Connect with us

ଓଡିଶା

ଭଦ୍ରକ ବିଜେପି ରାଜନୀତି : ବଦ୍ରୀ ସଭାପତି ପଦ ହରାଇପାରନ୍ତି

ସାଙ୍କେତିକ

ଭଦ୍ରକ ବିଜେପି ରାଜନୀତି : ବଦ୍ରୀ ସଭାପତି ପଦ ହରାଇପାରନ୍ତି
ଭଦ୍ରକ, ୯ ଜୁଲାଇ – ଭଦ୍ରକ ଜିଲାରେ ବିଜେପିର ବିଫଳତା ପାଇଁ ବଦ୍ରୀ ଧଳ ସଭାପତି ପଦ ହରାଇ ପାରନ୍ତି । ସକ୍ରୀୟ କଂଗ୍ରେସ ରାଜନୀତିରୁ ବିଜେପିକୁ ଆସି ଦଳର ଜିଲା ସଭାପତି ହେବା ସହିତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ କ୍ରମାଗତ ଭାବେ ଦୁଇଥର ନିର୍ବାଚନ ଲଢି ପରାଜିତ ହେବା ଘଟଣା ଏବେ ଜିଲା ସଭାପତି ବଦ୍ରୀ ଧଳଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବଦ୍ରୀଙ୍କ ନେତୃତ୍ୱରେ ଦଳ ଭଦ୍ରକ ଜିଲାରେ ଦୁଇ ଦୁଇଟି ନିର୍ବାଚନ ଲଢିଥିବାବେଳେ ଦଳକୁ ଆଶାନୁରୂପ ସଫଳତା ମିଳିନାହିଁ । ଗତ ୨୦୧୪ ନିର୍ବାଚନରେ ଜିଲା ସଭାପତି ଥାଇ ବଦ୍ରୀ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ନିର୍ବାଚନ ଲଢିଥିବାବେଳେ ନିଜେ ପରାଜିତ ହେବା ସହିତ ଜିଲାବ୍ୟାପୀ ଦଳ ପରାଜିତ ହୋଇଥିଲା । କେବଳ ପରାଜିତ ହୋଇଥିଲା, ତା ନୁହେଁ ଜିଲାର ୫ ଟି ଯାକ ବିଧାନସଭା ଆସନ ମଧ୍ୟରୁ କେବଳ ଧାମନଗର ବିଧାନସଭା ଆସନକୁ ଛାଡିଦେଲେ ଅନ୍ୟ ୪ଟି ଯାକ ବିଧାନସଭା ଆସନ ଏବଂ ଏକମାତ୍ର ଲୋକସଭା ଆସନରେ ଦଳ କେବଳ ପରାଜିତ ହୋଇ ନଥିଲା । ପରନ୍ତୁ ପ୍ରତିଦ୍ୱନ୍ଦ୍ୱିତାରେ ତୃତୀୟ ସ୍ଥାନରେ ରହିଥିଲା । ତେବେ ଚଳିତ ନିର୍ବାଚନରେ ସ୍ଥିତି ଭିନ୍ନ ଧରଣର ହେବ ବୋଲି ଆଶା କରାଯାଉଥିଲା ।
କିଛି ନହେଲେ ମଧ୍ୟ ଭଣ୍ଡାରିପୋଖରୀ ବିଧାନସଭା ଆସନରେ ଜିଲା ସଭାପତି ଶ୍ରୀ ଧଳଙ୍କୁ ଏକ ସମ୍ମାନ ଜନକ ଭୋଟ ମିଳିବ ବୋଲି ଅନୁମାନ କରାଯାଉଥିଲା । ହେଲେ ବାସ୍ତବ କ୍ଷେତ୍ରରେ ତାହା ହେଲା ନାହିଁ ପୂର୍ବ ନିର୍ବାଚନ ଭଳି ଶ୍ରୀ ଧଳ କେବଳ ପରାଜିତ ହେଲେ ନାହିଁ । ନିର୍ବାଚନ ରେସ୍ରୁ ଏକ ପ୍ରକାର ବାଦ୍ ପଡିଗଲେ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ହାଇଭୋଲଟେଜ୍ ଲଢେଇରେ ବଦ୍ରୀ ନିଜର ସତ୍ତା ହରାଇ ବସିଲେ । କେବଳ ନିଜେ ପରାଜିତ ହେଲେ ତା ନୁହେଁ ନିଜର ଦୁର୍ବଳ ସାଙ୍ଗଠନିକ ଦକ୍ଷତା ଯୋଗୁଁ ଏହି ଆସନରେ ଶହେ ରୁ ଶହେ ପ୍ରତିଶତ ବିଜୟୀ ହେବା ସମ୍ଭାବନା ରଖୁଥିବା ଦଳର ସଂସଦୀୟ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ମଧ୍ୟ ଏହି ଆସନରେ ଆଶାନୁରୂପ ଭୋଟ ମିଳିଲା ନାହିଁ । ଅନ୍ୟପକ୍ଷରେ ଦଳର ଜିଲା ସଂଗଠନ ଦାୟିତ୍ୱରେ ଥିବା ବଦ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ ମଧ୍ୟ ଭଦ୍ରକ ଏବଂ ଚାନ୍ଦବାଲି ବିଧାନସଭା ଆସନରେ ଦଳକୁ ସଫଳତା ମିଳିଥିଲା । ଏହି ଦୁଇ ଆସନରେ ଦଳ ପରାଜିତ ସତ୍ୱେ ଦଳର ପ୍ରଦର୍ଶନ ବେଶ୍ ସନ୍ତୋଷ ଜନକ ସାବ୍ୟସ୍ତ ହୋଇଥିଲା । ଯାହାକି ଏହି ଆସନରୁ ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ସଫଳତା ବୋଲି କୁହାଯାଇପାରେ ।
ସେହିଭଳି ବାସୁଦେବପୁର ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ପରିବର୍ତ୍ତନ ଦଳପାଇଁ ଉପାଦେୟ ହେବା ପରିବର୍ତେ ଘାତକ ସାବ୍ୟସ୍ତ ହୋଇଥିଲା । ଦଳର ନବାଗତ ପ୍ରାର୍ଥୀ ମାଧବାନନ୍ଦ ମଳିକଙ୍କୁ ଭୋଟର ଗ୍ରହଣ କରିନଥିଲେ । ଫଳରେ ଏହି ଆସନରେ ସେ ପ୍ରତିଦ୍ୱନ୍ଦ୍ୱିତା ଦୌଡରୁ ବାହାର ହୋଇଯାଇଥିଲେ । ତେବେ ଧାମନଗର ବିଧାନସଭା ଆସନରେ ଦଳକୁ ସଫଳତା ମିଳିଥିଲେ ମଧ୍ୟ ଏହାକୁ ଦଳଗତ ସଫଳତା ପରିବର୍ତ ପ୍ରତିପକ୍ଷ ବିଜେଡି ନେତାଙ୍କ ଦଳବିରୋଧୀ କାର୍ଯ୍ୟର ପ୍ରତିଫଳନ ବୋଲି କୁହାଯାଇପାରେ । ଏଥିପାଇଁ ଗତ ଦୁଇ ଦୁଇଟି ନିର୍ବାଚନରେ ଦଳର ନେତୃତ୍ୱ ନେଉଥିବା ଦଳର ଜିଲା ସଭାପତି ବଦ୍ରୀ ଧଳଙ୍କ ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଦଳର ଏହି ବିପର୍ଯ୍ୟୟ ପାଇଁ ଦଳର ଜିଲା ସଭାପତି ଭାବେ ବଦ୍ରୀ ଧଳଙ୍କୁ ଦାୟୀ କରାଯାଇ ଆଗକୁ ତାଙ୍କୁ ଦଳୀୟ ପଦବୀରୁ ଅବ୍ୟାହତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା