Connect with us

ଓଡିଶା

“ରାଜ୍ୟ ସରକାର ଋଣ ଛାଡ କରନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ’

ସାଙ୍କେତିକ

“ରାଜ୍ୟ ସରକାର ଋଣ ଛାଡ କରନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ’
ଭୁବନେଶ୍ୱର,୨୧ା୧୨ : ଓଡିଶାରେ କୃଷକର ଦୟନୀୟ ସମସ୍ୟା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦାୟୀ । ପୂର୍ବରୁ କଂଗ୍ରେସ ସରକାର ସମୟରେ ଏବଂ ଉପା ସରକାର ସମୟରେ କୃଷି ଋଣ ଛାଡ କରାଯାଇଥିଲା । ଯଦି କଂଗ୍ରେସ ସରକାରକୁ ଆସେ ତେବେ କୃଷିଋଣ ଛାଡ କରିବା ସହିତ କୃଷକମାନଙ୍କୁ ସୋଲାର ପମ୍ପସେଟ୍ ପ୍ରଦାନ କରାଯିବ ଏବଂ କୃଷକମାନଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ କୃଷିକାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପୁଣି ଦୋହରାଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ଅନ୍ୟପକ୍ଷରେ ରାଜ୍ୟ ସରକାର ନିଜ ପାଣ୍ଠିରୁ ଚାଷୀଙ୍କୁ ଅଧିକ ଏମ୍ଏସ୍ପି ଏବଂ ଋଣ ଛାଡ ନଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ସରକାରକୁ ଆସିଲେ ପଂଚାୟତମାନଙ୍କରେ ଏ.ଇ.ଓ (କୃଷି ଅଧିକାରୀ)ମାନଙ୍କୁ ନିଯୁକ୍ତି ଦିଆଯିବ ଏବଂ ସେମାନେ ପ୍ରତ୍ୟେକ ଅଂଚଳକୁ ଯାଇ ମାଟିର ନମୁନା ପରୀକ୍ଷା କରିବେ ଓ ସେ ଅଂଚଳର ଭୌଗୋଳିକ ପରିସ୍ଥିତିକୁ ନେଇ କି ପ୍ରକାର ଚାଷ କଲେ କୃଷକଟି କ୍ଷତି ସହିବ ନାହିଁ, ତାହା ମଧ୍ୟ କରାଯିବ । ଜିଲ୍ଲାପାଳମାନେ ଏ କାର୍ଯ୍ୟକୁ ବାଧ୍ୟତାମୂଳକ ମନିଟରିଂ କରିବେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥା ବୋନସ୍ ଏବଂ ସହାୟକ ମୂଲ୍ୟର ବୃଦ୍ଧି ପାଳନ କରି ନାହାନ୍ତି ।

ଶ୍ରୀ ପଟ୍ଟନାୟକ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ପାଇଁ ଦାବି କରିଛନ୍ତି । ପଡୋଶୀ ରାଜ୍ୟ ଛତିଶଗଡର ନୂଆ ସରକାର ଆସିବା ପରେ ତତ୍କ୍ଷଣାତ୍ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇପାରିଲା । କିନ୍ତୁ କେଉଁ କାରଣରୁ ଏ ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରିପାରୁ ନାହାନ୍ତି ତାହା ତାଙ୍କୁ ଜଣା । ଉଭୟ ସରକାରଙ୍କର ଚାଷୀଙ୍କ ପ୍ରତି ଦରଦ ନାହିଁ । ସେହିପରି ପିଠା କାର୍ଯ୍ୟକ୍ରମର ଉପଯୋଗିତା ସନ୍ଦେହ ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଏହା ପିଠା କାର୍ଯ୍ୟକ୍ରମ ନା ପିଟା କାର୍ଯ୍ୟକ୍ରମ । ଏହାଦ୍ୱାରା ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପାଣ୍ଠି ଯୋଗାଡ ପାଇଁ ଏ କାର୍ଯ୍ୟକ୍ରମ ବୋଧହୁଏ ହାତକୁ ନିଆଯାଇଛି । ଏହା ପିଠା ନୁହେଁ ଏହା ଗରିବ ଲୋକଙ୍କୁ ପିଟିବାର କାର୍ଯ୍ୟକ୍ରମ ।

ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଉପରେ ଜବାବ ରଖି ଶ୍ରୀ ପଟ୍ଟନାୟକ କହିଲେ ଯେ ରିଲାଏନ୍ସ କମ୍ପାନୀ ଅଧ୍ୟକ୍ଷ କହିଲେ ଓଡିଶାରେ ଆଉ ତିନି ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବେ । ଏହି ପୁଞ୍ଜି ରିଲାଏନସ ଜିଓ ଅପଟିକ୍ ଫାଇବର କାମରେ ବିନିଯୋଗ ହେବ । ପ୍ରଶ୍ନ ଉଠୁଛି ଏହାଦ୍ୱାରା ଓଡିଶାରେ କେତେ ଯୁବକ ନିଯୁକ୍ତି ପାଇବେ । ତେଣୁ ରାଜ୍ୟ ସରକାର କର୍ମନିଯୁକ୍ତି ପାଇଁ ପ୍ରୟାସ କରୁଛନ୍ତି ବୋଲି ବାହାଦୂରୀ ମାରୁଛନ୍ତି । କିନ୍ତୁ କ’ଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ କଥା କେବେ ପ୍ରକାଶ କରୁନାହାନ୍ତି । ଦେଶର ଅନ୍ୟ ଅଂଚଳରେ ବିଜେପିର ଭୋଟ ଭାଗ କମିଯାଇଥିବାରୁ ଓଡିଶାବାସୀଙ୍କ ପାଖକୁ ଆସୁଛନ୍ତି । କିନ୍ତୁ ତିତିଲି ଭଳି ସମସ୍ୟା ଉପରେ ଓଡିଶାବାସୀଙ୍କ ପ୍ରତି କି ସହାନୁଭୂତି ଦେଖାଇଲେ ତାହା ମଧ୍ୟ ବୁଝାପଡୁଛି ।

ମୋଦି ଓଡିଶାକୁ ପୂର୍ବରୁ ଆସି ବରଗଡ, ପାରାଦ୍ୱୀପ ଏବଂ ଅନ୍ୟ ଅଂଚଳଗୁଡିକରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଗୁଡିକ ପାଳନ ହୋଇଛି କି ନାହିଁ ତାହା ଆଗ ସମୀକ୍ଷା କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ, ରଜନୀ କୁମାର ମହାନ୍ତି, ପଦ୍ମାକର ଗୁରୁ ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା