି ଘଟଣାର ପୁନରାବୃତି ହୋଇଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡରେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା କଲେ ନାହିଁ କି ପଦଟିଏ ମହିଳାମାନଙ୍କ ସୁରକ୍ଷା ଉପରେ ପଦଟିଏ କହିଲେ ନାହିଁ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମହିଳା କମିଶନ ବି ଏହି ଘଟଣାରେ ଚୁପ୍ ବସିଛନ୍ତି । ତୁରନ୍ତ ପୋଲିସ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଗିରଫ କରି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

ଟ୍ରାଫିକ ସୁରକ୍ଷା ନିୟମ ଯେପରି ପାଳନ କରାଯାଉଛି ଠିକ୍ ସେହିପରି ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ଅଂଟା ଭିଡିବା ଦରକାର । ଓଭରଟେଂକିକୁ ଚେକ୍ କରିବା ପାଇଁ ରାଜ୍ୟସରକାର ଡ୍ରୋନ କ୍ୟାମେରା ଉଡାଇବା କଥା କହୁଛନ୍ତି । କିନ୍ତୁ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ମହିଳା ବିରୋଧୀ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ବି ପୋଲିସ ପ୍ରଶାସନ ଡ୍ରୋନ ଲଗାନ୍ତୁ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ୧୨,୬୮୩ଟି ହତ୍ୟାକାଣ୍ଡ ଓ ୧୬,୫୯୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ୨୦୧୦ରୁ ୨୦୧୮ ଅର୍ଥାତ୍ ୯ ବର୍ଷର ରିପୋର୍ଟରେ ଏଭଳି ସମ୍ବେଦନଶୀଳ ଅପରାଧ ଜନିତ ୬୫ ପ୍ରତିଶତ ମାମଲା କ୍ଷେତ୍ରରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ଓ ପ୍ରମାଣ ଯୋଗାଡ କରିବାରେ ବ୍ୟର୍ଥ ହୋଇଛି । ଫଳରେ ଅପରାଧୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି । ଦୁର୍ଷ୍କମ ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଦୁର୍ଷ୍କମ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି । ଶାସକ ଦଳର ପୃଷ୍ଠ ପୋଷକତାରେ ରାଜ୍ୟରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ଅନ୍ୟପଟେ ପୁଲିସ୍ ପ୍ରାଥମିକ ତଦନ୍ତ କରିବାରେ ଅହେତୁକ ବିଳମ୍ବ ଓ ଚାର୍ଜସିଟ୍ ଦାଖଲରେ ଢିଲାପଣ ଯୋଗୁ ଅପରାଧୀମାନେ ଖସି ଯାଉଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଆସ୍କା ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀ, ସଂପାଦିକା ରଶ୍ମିରେଖା ଦାସ, ଐଶ୍ୱର୍ଯ୍ୟା ବିଶ୍ୱାଳ, କିଷ୍ଣା ମହାନ୍ତି, ଯାଜ୍ଞସେନୀ ଜେନା, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ମହିଳା କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା