Connect with us

ଓଡିଶା

ଭୁବନେଶ୍ୱର-ବାରାଣାସୀ ସିଧାସଳଖ ବିମାନ ସେବା ଆରମ୍ଭ

ସାଙ୍କେତିକ

ଭୁବନେଶ୍ୱର-ବାରାଣାସୀ ସିଧାସଳଖ ବିମାନ ସେବା ଆରମ୍ଭ
ଭୁବନେଶ୍ୱର,୧ ଫେବୃଆରୀ – ଭାରତରେ ଆଂଚଳିକ ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ବିମାନ ସେବା କମ୍ପାନୀ ଆଲାଏନ୍ସ ଏୟାର ଭାରତ ସରକାରଙ୍କ ଆରସିଏସ-ଉଡ଼ାନ (ଆଂଚଳିକ ବିମାନ ଯୋଗାଯୋଗ ଯୋଜନା-ଉଡ଼େ ଦେଶ କା ଆମ ନାଗରିକ) ଯୋଜନା ଅନ୍ତର୍ଗତ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ କରିଛି ।
ଆଲାଏନ୍ସ ଏୟାର ଭୁବନେଶ୍ୱର-ବାରାଣସୀ ମାର୍ଗରେ ସିଧାସଳଖ ଦୈନିକ ବିମାନ ସେବା ଜାରି ରଖିବ । ଏଥିପାଇଁ ବିମାନ ସେବା କମ୍ପାନୀ ୭୦ ଆସନ ବିଶିଷ୍ଟ ଏଟିଆର ୭୨ ୬୦୦ ବିମାନ ନିୟୋଜିତ କରିଛି । ସିଧାସଳଖ ଉଡ଼ାଣ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ତଥା ବ୍ୟବସାୟୀଙ୍କୁ ଲାଭାନ୍ୱିତ କରିବ । ଏହି ବିମାନ ଭୁବନେଶ୍ୱରରୁ ଅପରାହ୍ଣ ୧୨ଟା ୧୫ରେ ଛାଡ଼ି ବାରାଣସୀରେ ୨ଟା ୫ ମିନିଟରେ ପହଁଚିବ । ସେହିପରି ବାରଣାସୀରୁ ଅପରାହ୍ଣ ୨ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ୪ଟା ୨୦ ମିନିଟ ସମୟରେ ପହଁଚିବ ।
ଏହି ଯୋଜନା ଅନ୍ତର୍ଗତ ଏହା ହେଉଛି ୨୫୦ତମ ବିମାନ ସେବା । ଉଡ଼ାନ ଯୋଜନାର ପ୍ରଥମ ବିମାନ ସେବାକୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଏପ୍ରିଲ, ୨୦୧୭ରେ ଆରମ୍ଭ କରିଥିଲେ ।
ଗତ ୨୭ ଜାନୁଆରୀ, ୨୦୨୦ରେ ଆଲାଏନ୍ସ ଏୟାର ପକ୍ଷରୁ ଆରସିଏସ ଉଡ଼ାନ ଯୋଜନା ଅନ୍ତର୍ଗତ କୋଲକାତା-ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଥିଲା । ଉଡ଼ାନ-୩ ନିଲାମୀ ପ୍ରକ୍ରିୟାରେ ଭୁବନେଶ୍ୱର-ବାରାଣସୀ ମାର୍ଗରେ ବିମାନ ସେବା ଯୋଗାଇ ଦେବା ଲାଗି ଆଲାଏନ୍ସ ଏୟାରକୁ ଦାୟିତ୍ୱ ଦିଆଯାଇଥିଲା । ଉଡ଼ାନ ଯୋଜନାରେ ଆଲାଏନ୍ସ ଏୟାର ପକ୍ଷରୁ ୫୮ଟି ମାର୍ଗରେ ବିମାନ ସେବା ଯୋଗାଇ ଦିଆଯାଉଛି ।
ଗଙ୍ଗା ନଦୀ କୂଳରେ ବହୁ ସଂଖ୍ୟକ ମନ୍ଦିର ଓ ପବିତ୍ର ଘାଟ ଥିବା କାରଣରୁ ସାରା ଦେଶରୁ ଲୋକମାନେ ବାରାଣସୀ ଆସିଥାନ୍ତି । ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା କାରଣରୁ ଏହି ମାର୍ଗରେ ବିମାନ ସେବା ପର୍ଯ୍ୟଟନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ । କାରଣ ପର୍ଯ୍ୟଟନ ହେଉଛି ବାରାଣସୀର ଦ୍ୱିତୀୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗ । ବାରାଣସୀ ବିଭିନ୍ନ କାରଣରୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ହୋଇଥିବା ବେଳେ ବାରାଣସୀରେ ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା