Connect with us

ଆଞ୍ଚଳିକ

ବିଜେଡିର କୁଶାସନରେ ଅତିଷ୍ଠ ଲୋକେ ମୁହଁ ଫେରାଇବା ଆରମ୍ଭ କଲେଣି: ନିରଞ୍ଜନ

ସାଙ୍କେତିକ ଚିତ୍ର

ବିଜେଡିର କୁଶାସନରେ ଅତିଷ୍ଠ ଲୋକେ ମୁହଁ ଫେରାଇବା ଆରମ୍ଭ କଲେଣି: ନିରଞ୍ଜନ
ଭୁବନେଶ୍ୱର :- ରାଜ୍ୟରେ ୧୮ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡିର କୁଶାସନ ଏବଂ ଦୁର୍ନୀତିରେ ରାଜ୍ୟବାସୀ ଅତିଷ୍ଠ ହୋଇପଡିଲେଣି । ଓଡ଼ିଶାର ଜନସାଧାରଣ ସର୍ବନିମ୍ନ ମୋଳିକ ସୁବିଧା ସୁଯୋଗରୁ ବଂଚିତ ହେଉଥିବାବେଳେ ସରକାରରେ ଥିବା ଦଳ ବିକାଶ ନାମରେ ଏକାଧିକ ଯୋଜନା କରି କୋଟି କୋଟି ଟଙ୍କା ହରିଲୁଟ କରିବାରେ ଲାଗିଛି । ନିକଟରେ ରାଜ୍ୟରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ‘ତିତ୍ଲି’କୁ ସରକାର ଯେଉଁଭଳି ଭାବରେ ପରିଚାଳନା କଲେ ତାହା ରାଜ୍ୟବାସୀ ଭଲ ଭାବରେ ଜାଣିଛନ୍ତି । ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ନାମରେ ବିପୁଳ ଅର୍ଥ ଖର୍ଚ୍ଚ କରିଚାଲିଛନ୍ତି । ଅଥଚ ଗାଁ ଗଣ୍ଡାରେ ବହୁ ଲୋକ ଏବେ ମଧ୍ୟ ରାସନ କାର୍ଡ ପାଇନାହାନ୍ତି । ଯେଉଁମାନଙ୍କର ରାସନ କାର୍ଡ ରହିଛି, ସେମାନେ ମଧ୍ୟ ନିୟମିତ ଭାବରେ ଖାଦ୍ୟଶସ୍ୟ ପାଉନାହାନ୍ତି । ସେହିଭଳି ସ୍ୱାସ୍ଥ୍ୟସେବା ଯୋଜନାରେ ପାଣି ଭଳି ଅର୍ଥ ଖର୍ଚ୍ଚ କରାଯାଉଛି । ଅଥଚ ଅନେକ ଲୋକ ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁନାହାନ୍ତି । ଗଣମାଧ୍ୟମଗୁଡିକରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବାପରେ ସରକାରୀ ଅଫିସର ଏଭଳି ଘଟଣା ସମ୍ପର୍କରେ ଅବଗତ ନଥିବା କହୁଛନ୍ତି । ଏଥିରୁ ରାଜ୍ୟବାସୀଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର କେତେ ସଚେତନ ତାହା ଜଣାଯାଉଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି, ସଂପ୍ରତି ‘ସି ଭୋଟର’ ପକ୍ଷରୁ କରାଯାଇଥିବା ‘ଷ୍ଟେଟ ଅଫ ଦି ନେସନ’ ସର୍ଭେରୁ ରାଜ୍ୟର ବିଜେଡି ପ୍ରତି ଜନସମର୍ଥନ ହ୍ରାସ ପାଇଚାଲିଥିବା ଜଣାଯାଇଛି । ଏବେ ଲୋକସଭା ନିର୍ବାଚନ ହେଲେ ବିଜେଡି ଶୋଚନୀୟ ଭାବେ ପରାଜୟ ବରଣ କରିବ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରତି ଲୋକଙ୍କର ସମର୍ଥନ ବୃଦ୍ଧିପାଉଥିବା ଏହା ଦର୍ଶାଇଛି । ଏପରିକି ସମଗ୍ର ଦେଶରେ ମଧ୍ୟ ଦୁର୍ନୀତିଗ୍ରସ୍ତ ବିଜେପି ସରକାର ପ୍ରତି ସମର୍ଥନ ହ୍ରାସ ପାଉଥିବା ଏହା କହିଛି । ଉତର ପ୍ରଦେଶରେ ଏସ୍ପି ଏବଂ ବିଏସ୍ପି ମେଂଟ କଲେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ଲୋକସଭା ନିର୍ବାଚନରେ ୨୬୧ରୁ କମ୍ ଆସନ ପାଇବ ବୋଲି ‘ସି ଭୋଟର’ ସର୍ଭେରେ କୁହାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପ୍ରତି ଜନସମର୍ଥନ ବୃଦ୍ଧିପାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା ଉଭୟ ବିଜେଡି ଓ ବିଜେପି ପ୍ରତି ସତର୍କ ଘଂଟି ହୋଇଥିବା ସେ ଦର୍ଶାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ