Connect with us

ଓଡିଶା

ଲଘୁଚାପଜନିତ ଲଗାଣ ବର୍ଷା- ୪ ମୃତ, ୭ ଆହତ

ସାଙ୍କେତିକ

ଲଘୁଚାପଜନିତ ଲଗାଣ ବର୍ଷା
ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୪ ମୃତ, ୭ ଆହତ
ଭୁବନେଶ୍ୱର, ୨୫ ଅକ୍ଟୋବର – ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରୀ ରହିଥିବା ବେଳେ ପୃଥକ୍ ପୃଥକ୍ ସ୍ଥାନରେ ବର୍ଷାଭିଜା ମାଟି କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଆହତ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମ୍ପ୍ରତି ସେମାନେ ଚିକିତ୍ସାଧିନ ଅଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେଶ୍ୱରପୁର ନୂଆଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ମାଟି ଘର ଭୁଶୁଡ଼ି ପଡିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାମ କୈଳାସ ସାମଲ (୮୦) । ତେବେ ତାଙ୍କ ପତ୍ନୀ ମାଳତୀ ସାମଲ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି । ସେ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ରାତ୍ରିଭୋଜନ ସାରି ଏହି ଦମ୍ପତି ଶୋଇଥିବା ବେଳେ ଦୁର୍ବଳ ଅବସ୍ଥାରେ ରହିଥିବା ବର୍ଷାଭିଜା ମାଟି କାନ୍ଥଟି ହଠାତ୍ ସେମାନଙ୍କ ଉପରେ ଭୁଶୁଡ଼ି ପଡିଥିଲା । ଫଳରେ କୈଳାସ ମାଟି କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆହତ ମାଳତୀଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଆଳି ମେଡିକାଲରେ ଭର୍ତି କରାଯାଇଛି ।
ସେହିପରି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକା ପଚାଂୟତର ଭଦୁଆ ଗ୍ରାମରେ ଗତ ରାତିରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ୪ ବର୍ଷିୟା ଝିଅ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ସେମାନଙ୍କ ପରିଚୟ ମିଳିପାରିନାହିଁ ।
ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ କାନ୍ଥ ଭୁଶୁଡ଼ି ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତି କରାଯାଇଛି । ଘସିପୁରା ଥାନା ଅନ୍ତର୍ଗତ ବ୍ଲକ ବସନ୍ତପୁରା ଗ୍ରାମରେ ଗତ ରାତିରେ ଶୋଇଥିବା ବେଳେ ମାଆ ମଇନା ହାଁସଦା ଓ ଦୁଇ ପୁଅଙ୍କ ଉପରେ ଘରର କାନ୍ଥ ପଡି ଯାଇଥିଲା । ସେହିପରି ଆନନ୍ଦପୁର ଥାନା ପଚାଙ୍ଗ ଗ୍ରାମର ଇତିଶ୍ରୀ ନାଏକ ରୋଷେଇ କରୁଥିବା ବେଳେ ହଠାତ୍ ଘରର କାନ୍ଥ ତାଙ୍କ ଉପରେ ପଡିଯାଇଥିଲା ।
ସେହିପରି ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଂଚଳରେ ଗତ ରାତିରେ କାନ୍ଥ ଭୁଶୁଡ଼ି ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୁମ୍ଭକାର ନିଯୋଗ ସମ୍ପାଦକ ରସାନନ୍ଦ ବିଶୋୟୀ ବୋଲି ସୂଚନା ମିଳିଛି ।
ଅନ୍ୟ ଏକ ଘଟଣା କ୍ରମେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଖୁଂଟାପାଳ ଗ୍ରାମରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଦମୟନ୍ତୀ ପଲେଇ (୫୨) । ସେ ଶମ୍ଭୁନାଥ ପଲେଇଙ୍କ ପତ୍ନୀ ବୋଲି ଜଣାପଡିଛି । ଆଜି ସକାଳେ ସେ ରୋଷେଇ କରୁଥିବା ବେଳେ ଘରରର ମାଟି କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା