Connect with us

ଆଞ୍ଚଳିକ

ଶ୍ରୀମନ୍ଦିର ର ନିରାପତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ- ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଶ୍ରୀମନ୍ଦିର ର ନିରାପତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ- ମୁଖ୍ୟମନ୍ତ୍ରୀ
-ସ୍ୱେଚ୍ଛାକୃତ ଘରୋଇ ଜମି ଦେଇଥିବାରୁ ଧନ୍ୟବାଦ ଜଣାଇଲେ
ଭୁବନେଶ୍ୱର, ୦୨ ଡିସେମ୍ବର – ଶ୍ରୀମନ୍ଦିର ନିରାପତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ ଓ ସ୍ୱେଚ୍ଛାକୃତ ଭାବରେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ କରାଯାଇଥିବରୁ ଜମିମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଜନ୍ମାଷ୍ଟମୀ ଦିନ ମୁଁ ଆପଣମାନଙ୍କ ନିକଟରେ ଗୋଟିଏ ଅନୁରୋଧ କରିଥିଲି । ଅତ୍ୟନ୍ତ ମହତ ଉଦ୍ଦେଶ୍ୟ ଥିଲା । ଅନୁରୋଧଟି ଥିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିରର ନିରାପତା ସଂକ୍ରାନ୍ତରେ । ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତମାନ ଏବଂ ଭବିଷ୍ୟତ । ତାଙ୍କର ଶ୍ରୀଚରଣରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ ।
ସେ କହିଛନ୍ତି ଯେ ସେଦିନ ଶ୍ରୀମନ୍ଦିର ନିରାପତା ପାଇଁ ତ୍ୟାଗ କରିବାକୁ ମୁଁ ନମ୍ରତାର ସହ ଆପଣମାନଙ୍କୁ ଅନୁରୋଧ କରିଥିଲି । ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି । ସେଥିପାଇଁ ମୁଁ କୃତଜ୍ଞ । ମହାପ୍ରଭୁଙ୍କ ଆଶୀର୍ବାଦରେ ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେରଖିବ ।
ସେ ଆହୁରି କହିଛନ୍ତି ଶ୍ରୀମନ୍ଦିର ନିରାପତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତିକୁ ପ୍ରଦାନ କରିବା ପାଇଁ ମୁଁ ନିବେଦନ କରିଥିଲି । ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୪୦ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଆପଣମାନେ ଆପଣମାନଙ୍କର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ହିଁ ଏସବୁ ସମ୍ଭବ ହୋଇପାରିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଂଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ିତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ଭଲପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ହୋଇରହିବ ।
ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗୀୟ କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ସେ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ସେ ପୁଣିଥରେ ସହଯୋଗ କାମନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ