Connect with us

ଓଡିଶା

ବିଜେପୁରରେ ପୁଣି ଶୁଭିଲା ଶଙ୍ଖ

ସାଙ୍କେତିକ

ବିଜେପୁରରେ ପୁଣି ଶୁଭିଲା ଶଙ୍ଖ
– ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିପୁଳ ଭୋଟ୍ ରେ ବିଜୟୀ
– ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪ ଅକ୍ଟୋବର – ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ବିଜେଡି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ବିପୁଳ ଭୋଟ୍ ରେ ବିଜୟୀ ହୋଇଛନ୍ତି । ବିଜେଡିର ଭୋଟ୍ ବ୍ୟବଧାନ ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ରେକର୍ଡ ସୃଷ୍ଟି କରିଛି । ରୀତା ସାହୁ ୯୭,୯୯୦ ଭୋଟ୍ରେ ବିଜୟୀ ହୋଇଛନ୍ତି । ଏପରିକି ରୀତା ସାହୁ ଗତଥର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ମଧ୍ୟ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡା ଆସନରୁ ରେକର୍ଡ ସଂଖ୍ୟା ୮୧,୪୩୯ ଭୋଟ୍ ରେ ବିଜୟୀ ହୋଇଥିଲେ ।
ବିଜେଡି ର ରୀତା ସାହୁ ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭,୯୬୭ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫୮୭୬ ଖଣ୍ଡ ଭୋଟ୍ ପାଇଛନ୍ତି । ୧୯୮୨ ଖଣ୍ଡ ଭୋଟ୍ ନୋଟାରେ ପଡିଥିଲା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ୧୦୫୩ ଖଣ୍ଡ ଓ ହିନ୍ଦୁ ମହାସଭା ପ୍ରାର୍ଥୀ ୧୨୧୯ ଖଣ୍ଡ ଭୋଟ୍ ପାଇଛନ୍ତି । ବିଜେପି ଭୋଟ୍ ସଂଖ୍ୟା ଗତ ଥର ଅପେକ୍ଷା ହ୍ରାସ ପାଇଥିବା ବେଳେ କଂଗ୍ରେସ ତାର ଅମାନତ ହରାଇଛି ।
ବିଜେଡି ର ବିଜୟ ପରେ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକ ବିଜେପୁରର ବିଜୟୀ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ବିଜୟ ପରେ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଓ ଦଳୀୟ ନେତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଏହି ବିଜୟ ମୁଖ୍ୟମନ୍ତ୍ରୀ ଓ ବିଜେପୁରବାସୀଙ୍କର । ବିଜେପୁରର ବିକାଶ ତାଙ୍କର ମୂଳ ଲକ୍ଷ୍ୟ ହେବ । ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ , ରାସ୍ତା , ବିଦ୍ୟୁତ୍ କରଣ , ଚାଷୀଙ୍କ ସ୍ୱାର୍ଥରକ୍ଷା ଉପରେ ସେ ପ୍ରାଧାନ୍ୟ ଦେବେ । ତୃତୀୟ ଥର ପାଇଁ ବିଜେଡି ବିଜେପୁରରେ ବାଜିମାତ୍ କରିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଜେପୁରବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ ହୋଇଛନ୍ତି ।
ଫଳାଫଳ ଘୋଷଣା ପରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସତ୍ୱେ ବିଜେଡି ମନ୍ତ୍ରୀ , ନେତାଙ୍କ ସମେତ ମହିଳା, ଯୁବ କାର୍ଯ୍ୟକର୍ତା କାର୍ଯ୍ୟାଳୟ ସମ୍ମୁଖରେ ଖୁସି ମନାଇଥିଲେ ।
ବିଜେପୁରର ପରାଜିତ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା କହିଛନ୍ତି ଯେ ଏହି ନିର୍ବାଚନ ବ୍ୟୟ ବହୁଳ ଥିଲା । ଶାସକ ଦଳ କୋଟିରେ ଥିବା ବେଳେ ଆମେ ହଜାର ଓ ଲକ୍ଷରେ ଥିଲୁ । ଏଥିପାଇଁ ଆମେ ସେମାନଙ୍କର ମୁକାବିଲା କରିପାରିଲୁ ନାହିଁ । ନିର୍ବାଚନ ଲଢିବାପାଇଁ ଗରିବ ମାନେ ସୁବିଧା ପାଇବେ ନାହିଁ । ପରାଜୟରେ ସେ ବିଚଳିତ ନୁହନ୍ତି । ସେ ଲୋକଙ୍କ ସହ ରହିବେ ଓ ସେମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା