Connect with us

ଓଡିଶା

ରାଜ୍ୟରେ କମୁଛି ଚାଷୀଙ୍କ ଆୟ

ସାଙ୍କେତିକ ଚିତ୍ର

ରାଜ୍ୟରେ କମୁଛି ଚାଷୀଙ୍କ ଆୟ
ଆୟ କ୍ଷେତ୍ରରେ ଓଡ଼ିଶା ତଳଆଡୁ ଦ୍ୱିତୀୟ
ଭୁବନେଶ୍ୱର,୨୦ା୧୧ : ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଘୋଷଣା କରୁଥିବା ବେଳେ ଓଡ଼ିଶାରେ ଚାଷୀ ପରିବାରର ଆୟ ବଢ଼ିବା ପରିବର୍ତ୍ତେ କମିବାରେ ଲାଗିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡିଛି ।

୨୦୧୨-୧୩ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ହାରାହାରି ଆୟ ୫୩,୪୫୦ ଟଙ୍କା ଥିବା ବେଳେ ୨୦୧୩-୧୪ ବର୍ଷରେ ତାହା ୫୦,୩୦୪ ଟଙ୍କାକୁ କମିଥିଲା । ତେବେ ୨୦୧୪-୧୫ ବର୍ଷରେ ଏହା ୫୪,୮୬୭ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୨୦୧୫-୧୬ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ଆୟ ୪୭,୯୮୮ ଟଙ୍କା ଥିଲା ବୋଲି ମନ୍ତ୍ରୀ ତାଙ୍କ ତଥ୍ୟରେ ଦର୍ଶାଇଛନ୍ତି । ମନ୍ତ୍ରୀଙ୍କ ପ୍ରଦତ୍ତ ଏହି ତଥ୍ୟ ଅନୁଯାୟୀ ୨୦୧୫-୧୬ ବର୍ଷରେ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ଲକ୍ଷାଦ୍ୱୀପ, ଦିଲ୍ଲୀ, ଚଣ୍ଡିଗଡ ଆଦିରେ ୨ଲକ୍ଷ ଟଙ୍କାରୁ ଅଧିକ ରହୁଥିବା ବେଳେ ଏହା ପଞ୍ଜାବରେ ୧.୯୭,୯୮୧ ଟଙ୍କା ରହିଛି । ଅନ୍ୟ ଯେଉଁସବୁ ରାଜ୍ୟରେ ୨୦୧୫-୧୬ ବର୍ଷରେ ଚାଷୀ ପରିବାରର ହାରାହାରି ଆୟ ୧ଲକ୍ଷ ଟଙ୍କାରୁ ଅଧିକ ରହିଛି ସେଗୁଡଇକ ହେଲା ହରିଆନା, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଗୁଜୁରାଟ, କର୍ଣ୍ଣାଟକ, କେରଳ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।

୨୦୧୫-୧୬ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ହାରାହାରି ଆୟ ୪୭,୯୮୮ ଟଙ୍କା ଥିବା ବେଳେ ବିହାରରେ ଏହା ୩୬,୩୩୩ ଟଙ୍କା ରହିଛି । ମୋଟାମୋଟି ଭାବେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ବିସ୍ତୃତ ପରିସଂଖ୍ୟାନ ବିଶ୍ଲେଷଣରୁ ଜଣାପଡିଛି ଯେ, ୨୦୧୫-୧୬ ବର୍ଷରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶାର ସ୍ଥାନ ୩୫ରେ ରହିଛି । କେବଳ ବିହାର ଓଡ଼ିଶା ପଛକୁ ଅଛି । ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ୨୦୧୨-୧୩ ବର୍ଷରେ ଓଡ଼ିଶାରେ କୃଷି ପରିବାରର ମାସିକ ହାରାହାରି ଆୟ ୪୯୭୬ ଟଙ୍କା ଆକଳନ କରାଯାଇଥିଲା । ଏଥିମଧ୍ୟରୁ ନିରୋଳା କୃଷିରୁ ୧୪୦୭ ଟଙ୍କା ଥିବା ବେଳେ ମଜୁରୀରୁ ୧୭୧୬, ପଶୁ ପାଳନରୁ ୧୩୧୪ ଓ ଅଣକୃଷି ବ୍ୟବସାୟରୁ ୫୩୯ ଟଙ୍କା ବୋଲି ହିସାବକୁ ନିଆଯାଇଛି । ମୋଟାମୋଟି ଭାବେ ନିରୋଳା କୃଷିରୁ ମାସିକ ହାରାହାରି ଆୟ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ମଧ୍ୟ ତଳଆଡୁ ଦ୍ୱିତୀୟରେ ରହିଛି ।

ଏହି ହିସାବ ଅନୁଯାୟୀ ନିରୋଳା କୃଷିରୁ ସର୍ବଭାରତୀୟ ସ୍ତରରେ ଚାଷୀ ପରିବାରର ମାସିକ ହାରାହାରି ଆୟ ୩୦୮୧ ଟଙ୍କା ଦର୍ଶାଇଥିବା ବେଳେ ଓଡ଼ିଶାରେ ଏହା ଅଧାରୁ କମ୍ ରହିଛି । ନିରୋଳା କୃଷିରୁ ଉକ୍ତ ବର୍ଷରେ ପଞ୍ଜାବରେ ଚାଷୀ ପରିବାରର ମାସିକ ହାରାହାରି ଆୟ ୧୦,୮୬୨ ଟଙ୍କା ଥିବା ବେଳେ ଅନ୍ୟାନ୍ୟ ସୂତ୍ରକୁ ମିଶାଇ ପଞ୍ଜାବ ଚାଷୀ ପରିବାରର ମାସିକ ହାରାହାରି ଆୟ ୧୯,୦୫୯ ଟଙ୍କା ୨୦୧୨-୧୩ ବର୍ଷରେ ଥିବା ଓଡ଼ିଶା କୃଷିମନ୍ତ୍ରୀଙ୍କ ପ୍ରଦତ୍ତ ହିସାବରେ ଉଲ୍ଲେଖ ରହିଛି । ଓଡ଼ିଶାରେ କୃଷିଭିତ୍ତିକ ଶିଳ୍ପର ବିକାଶ ସହିତ ପନିପରିବା, ଡାଲି, ତେଲ, ଲୁଣ, ଆଳୁ ଓ ଅନ୍ୟାନ୍ୟ ପନିପରିବା ତଥା ଫଳ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ସହିତ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ଦର୍ଶନକୁ ଗାଁରେ ପ୍ରୟୋଗ କରାଯାଇ ପାରିଲେ ରାଜ୍ୟରେ କୃଷକଙ୍କ ଉତ୍ପାଦନ ଦୁଇଗୁଣା କାହିଁକି ଦଶଗୁଣା ବଢ଼ିପାରିବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ କହିଛନ୍ତି ।

ଚାଷୀମାନଙ୍କ ସାମାଜିକ ନିରାପତ୍ତା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟରେ ବିପଣନ, ଠିକଣା ଭାବେ ସଂରକ୍ଷଣ ଏବଂ ଯାନ୍ତ୍ରିକ କୃଷିର ବିକାଶ ସହିତ ଜୈବିକ ଚାଷକୁ ଅତ୍ୟାଧୁନିକ ପ୍ରଣାଲୀରେ ଉପଯୁକ୍ତ ପ୍ରୋତ୍ସାହନ ଦିଆଯାଇପାରିଲେ ଓଡ଼ିଶାରେ ଚାଷୀ ପରିବାରର ରୋଜଗାର ବଢ଼ିବ ଏବଂ ତାହା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ଶ୍ରୀ ରାୟ ଦର୍ଶାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା