Connect with us

ଆଞ୍ଚଳିକ

ବିିଧାନସଭାରେ ଉଠିଲା ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗ

ସାଙ୍କେତିକ

ବିିଧାନସଭାରେ ଉଠିଲା ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗ
– କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳରୁ ଗୃହ ବାରମ୍ବାର ମୁଲତବୀ
ଭୁବନେଶ୍ୱର, ୧୬ ଜୁଲାଇ – ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଓକିଲ ମାନଙ୍କର ଆନ୍ଦୋଳନ ଓ କୋର୍ଟ ବନ୍ଦ ପରେ ଭୁବନେଶ୍ୱରରେ ବଲାଙ୍ଗୀରର ନାଗରିକ ଓ ଓକିଲ ମାନଙ୍କର ଆନ୍ଦୋଳନ ପରିପ୍ରେକ୍ଷୀରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ବଲାଙ୍ଗୀରରେ ହାଇକୋର୍ଟ ସ୍ଥାପନା ପାଇଁ ଭୁବନେଶ୍ୱର ଆସି ଧାରଣା ଦେଉଥିବା ଓକିଲ ଓ ସାଧାରଣ ଲୋକ ମାନଙ୍କ ସହ ଆଲୋଚନା କରିବାକୁ ଆଇନ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ମନ୍ତ୍ରୀଙ୍କୁ ପଠାଇ ଏହି ମାମଲାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେବାକୁ ଶ୍ରୀ ମିଶ୍ର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ଦଳ ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଥିବା ବେଳେ ମୁଖ୍ୟ ବିରୋଧୀ ବିଜେପି ବିଧାୟକମାନେ ନିଜ ଆସନରେ ଠିଆ ହୋଇ ତାର ପ୍ରତିବାଦ କରିଥିଲେ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କିଛି କହିବା ପାଇଁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ବିଧାୟକମାନେ ଉପରୋକ୍ତ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ବିଷ୍ଣୁ ସେଠୀ କହିପାରିନଥିଲେ । ବାଚସ୍ପତି ଗୃହକୁ ସଠିକ୍ ଭାବେ ଗୃହ ଚଳାଇ ନପାରିଲେ ସେମାନେ କକ୍ଷତ୍ୟାଗ କରିବେ ବୋଲି ଶ୍ରୀ ସେଠୀ କହିଥିଲେ ।
କଂଗ୍ରେସ ବିଧାୟକଙ୍କ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନା ପ୍ରସଙ୍ଗରେ ହଟ୍ଟଗୋଳ କରଣରୁ ବାଚସ୍ପତି ଗୃହକୁ ୪ ଥର ମୁଲତବୀ ରଖିଥିଲେ । ପ୍ରଥମେ ଅପରାହ୍ନ ୧୨ ଟା ୬ରୁ ୧୨ ଟା ୧୧ , ୧୨ ଟା ୧୧ ରୁ ୧୨ ଟା ୩୧ , ୧୨ ଟା ୩୧ ରୁ ୧୨ଟା ୪୧ ଏବଂ ୧୨ ଟା ୪୧ ରୁ ୩ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା ।

ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ପାଟନାଗଡ ଷ୍ଟେଟ ଓଡିଶାରେ ମିଶିବା ପୂର୍ବରୁ ସେଠାକାର ଲୋକ ମାନେ ନ୍ୟାୟ ପାଇ ପାରୁଥିଲେ । ସେଠାରେ ହାଇକୋର୍ଟ ଥିଲା । ପାଟନାଗଡ ଷ୍ଟେଟ ଓଡିଶାରେ ମିଶିବା ବେଳେ ହୋଇଥିବା ଚୁକ୍ତି ଅନୁସାରେ ଉଲ୍ଲେଖ ରହିଥିଲା ଯେ ସେଠାକାର ଲୋକ ମାନେ ସେହି ସୁବିଧା ପାଇବେ ଯାହା ରାଜା ଶାସନ ବେଳେ ଥିଲା । ବଲାଙ୍ଗୀରର ଓକିଲ ସଂଘ ଦୀର୍ଘ ଦିନ ଧରି ଏହି ଦାବି ନେଇ ଆନ୍ଦୋଳନ ଚଳାଇ ଆସୁଛନ୍ତି । ଆଜି ସେମାନେ ଭୁବନେଶ୍ୱର ଠାରେ ପହଂଚି ଏହି ଦାବିରେ ଧାରଣା ଦେଉଛନ୍ତି । ରାଜ୍ୟପାଳ ତାଙ୍କ ସହ ଆଲୋଚନା କରିବା ପାଇଁ ସମୟ ଦେଇଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ବର୍ତମାନ ଯାଏ ଆନ୍ଦୋଳନକାରୀ ଓକିଲ ମାନଙ୍କର ସହ ଆଲୋଚନା ପାଇଁ ସମୟ ଦେଇ ନାହାନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ ବାଚସ୍ପତି ଏହି ମାମଲାରେ ହସ୍ତକ୍ଷେପ କରି ମାମଲାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭାଗର ମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀଙ୍କୁ ଧାରଣାରତ ଓକିଲ ମାନଙ୍କର ସହ କଥାବାର୍ତା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ । ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ସରକାରଙ୍କୁ ସୁପାରିଶ କରିବା ଲାଗି ଗଠିତ ପାଲ୍ କମିଶନ ରିପୋର୍ଟ ଦେବାର ୬ ମାସ ଭିତରେ ଗୃହରେ ତାହା ଉପସ୍ଥାପିତ ହେବା କଥା । ମାତ୍ର ତାହା ହେଲା ନାହିଁ । ଇତିମଧ୍ୟର ୬ ବର୍ଷ ବିତି ଗଲାଣି ।
ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇକୋର୍ଟର ବେଂଚ ସ୍ଥାପନା ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ଲୋକ ମାନେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ନ୍ୟାୟ ପାଇବାର ଅଧିକାର ହେଉଛି ନାଗରିକ ମାନଙ୍କର ମୌଳିକ ଅଧିକାର । ଲୋକ ମାନଙ୍କୁ ନ୍ୟାୟ ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ । ମାତ୍ର ଏହି କ୍ଷେତ୍ରରେ ରାଜ୍ୟ ସରକାର ସାଧାରଣ ନାଗରିକ ମାନଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଂଚିତ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ମିଶ୍ର ।
ଏହି ପ୍ରସଙ୍ଗକୁ କଂଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଉଠାଇ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନା ପାଇଁ ଦାବି କରିଥିଲେ । ଅପରପକ୍ଷରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିବ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ପରେ ସଂଘ ପକ୍ଷରୁ ଲୋୟର ପିଏମଜି ଠାରେ ଧାରଣା ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ