Connect with us

ଓଡିଶା

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି, ତିନି ରଥ ହେଲା ଦକ୍ଷିଣ ମୋଡ଼

ସାଙ୍କେତିକ

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି, ତିନି ରଥ ହେଲା ଦକ୍ଷିଣ ମୋଡ଼
ସନ୍ଧ୍ୟା ୭ଟାରୁ ସଂନ୍ଧ୍ୟା ଦର୍ଶନ ବନ୍ଦ
ପୁରୀ, ୯ ଜୁଲାଇ – ହେରାପଂଚମୀ ତିଥିରେ ନନ୍ଦିଘୋଷ ରଥ ଭାଙ୍ଗି ମା’ ମହାଲକ୍ଷ୍ମୀ ଫେରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦେଶ କ୍ରମେ ବାହୁଡ଼ା ଯାତ୍ରା ପାଇଁ ରଥ ମରାମତି ହେବା ସହ ତିନି ରଥକୁ ଦକ୍ଷିଣ ମୋଡ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯାଇଛି । ଏଥିପାଇଁ ପିଚୁ ଥିବା ଶରଧାବାଲି ଉପରେ ବାଲି ପକାଯାଇ ରଥଗୁଡିକୁ ପୋଲିସ ଫୋର୍ସଙ୍କ ସହାୟତାରେ ଆଜି ଧିରେ ଧିରେ ଦକ୍ଷିଣମୋଡ କରାଯାଇଥିଲା । ସକାଳ ଧୂପ ପରେ ରଥ ଆଜ୍ଞାମାଳ ନୀତି ଅନୁଷ୍ଠିତ ହୋଇଥିଲା । ପରମ୍ପରା ମୁତାବକ, ସକାଳ ଧୂପ ପରେ ପୂଜାପଣ୍ଡା ସେବକ ଆଜ୍ଞାମାଳ ତିନି ବାଡରୁ ଆଣି ତିନି ରଥରେ ଦେଇଥିଲେ । ଏହା ପରେ ପୋଲିସ ଫୋର୍ସ ସହାୟତାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମୋଡ ଦିଆଯାଇ ନାକଚଣା ଦ୍ୱାର ଠାରେ ଲଗାଯାଇଥିଲା । ଏହାପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇ ନିଆଯାଇଥିଲା । ସଂନ୍ଧ୍ୟା ସୁଦ୍ଧା ତିନି ରଥ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି । ବର୍ତମାନ ସେଠାରେ ତିନି ରଥ ଦଣ୍ଡାୟମାନ । ପ୍ରତୀକ୍ଷା କେବଳ ଚତୁର୍ଦ୍ଧାମୂର୍ତିଙ୍କ ବାହୁଡ଼ା ଯାତ୍ରାକୁ ।
ଏହି କ୍ରମରେ ଆସନ୍ତା ଗୁରୁବାର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ବାହୁଡ଼ା ଯାତ୍ରା ପ୍ରସ୍ତୁତି ଓ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ନିମନ୍ତେ ସେହିଦିନ ସନ୍ଧ୍ୟା ୭ଟା ଠାରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି । ୧୨ ତାରିଖ ବାହୁଡ଼ା ଯାତ୍ରା, ୧୩ ତାରିଖ ଶନିବାର ସୁନାବେଶ ଓ ୧୪ ତାରିଖ ରଥ ଉପରେ ଅଧରପଣା ନୀତି ଏବଂ ୧୫ରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ୧୬ ତାରିଖ ଠାରୁ ଭକ୍ତ ମାନେ ଆନନ୍ଦ ବଜାରରେ ନୀଳାଚଂଳ ଅଭଡ଼ା ପାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା