Connect with us

ଓଡିଶା

ଶ୍ରୀକ୍ଷେତ୍ରରେ ୭ଲକ୍ଷ ଶ୍ରଦ୍ଧାଳୁ, ଜୟଜଗନ୍ନାଥଧ୍ୱନିରେ କମ୍ପିଲା ବଡଦାଣ୍ଡ, ଶରଧାବାଲିରେ ଲାଗିଲା ତିନି ରଥ

ସାଙ୍କେତିକ

ଶ୍ରୀକ୍ଷେତ୍ରରେ ୭ଲକ୍ଷ ଶ୍ରଦ୍ଧାଳୁ, ଜୟଜଗନ୍ନାଥଧ୍ୱନିରେ କମ୍ପିଲା ବଡଦାଣ୍ଡ, ଶରଧାବାଲିରେ ଲାଗିଲା ତିନି ରଥ
ପୁରୀ, ୪ ଜୁଲାଇ – ମହାପ୍ରଭୁ ମହାବାହୁଙ୍କ ପବିତ୍ର ଘୋଷଯାତ୍ରାରେ ୭ଲକ୍ଷ ଭକ୍ତଙ୍କ ସମାଗମରେ ତିନିରଥ ଘର ଗର ନାଦ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଶଦ୍ଦରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ । ଇନ୍ଦ୍ରଦେବତା ଉପରୁ ଥାଇ ଶୁଭଦୃଷ୍ଟି ପକାଇବା ଯୋଗୁଁ ରୁଦ୍ରତାପରୁ ଭକ୍ତମାନେ ବର୍ତିବା ସହ ରଥଟଣା ଆରମ୍ଭ ହେବା ମାତ୍ରେ ଇନ୍ଦ୍ରଦେବ ବର୍ଷାଦ୍ୱାରା ପୁଷ୍ପବୃଷ୍ଟି କରିଥିଲେ । ସ୍ୱର୍ଗ, ମର୍ତ୍ୟ ପାତାଳର ଦେବତାମାନେ ପ୍ରଭୁଙ୍କ ଘୋଷଯାତ୍ରାମକୁ ଚାହିଁ ବସିଥିଲେ । ସିଂହଦ୍ୱାରଠାରୁ ଟାଉନଥାନା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ହାତଟେକି ମଣିମା ମଣିମା ଡାକ ଛାଡୁଥିବା ଶୁଣିବାକୁ ମିଳୁଥିଲା । ରଥଟଣା ଅପରାହ୍ନ ୪ଟାରେ ଥିବାବେଳେ ୨ଘଂଟା ପୂର୍ବରୁ ୨ଟା୧୦ରେ ପ୍ରଥମେ ତାଳଧ୍ୱଜଙ୍କ ରଥ ଟଣା ଯାଇଥିଲା । ଲକ୍ଷ ଲକ୍ଷ ଭକ୍ତ ଶୀଘ୍ର ରଥଟଣା ଦେଖି ଆନନ୍ଦରେ ବିଭୋର ହୋଇଯାଇଥିଲେ । ପରେ ପରେ ଅପରାହ୍ନ ୩ଟାରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଶୁଭାରମ୍ଭ ହୋଇଥିଲା । ତାଳଧ୍ୱଜ ରଥ ଟାଉନଥାନା ପାଖରେ ରହିଥିବା ବେଳେ ଦର୍ପଦଳନ ରଥ ଟଣା ହୋଇଥିଲା । ଶେଷରେ ଗହଳି ଚହଳି ଲଗାଇ ନଟିଆ ହଟିଆ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା ।
ଗୁରୁବାର ଦିନ ସକାଳୁ ୫ଟା୨୫ରେ ମଙ୍ଗଳ ଆଳତୀ ଆରମ୍ଭ ହୋଇଥିବାବେଳେ ୬ଟା୫ରେ ଅବକାଶ ନୀତି ଶେଷ ହୋଇଥିଲା । ୬ଟା୨୦ ସୂର୍ଯ୍ୟପୂଜା, ୬ଟା୪୦ରେ ଦ୍ୱାରପାଳ ପୂଜା ଓ ଗୋପାଳ ବଲ୍ଳଭ, ୭ଟା୪୫ରେ ସକାଳଧୂପ ହେବାପରେ ୮ଟା୫ରେ ରଥ ପ୍ରତିଷ୍ଠା କରାଯାଇଥିଲା । ସ୍ରୋତୀୟ ବ୍ରାହ୍ମଣ, ଶ୍ରୀମନ୍ଦିର ପୁରୋହିତ ରଥ ପ୍ରତିଷ୍ଠା କରିଥିଲେ । ପରେ ପରେ ମଙ୍ଗଳାର୍ପଣ, ୮ଟା୧୦ରେ ପୁଷ୍ପାଞ୍ଜଳି, ୮ଟା୧୫ରେ ଡୋରଲାଗି ଓ ପହଣ୍ଡି ୮ଟା୨୦ରେ ଆରମ୍ଭ ହୋଇଥିଲା । ୧ଘଂଟା ପୂର୍ବରୁ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପହଣ୍ଡି ଶ୍ରୀଘ୍ର ଶେଷ ହୋଇଥିଲା । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇ ଧାଡି ପହଣ୍ଡିରେ ରଥ ଉପରେ ବିଜେ କରିଥିଲେ । ପରେ ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଓ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଶେଷରେ ଜଗନ୍ନାଥ ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ୮ଟା୨୫ରୁ ପହଣ୍ଡି ଆରମ୍ଭ ହୋଇ ୧୧ଟା୨୦ ପର୍ଯ୍ୟନ୍ତ ପ୍ରାୟ ୩ଘଂଟା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ପହଣ୍ଡି ପରେ ମଦନମୋହନ ରଥ ଉପରକୁ ବିଜେ କରିଥିଲେ । ତିନିଠାକୁରଙ୍କୁ ଫୁଲୁଚିତା ଲାଗି କରାଯାଇଥିଲା । ରଥ ଉପରେ ବେଶଗୁଡିକ ଶେଷ ହୋଇଥିଲା । ବେଶ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତିନିରଥ ପ୍ରଦକ୍ଷଣ କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କର ଛେରାପହଁରା ପର୍ବ ଆରମ୍ଭ କରିଥିଲେ । ପ୍ରଥମେ ବଳଭଦ୍ର ପରେ ଶ୍ରୀଜଗନ୍ନାଥ ଓ ଶେଷରେ ମା ସୁଭଦ୍ରାଙ୍କ ରଥରେ ଗଜପତି ଛେରାପହଁରା କରିଥିଲେ । ଗଜପତି ଶ୍ରୀ ନଅରରୁ ମେହେନା ପାଲିଙ୍କିରେ ବସି ସିଂହଦ୍ୱାର ସମ୍ମୁଖକୁ ଆସିଥିଲେ । ଏହି ଛେରାପହଁରା ଅତି ଆକର୍ଷଣୀୟ ହୋଇଥିଲା । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଗଜପତି ମହାରାଜା କି ଜୟ ହେଉ ଧ୍ୱନି କରିଥିଲେ । ତିନିରଥ ଛେରାପହଁରା କରିବା ପରେ ଗଜପତି ତାଙ୍କ ସୁଜ୍ଜିତ ଯାନ ତାମଜାନରେ ଶ୍ରୀନଅରକୁ ଫେରିଥିଲେ । ଛେରାପହଁରା ସରିବା ପରେ ଚାରମାଳ ଖୋଲାଯାଇ ଅଶ୍ୱ ଯୋଚା ଯାଇଥିଲେ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥରେ ଘୋଡାଗୁଡିକ ଯୋଚା ଯାଇଥିଲା । ଘୋଡା ଯୋଚା ଯିବା ପରେ ବ୍ରେକଗୁଡିକ ଠିକଠିକା କରାଯାଇଥିଲା । ପ୍ରଥମେ ତାଳଧ୍ୱଜ ରଥ ଟଣାଯିବା ପରେ ଭକ୍ତମାନେ ଆନନ୍ଦ ପ୍ରକାଶ କରିଥିଲେ । ରଥ ଯିବା ସମୟରେ ମଝିରେ ମଝିରେ ପୂର୍ବ ଓ ପଶ୍ଚିମକୁ ମୋଡ ଦେଉଥିବା ଦେଖିବାକୁ ମିଳିଥିଲା । ତିନିରଥ ଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ଗୋଟିଏ ଦିନ ରଥ ଉପରେ ରହିବେ ଓ ତା ପରିଦିନ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ହୋଇ ଜନ୍ମବେଦୀରେ ଅବସ୍ଥାନ କରିବେ ।
୯ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଘଟିବ । ଗୋଟିଏ ଦିନ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଲେ ଯେତିକି ପୂଣ୍ୟ ମିଳିଥାଏ ବର୍ଷକଯାକ ଶ୍ରୀମନ୍ଦିରରେ ଦର୍ଶନ କଲେ ସମଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ୮ତାରିଖ ସୋମବାର ଦିନ ହେରାପଂଚମୀ ଅବସରରେ ଅଭିମାନିନୀ ସିନ୍ଧୁ ନନ୍ଦିନୀ ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇ ପ୍ରଭୁଙ୍କୁ ଦେଖା କରିବା ସହ ରାଗ ଜର୍ଜରିତ ହୋଇ ନନ୍ଦିଘୋଷ ରଥର ଗୋଟିଏ ଅଂଶ ଭାଙ୍ଗି ଫେରିବେ । ୯ ତାରିଖ ମଙ୍ଗଳବାର ଦିନ ରଥ ଗୁଡିକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରଠାରେ ରଖାଯିବ । ୧୧ତାରିଖ ଗୁରୁବାର ଦିନ ଦଶମୀ ତିଥିରେ ସନ୍ଧ୍ୟାଦର୍ଶନ ଅନୁଷ୍ଠିତ ହେବ । ଏହି ଦୁର୍ଲଭ ଦର୍ଶନ ଭକ୍ତର ପାପକୁ କ୍ଷୟ କରିବା ସହ ଅନନ୍ତ କୋଟି ପୁଣ୍ୟ ଲାଭ କରିବ । ୧୨ତାରିଖ ଶୁକ୍ରବାର ବାହୁଡାଯାତ୍ରା ଅନୁଷ୍ଠିତ ହେବ । ୧୩ତାରିଖ ଶନିବାର ଦିନ ସିଂହଦ୍ୱାରରେ ରଥାରୂଢ ଚତୁର୍ଦ୍ଧାମୂର୍ତିଙ୍କୁ ବଡତଢାଉ ବା ସୁନାବେଶରେ ସଜ୍ଜିତ କରାଯିବ ।
ଘୋଷଯାତ୍ରାରେ ଯୋଗ ଦେଇଥିବା ଭିଆଇପି – ପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ଭିଆଇପି ମାନେ ପୁରୀକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତି, ବଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ରଘନନ୍ଦନ ଦାସ, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରୁଣା ପକ୍ଷରୁ କରାଯାଇଥିବା ଟଙ୍କତୋରାଣି ସେବାକୁ ଶୁଭାରମ୍ଭ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା