Connect with us

ଓଡିଶା

ରଥଯାତ୍ରା ଟିଭି ଟେଲିକାଷ୍ଟକୁ ନେଇ ବିବାଦୀୟ ପରିସ୍ଥିତି

ସାଙ୍କେତିକ

ରଥଯାତ୍ରା ଟିଭି ଟେଲିକାଷ୍ଟକୁ ନେଇ ବିବାଦୀୟ ପରିସ୍ଥିତି
ଜାତୀୟସ୍ତରିୟ ଚ୍ୟାନେଲ ବାଦ୍ ପଡିଲେ
ପୁରୀ, ୧୦ ଜୁନ୍ – କ୍ରିକେଟ ଖେଳ ପରି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସିଧା ପ୍ରସାରଣକୁ ନେଇ କେଉଁ ଟିଭି ଟେଣ୍ଡର ନେବ ତାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ତରବରିଆ ଭାବେ ବିଜ୍ଞାପନ ଦେଇ ଲାଇଭ୍ ଟେଲିକାଷ୍ଟ ଟେଣ୍ଡର ଆହ୍ୱାନ କରିଥିଲେ । ଆଜି ଏହି ଟେଣ୍ଡର ଖୋଲାଯିବା ପରେ କେଉଁ ଚ୍ୟାନେଲ କେତେ ଟଙ୍କା ଧାର୍ଯ୍ୟଦର ଦେଇଛନ୍ତି ତାକୁ ନେଇ ଶେଷ ନିଷ୍ପତି ହୋଇନାହିଁ । ଓଟିଭି ୫୪ଲକ୍ଷ ଟଙ୍କା, ଏମବିସି ଟିଭି ୩୬ଲକ୍ଷ, ନ୍ୟୁଜ ୧୮ ୧୫ଲକ୍ଷ, କଳିଙ୍ଗ ଟିଭି ୧୦ଲକ୍ଷ, ପ୍ରାର୍ଥନା ଟିଭି ୧୦ଲକ୍ଷ, ସାଧନା ଟିଭି ୪ଲକ୍ଷ ୪୪ହଜାର ୪୪୪ଟଙ୍କା ୪୪ପଇସା ଓ କନକ ଟିଭି ୧ ଲକ୍ଷ ୨୫ ହଜାର ଟଙ୍କାର ଟେଣ୍ଡର ପକାଇଥିଲେ । ଏହି ଟେଣ୍ଡର ନୋଟିସ ଶ୍ରୀମନ୍ଦିର ପ୍ରଶାସନ ତରବରିଆ ଭାବେ ବିଜ୍ଞାପନ ଦେଇଥିବାରୁ ଜାତୀୟସ୍ତରର କେତେକ ଚ୍ୟାନେଲ ଏଥିରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ଏକ କୋଟିରୁ ୩କୋଟି ଟଙ୍କା ମଧ୍ୟରେ ଟେଣ୍ଡର ନେବାପାଇଁ ଚାହୁଁଥିବାବେଳେ ସମୟ ଅଭାବରୁ ପକାଇ ପାରିନାହାଁନ୍ତି । ଯଦି ଆହୁରି ୭ଦିନ ଏହି ଟେଣ୍ଡର ପ୍ରକ୍ରିୟା ବୃଦ୍ଧି କରାଯାଏ ତେବେ ଶ୍ରୀମନ୍ଦିର ପ୍ରଶାସନର ଅଧିକ ଆୟ ହେବବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରା ସିଧା ପ୍ରସାରଣଙ୍କୁ ନେଇ ଅଧିକ ଉକ୍ରଣ୍ଠା ଜାରି ରହିଥିବାବେଳେ କେବଳ ୭ଟି ଚ୍ୟାନେଲ ଅଂଶଗ୍ରହଣ କରିଥିବାରୁ ଏହା ସୁଦୂର ପ୍ରସାରି ହୋଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଏ ସଂପର୍କରେ ମଧ୍ୟ ସଚେତନ ନାଗରିକ ମଂଚର ସଭାପତି ପ୍ରସନ୍ନ କୁମାର ଦାଶ ମାନ୍ୟବର ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ କଟକ ଯାଇଛନ୍ତି । ଭକ୍ତଙ୍କ ଭାବାବେଗ ପ୍ରତି ଏହା କୁଠାରଘାତ କରିବ ବୋଲି କେତେକ ସେବାୟତ ମତ ଦେଇଛନ୍ତି । ଶ୍ରୀମନ୍ଦିରର ଭକ୍ତି ଭାବକୁ ନେଇ ଅନେକ ସମୟରେ ବ୍ୟବସାୟୀକରଣ କରାଯିବା ଯୋଗୁଁ ଭକ୍ତମାନେ ଅତିଷ୍ଠ ହେଉଛନ୍ତି । ଶ୍ରୀମନ୍ଦିର ଭିତରେ ରୋହିଣୀ କୁଣ୍ଡ ନିଲାମ ହେବା ଯୋଗୁଁ ଭକ୍ତ ଟଙ୍କା ନଦେଲେ ତା ମୁଣ୍ଡରେ ପାଣି ପଡୁନାହିଁ । ଏହିପରି ଅନ୍ୟ ମନ୍ଦିର, ନରେନ୍ଦ୍ର ପୁଷ୍କରିଣୀ, ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀକ୍ଷେତ୍ରରେ ଥିବା ଶ୍ରୀମନ୍ଦିର ପ୍ରଶାସନ ପରିଚାଳିତ ଅନ୍ୟ ମନ୍ଦିରଗୁଡିକୁ ନିଲାମ ଦେବା ଯୋଗୁଁ ଭକ୍ତମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ଟିଭି ଟେଣ୍ଡର ପରେ ଅନ୍ୟ କେତେକ ସାମଗ୍ରୀକୁ ନେଇ ଟେଣ୍ଡର ହେବାର ସମ୍ଭାବନା ରହିଛି । ସିରିକପଡା, ଟାହିଆ, ଲାଗି ତୁଳସୀ, ନୀଳଚକ୍ର ବାନା ଓ ଶ୍ରୀମନ୍ଦିରରେ ଫୁଲ ଓ ତୁଳସୀମାଳ ବିକ୍ରୟ କରିବା ପାଇଁ ମଧ୍ୟ ଟେଣ୍ଡର ଡକାଯିବାର ସମ୍ଭାବନା ରହିଛି ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ଏହି ମାମଲା ଏବେ ହାଇକୋର୍ଟରେ ପହଂଚି ଥିବାରୁ ହାଇକୋର୍ଟଙ୍କ ରାୟ ଚୂଡ଼ାନ୍ତ ହେବ ବୋଲି ବୁଦ୍ଧିଜୀବିମାନେ ଆଶା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା