Connect with us

ଓଡିଶା

କୃଷକଙ୍କ ପାଇଁ “କାଳିଆ’

ସାଙ୍କେତିକ

କୃଷକଙ୍କ ପାଇଁ “କାଳିଆ’
ଭୁବନେଶ୍ୱର,୨୧ା୧୨ : ରାଜ୍ୟରେ କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଐତିହାସିକ କାଳିଆ ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ୯୨ ପ୍ରତିଶତ ଉଭୟ ଋଣୀ, ଅଣଋଣୀ ଚାଷୀ, ଭାଗଚାଷୀ ଏବଂ ସମସ୍ତ ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଆଜି ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷ ଏବଂ ଚାଷୀ ପ୍ରସଂଗ ଉପରେ ଆଲୋଚନା କରାଯାଇଥିଲା । ଏହି କାଳିଆ ଯୋଜନାରେ ୧୦ ହଜାର ୧୮୦ କୋଟି ଟଙ୍କା ବିନିଯୋଗ ହେବ । ୩ ବର୍ଷ (୨୦୧୮-୧୯ରୁ ୨୧-୨୨) ଭିତରେ ଏହି ଅର୍ଥ ବିନିଯୋଗ କରାଯିବ । ପାଂଚଗୋଟି ଫସଲ ଋତୁ ପାଇଁ ଲାଗୁ ହେବ । ସମ୍ପୃକ୍ତ ଯୋଜନା ପାଂଚଟି ବିଷୟ ଉପରେ ଏହା ପର୍ଯ୍ୟବେଶିତ ହୋଇଛି । ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ସହାୟତା, ଭୂମିହୀନ ପରିବାର ପାଇଁ ଜୀବିକା ସହାୟତା, ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରଙ୍କର ସ୍ୱାର୍ଥ ରକ୍ଷା, ବୀମା ସୁରକ୍ଷା ଓ ବିନା ସୁଧରେ ଫସଲ ଋଣ ଦେବା ।

ଆମ ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ଫସଲ ଋଣ ନେଇଥାନ୍ତି । ୧୨ ଲକ୍ଷ ଚାଷୀ ପରିବାର ଋଣ ସୁବିଧା ନେଉନାହାନ୍ତି । ଫସଲ ଋଣ ନେଉଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ନିୟମିତ ଭାବରେ ଋଣ ପରିଶୋଧ କରୁଛନ୍ତି । ଏହି ଯୋଜନାରେ ଗ୍ରାମ ପଂଚାୟତ ଦ୍ୱାରା ଚିହ୍ନିତ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ଓ ଆପଦଗ୍ରସ୍ତ ହେବାର କାରଣ ହେଲା ବୃଦ୍ଧାବସ୍ଥା, ରୋଗ ଏବଂ ଅନ୍ୟ କାରଣ ହୋଇପାରେ । ଏହାଦ୍ୱାରା ଚାଷୀ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିନଥାଏ । କାଳିଆ ଏକ ପ୍ରଗତିଶୀଳ ଯୋଜନା ଏବଂ ଏହା ଜରିଆରେ ହେଉଥିବା ବ୍ୟୟ ବରାଦ ଦାରିଦ୍ର୍ୟକୁ ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିବ । ସବୁ ବର୍ଗର କୃଷି ଜୀବିମାନଙ୍କୁ ଏହା ଡାଇରେକ୍ଟ ବେିନିଫିଟ୍ ଟ୍ରାନସଫର ମୋଡ଼ରେ ଦିଆଯିବ ।

ସେ ଆହୁରି କହିଲେ ଯେ, ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି କାର୍ଯ୍ୟକ୍ରମରେ ସିଧାସଳଖ ଉପକୃତ ହେବେ । ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଚାଷୀ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଭାବରେ ଯୋଗାଇ ଦିଆଯିବ । ଚାଷୀମାନେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସହାୟତା ଅର୍ଥକୁ ଖର୍ଚ୍ଚ କରିବେ । ଏହାଦ୍ୱାରା ରଜ୍ୟର ୯୨ ପ୍ରତିଶତ ଚାଷୀ ସୁବିଧା ପାଇବେ । ଚାଷୀର କେତେ ଜମି ଅଛି ତା ସହିତ ଏ ସହାୟତାର କୌଣସି ସମ୍ପର୍କ ରହିବ ନାହିଁ । ପ୍ରକୃତ ଚାଷୀ, ଭାଗଚାଷୀ ଯେଉଁମାନଙ୍କର କି ଜମି ପରିମାଣ ବହୁତ କମ୍ ସେମାନେ ହିଁ ଉପକୃତ ହେବେ । ଉଚ୍ଚାଂଚଳରେ ରହୁଥିବା ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ମିଲେଟ ମିଶନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ହେଉଛି ବିକାଶ କାମରେ ସମସ୍ତଙ୍କୁ ସମ ଭାବରେ ସାମିଲ କରିବା ।

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଲେ ଯେ, ରାଜ୍ୟରେ ଥିବା ଭୂମିହୀନ ଚାଷୀ ପରିବାରଙ୍କ ପାଇଁ ବିଶେଷ କିଛି ସୁବିଧା ବା କାର୍ଯ୍ୟକ୍ରମ ନଥିଲା । କାଳିଆ ଯୋଜନାରେ ୧୦ ଲକ୍ଷ ଭୂମିହୀନ ପରିବାର ଉପକୃତ ହୋଇପାରିବେ । ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ, ମହୁ ଚାଷ ପରି ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨ ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ଭୂମିହୀନ ପରିବାରମାନେ ଏହି ୭ ଗୋଟି ଆନୁସଙ୍ଗିକ କୃଷି କାର୍ଯ୍ୟ ମଧ୍ୟରୁ ଯେ କୌଣସି ଗୋଟିକୁ ସେମାନଙ୍କର ଜୀବିକା ଭାବେ ପସନ୍ଦ କରିପାରିବେ । ଏଥିପାଇଁ ଆଗାମୀ ୩ ବର୍ଷରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅନେକ ସମୟରେ ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ଆଦି କାରଣରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରେ ନାହିଁ । ସେହିପରି ଏହି କାରଣରୁ ଭୂମିହୀନ କୃଷି ଶ୍ରମିକ ରୋଜଗାର ମଧ୍ୟ ହରାଇଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପରିବାରକୁ ଚାଷୀ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାପାଇଁ ନିଷ୍ପତି ନିଆଯାଇଛି । ଏହି ସହାୟତା ପାଇଁ ଯୋଗ୍ୟ ହିତାଧିକାରୀ ଗ୍ରାମ ପଂଚାୟତ ଦ୍ୱାରାହିଁ ମନୋନୀତ କରାଯିବ । ସାରା ରାଜ୍ୟରେ ଏହିପରି ୧୦ ଲକ୍ଷ ପରିବାର ପାଇଁ କାଳିଆ ଯୋଜନାରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସେ ଆହୁରି କହିଲେ ଯେ, ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ । ଏହା ଦ୍ୱାରା ୫୭ ଲକ୍ଷ ପରିବାର ଉପକାର ପାଇବେ । ଅନ୍ୟ ଏକ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦିଆଯିବ । ଏଥିପାଇଁ ଆଗାମୀ ୩ ବର୍ଷ ଲାଗି ୧୦ ହଜାର ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୧ରେ ଏହି ଯୋଜନାର ସମୀକ୍ଷା କରାଯାଇ ପରିବର୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ସାରା ଦେଶରେ ଦାରିଦ୍ର୍ୟ ହାରରେ ସର୍ବାଧିକ ହ୍ରାସ ଓଡ଼ିଶାରେ ହିଁ ଘଟିଛି । ପ୍ରାୟ ୮୦ ଲକ୍ଷ ଲୋକ ଦାରିର୍ଦ୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଓଡ଼ିଶା ଜନସଂଖ୍ୟାର ୬୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ସରକାରଙ୍କର ବିଭିନ୍ନ ପଦକ୍ଷେପ ଫଳରେ ଓଡ଼ିଶା ଖାଦ୍ୟ ଶସ୍ୟ ଉତ୍ପାଦନରେ ଏକ ନିଅଂଟିଆ ରାଜ୍ୟ ହୋଇ ରହିନାହିଁ । ଦେଶର ସାଧାରଣ ବଂଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣ କ୍ଷେତ୍ରରେ ତୃତୀୟ ସର୍ବାଧିକ ଅବଦାନକାରୀ ହୋଇପାରିଛି । ଓଡ଼ିଶା କୃଷିକର୍ମଣ ପୁରସ୍କାର ୫ ଥର ହାସଲ ପାଇଁ ରେକର୍ଡ଼ କରିଛି । ଓଡ଼ିଶା ହେଉଛି ଦେଶର ଏକ ମାତ୍ର ରାଜ୍ୟ ଯିଏ କି ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିବାରେ ସଫଳ ହୋଇଛି ।

କ୍ୟାବିନେଟ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କୃଷି ମନ୍ତ୍ରୀ ପ୍ରଦୀପ ମହାରଥି, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ବିଭାଗୀୟ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା