Connect with us

ଓଡିଶା

ବୈଠକ ଆରମ୍ଭରୁ ଶିକ୍ଷକ, ତେଲ ତାତିରେ ଗୃହ ଅଚଳ l

ବୈଠକ ଆରମ୍ଭରୁ ଶିକ୍ଷକ, ତେଲ ତାତିରେ ଗୃହ ଅଚଳ l

ବୈଠକ ଆରମ୍ଭରୁ ଶିକ୍ଷକ, ତେଲ ତାତିରେ ଗୃହ ଅଚଳ
ଭୁବନେଶ୍ୱର,୭ା୯ : ପଂଚଦଶ ବିଧାନସଭାର ତ୍ରୟୋଦଶ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସରେ ଆଜି ଗୃହର ବୈଠକ ଆରମ୍ଭରୁ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ଫଳରେ ପ୍ରଶ୍ନୋତର ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ସମ୍ପାଦିତ ହୋଇପାରିନଥିଲା ।

ସେହିପରି ରଜଧାନୀର ରାଜରାସ୍ତାରେ ଗତ ୨୩ ଦିନ ଧରି ଧାରଣା ଦେଇଥିବା ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀଙ୍କ ସମସ୍ୟା ଜନିତ ମୁଲତବି ପ୍ରସ୍ତାବ ଆଲୋଚନା ହୋଇପାରିନଥିଲା । ହଟ୍ଟଗୋଳ ନେଇ ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ୍ ଗୃହକୁ ପୂର୍ବାହ୍ନ ୧୦ଟା ୩୧ ମିନିଟ୍ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ରଖିଲା ବୋଲି ଘୋଷଣା କରିଥିଲେ । ପ୍ରଥମାର୍ଦ୍ଧ ବୈଠକ ମାତ୍ର ଗୋଟିଏ ମିନିଟ୍ ପାଇଁ ଚାଲିଥିଲା । ଅପରପକ୍ଷରେ ଦ୍ୱିତୀୟାର୍ଦ୍ଧ ବୈଠକ୧୪ ମିନିଟ୍ ପାଇଁ ଚାଲିଥିଲା । ପରେ ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ରେ ଗୃହର ବୈଠକ ଆରମ୍ଭ କରିବାପାଇଁ ଗଲାବେଳେ ଶାସକ ଦଳ ସଭ୍ୟ ଶ୍ରୀ ସଂଜୟ ଦାଶବର୍ମା ନିଜ ଆସନରେ ଠିଆ ହୋଇ କେନ୍ଦ୍ର ସରକାରଙ୍କ ତୈଳ ଦର ବୃଦ୍ଧିକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ । ଏହାକୁ ବିରୋଧୀ ଦଳ ପକ୍ଷରୁ ବିରୋଧ କରାଯାଇଥିଲା । ଏହାର ପ୍ରତିବାଦରେ ଉଭୟ କଂଗ୍ରେସ ଓ ବିଜେପି ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ପଳାଇଆସି ପାଟିତୁଣ୍ଡ ଓ ହୋହାଲ୍ଲା କରିଥିଲେ । ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲୁ ରଖାଯାଉ ବୋଲି ଉଭୟ ଦଳ ଦାବି କରିଥିଲେ । ଏହି ଦାବିକୁ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଜାରୀ ରହିଥିବା ବେଳେ ଶାସକ ଦଳ ପକ୍ଷରୁ ଶ୍ରୀ ଦାଶବର୍ମାଙ୍କୁ ସମର୍ଥନ ଜଣାଇ ଶାସକ ଦଳ ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ହୋ-ହାଲା କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ବାଚସ୍ପତି ସଭ୍ୟମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ଅନୁରୋଧ କରି ବିଫଳ ହୋଇଥିଲେ । ବାଚସ୍ପତି ପରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ଆଜି ଉପସ୍ଥାପିତ ହେବାକୁ ଥିବା ପ୍ରଶ୍ନୋତର ଉପସ୍ଥାପିତ ହେଲା ବୋଲି ବାଚସ୍ପତି କହିଥିଲେ ।

ଅପରାହ୍ନ ୩ ଟାରେ ବିଧାନସଭାର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଦବେଗ ପ୍ରକାଶ କରି କହିଲେ ଯେ, ବର୍ତମାନ ରାଜ୍ୟରେ ବିଚାର ଓ ଶିକ୍ଷା ବ୍ୟବସ୍ଥା ଅଚଳ ହୋଇ ପଡିଛି । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲୋକଙ୍କର ଚିନ୍ତା ବଢାଉଛି । ବିଚାର ବ୍ୟବସ୍ଥା ଅଚଳ ହେବା ଓକିଲ ମାନଙ୍କ ଧର୍ମଘଟ ହେଉଛି ଏହାର ମୁଖ୍ୟ କାରଣ । ହାଇକୋର୍ଟ ସମେତ ସବଅର୍ଡିନେଟ୍ କୋର୍ଟ ଗୁଡିକରେ କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯାଇଛି । ଜଣେ ଓକିଲଙ୍କୁ ପୋଲିସ୍ ନିର୍ଦ୍ଦୟ ଭାବେ ମାଡ ମାରିଥିଲେ । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାର ପ୍ରତିବାଦରେ ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାଯୋଗୁଁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ସେହିପରି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନା ଦାବି କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବୋଲି ଜଣାଇଛନ୍ତି । କୌଣସି କାରଣ ନଥାଇ ସାଧାରଣ ଲୋକେ କଣ ପାଇଁ ନ୍ୟାୟ ପାଇବାରୁ ବଂଚିତ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ନାଗରିକ ମାନେ କିଭଳି ନ୍ୟାୟ ପାଇବେ ତାହା ସରକାରଙ୍କ ମୁଖ୍ୟ ଦାୟିତ୍ୱ । ସେ ଦିଗରେ ସରକାର ଅଧିକ ଯତ୍ନଶୀଳ ହେବା ଉଚିତ୍ । ସେ ଆହୁରି କହିଥିଲେ ଯେ ସରକାରଙ୍କ ଇଚ୍ଛାରେ ବର୍ତମାନ ଗୃହ ଚାଲିଛି । ଆଜି ବିଧାନସଭାରେ ଘଟିଥିବା ଘଟଣା ତାହାର ଚାକ୍ଷୁଶ ପ୍ରମାଣ । ଯେଉଁ ତେଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଶାସକ ଦଳ ପକ୍ଷରୁ ଗୃହରେ ହଟ୍ଟଗୋଳ ସୃଷ୍ଟି କରାଗଲା , ସେହି ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ ବୈଠକର ପ୍ରଥମ ଦିନରେ ଆଲେଚନା କରିବାକୁ ଦାବି କରିଥିଲା । ସେତେବେଳେ ଶାସକ ଦଳ କଣ କରୁଥିଲେ? ଏହି ପ୍ରସଙ୍ଗକୁ ନେଇ ଆଜି ଗୃହକୁ ଯେଉଁଭଳି ଭାବେ ବନ୍ଦ କରି ଦିଆଗଲା ସେଥିରୁ ସ୍ପଷ୍ଟ ହୋଇଛି ଯେ ବାଚସ୍ପତି ସରକାରଙ୍କ କବଜାରେ ରହିଛନ୍ତି ।

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି । ସେଦିନ କଂଗ୍ରେସ ଦଳର ସଭ୍ୟମାନେ ଏହି ବନ୍ଦ ଧର୍ମଘଟରେ ସାମିଲ ହେବେ । ସେଦିନ ବିଧାନସଭାକୁ ବାଚସ୍ପତି ବନ୍ଦ କରିବେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଶିକ୍ଷା ବ୍ୟବସ୍ଥା ଅଚଳ ହେବା ଉପରେ ସେ କହିଲେ ଯେ, ରାଜଧାନୀରେ ଶିକ୍ଷକଓ ଅଧ୍ୟାପକ ମାନେଧାରଣାରେ ବସୁଛନ୍ତି । ସ୍କୁଲ କଲେଜ ଗୁଡିକ ଠପ୍ ହୋଇଗଲାଣି । ସରକାର ଏସମ୍ପର୍କରେ ଆଲୋରଚନା କରିବାକୁ ଚାହୁଁନାହାନ୍ତି । ଏହି ସମସ୍ୟାର ସମଧାନ ପାଇଁ ସର୍ବଦଳୀୟ ବୈଠକ ଡାକି ବିଭାଗୀୟ ଅଧିକାରୀମାନଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରିବାକୁ ଦାବି କରାଯାଇଥିଲା । ନତୁବା ସମ୍ପୃକ୍ତ ସମସ୍ୟାର ସମାଧାନ ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।

ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ବିଜେଡି ସର୍ବଦା ଆନ୍ଦୋଳନ କରି ଆସିଛି । ଆମେ ଚୁପ୍ ହୋଇ ବସିନାହିୁଁ । ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଯେଭଳି ହଟ୍ଟଗୋଳ କରାଗଲା ସେଥିପାଇଁ ଗୃହକୁ ବନ୍ଦ କରାଯାଇଥିଲା ।

ଏହାପରେ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୨୦୧୧-୧୨-୨୦୧୩-୨୦୧୪-୨୦୧୫ଓ୨୦୧୬ ମସିହାର ଓଡିଶା ଲୋକସେବା ଆୟୋଗର ରିପୋର୍ଟ ଏବଂ ତତ୍ ସମ୍ବନ୍ଧୀୟ ସ୍ମାରକ ବିଧାନସଭାରେ ଉପସ୍ଥାପନ କରିଥିଲେ । ପରେ ପରେ ବେସରକାରୀ ସଭ୍ୟଙ୍କ ବିଲ୍ ଏବଂ ସଂକଳ୍ପ ଉପରେ ଆଲୋଚନା ହେବାକୁ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଥିଲେ ହେଁ ତାହା କରାଯାଇନଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା