Connect with us

ଓଡିଶା

ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପାଥୋଲ୍ୟାବ

ସାଙ୍କେତିକ

ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପାଥୋଲ୍ୟାବ
ବେଦାନ୍ତ ଓ ଏସଆରଏଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଚିକିତ୍ସା ସେବା କ୍ଷେତ୍ରରେ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସୁଛନ୍ତି- ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, ୨୫ ଅକ୍ଟୋବର – ଝାରସୁଗୁଡ଼ା ଠାରେ ବିଭିନ୍ନ ରୋଗର ଚିହ୍ନଟ ପାଇଁ ଉନ୍ନତ ମାନର ପାଥୋଲାବ ଓ ରେଡିଓଲୋଜି ପରୀକ୍ଷା ପାଇଁ ବେଦାନ୍ତ ଆଲୁମିନିୟମ ଏବଂ ଏସଆରଏଲ ଲିମିଟେଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ବେଦାନ୍ତ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଛବିନାଥ ସିଂ ଓ ଏସଆରଏଲ, ଓଡ଼ିଶା କ୍ଲଷ୍ଟର ମୁଖ୍ୟ ରାଜାଶି ଦାସ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ କହିଲେ, ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଫଳରେ ତୃଣମୂଳ ସ୍ତରରେ ସାଧାରଣ ଲୋକଟିଏ ଯେପରି ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ନହୁଏ ସେ ଦିଗରେ ସଚେତନ ଅଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଠାରେ ଏହି ଅତ୍ୟାଧୁନିକ ବିଶ୍ୱସ୍ତରୀୟ ପାଥୋଲାବ ପ୍ରତିଷ୍ଠା କାର୍ଯ୍ୟ ଏକବର୍ଷ ମଧ୍ୟରେ ଶେଷ ହୋଇ ୨୦୨୧ ମସିହା ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ସରକାରଙ୍କ ତରଫରୁ ଝାରସୁଗୁଡ଼ା ସହର ଓ ଲାଇକେରା ବ୍ଲକ୍ରେ ଭୂମି ଯୋଗାଇ ଦିଆଯାଇଛି । ବେଦାନ୍ତ କର୍ତୃପକ୍ଷ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ ଲ୍ୟାବ୍ ପ୍ରତିଷ୍ଠା ସହ ଏସ୍.ଆର୍.ଏଲ୍.କୁ ଅନୁଦାନ ଯୋଗାଇଦେବେ ।

ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ବେଦାନ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଶ୍ରୀ ସିଂ କହିଲେ, ବେଦାନ୍ତ ସବୁବେଳେ ତା’ର ସାମାଜିକ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଆସିଛି । ଝାରସୁଗୁଡ଼ା ଠାରେ କମ୍ପାନୀ ଖୁବ୍ କମ୍ ସମୟ ମଧ୍ୟରେ ଲ୍ୟାବ୍ ପ୍ରତିଷ୍ଠା କରିବ । ଏହାଦ୍ୱାରା ଝାରସୁଗୁଡ଼ା ଓ ଲାଇକେରା ବ୍ଲକର ଜନସାଧାରଣ ଉତମ ମାନର ଚିକିତ୍ସା ସେବା ପାଇପାରିବେ ।

ସେହିପରି ଏସଆରଏଲର କ୍ଲଷ୍ଟର ହେଡ଼ ରାଜାଶୀ ଦାସ କହିଲେ କମ୍ପାନୀ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ ନଂ. ୧ ସ୍ଥିତିରେ ଥିବାବେଳେ ଦେଶ ବାହାରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଛି । ଆମେ ଝାରସୁଗୁଡ଼ା ଠାରେ ସର୍ବଶ୍ରେଷ୍ଠ ଟେକ୍ନୋୋଜିର ପ୍ରୟୋଗ ସହ ଉନ୍ନତ ମାନର ଲ୍ୟାବ ପ୍ରତିଷ୍ଠା କରିବାକୁ ଯାଉଛୁ । ଫଳରେ ଏହି ଅଂଚଳର ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏଠାରେ ସାଧାରଣ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ଇସିଜି, ଅଲଟ୍ରାସାଉଣ୍ଡ ଓ ଏମଆରଆଇ ଭଳି ପରୀକ୍ଷଣ ସେବା ମିଳିପାରିବ ।
ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ ସାମଲ ସମେତ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା