Connect with us

ଅପରାଧ

ବଡଦାଣ୍ଡ ପାଲଟିଲା ରଣକ୍ଷେତ୍ର

ସାଙ୍କେତିକ ଚିତ୍ର

ବଡଦାଣ୍ଡ ପାଲଟିଲା ରଣକ୍ଷେତ୍ର
ପୁରୀ,୩ା୧୦ : ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ସାଂସ୍କୃତିକ ସହର ପୁରୀ ରଣକ୍ଷେତ୍ର ପାଲଟିଛି । ଧାଡି ଦର୍ଶନ ପ୍ରତିବାଦରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍ ପ୍ରତିଷେଧକମୂଳକ ବ୍ୟବସ୍ଥା ରୂପେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ଏହାପରେ ସମର୍ଥକ ଓ ଭକ୍ତଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ଓ ରବର ଗୁଳି ମାଡ ମଧ୍ୟ କରିଥିଲା ।

ଅପରପକ୍ଷରେ ଉତ୍ୟକ୍ତ ଲୋକେ ବଳଗଣ୍ଡି ଛକରେ ଟ୍ରାଫିକ ପୋଷ୍ଟ ପୋଡିଦେଇଥିଲେ । ଭକ୍ତ ମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ । କେବଳ ସେତିକି ନୁହେଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ସିଂହଦ୍ୱାରରେ ଲାଗିଥିବା ହୋର୍ଡିଂକୁ ଚିରି ଦେଇଥିଲେ । ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତାଷ୍ଟାଣ୍ଡକୁ ଭାଙ୍ଗିଦେଇଥିଲେ । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସିଂହଦ୍ୱାର ଥାନା ଉପରକୁ ଢେଲା ପଥର ମାଡ କରିବା ସହ କାର୍ଯ୍ୟାଳୟର ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି ।

କେବଳ ସେତିକି ନୁହେଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଆଗରେ ବି ବିକ୍ଷୋଭକାରୀମାନେ ବିକ୍ଷୋଭ କରିଥିଲେ ।ଶ୍ରୀମନ୍ଦିର ସମ୍ମୁଖରେ ଥିବା ଟେଂଟରେ ନିଅଁଲଗାଇବା ସହ ଆନ୍ଦୋଳନକାରୀ ରାସ୍ତାରୋକ ମଧ୍ୟ କରିଥିଲେ । ଫଳରେ ପୁରୀ ଟାଉନ ଥାନାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ପୁରୀରେ ଆଇଜିଙ୍କ ନେତୃତ୍ୱରେ ବଡ଼ଦାଣ୍ଡରେ ସିଂହଦ୍ୱାର ସାମ୍ନାରୁ ମାର୍କେଟ ଛକ ଯାଏ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଧାଡି ଦର୍ଶନକୁ ବିରୋଧ ସହ ୯ ଦଫା ଦାବିରେ ପୁରୀରେ ବୁଧବାର ଶ୍ରୀଜଗନ୍ନାଥ ସେନା ପରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଥିଲା । ଏହାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ସମର୍ଥନ କରଛନ୍ତିି । ଫଳରେ ପୁରୀ ଏକପ୍ରକାର ଠପ୍ ହୋଇଯାଇଛି । ଦୋକାନ ବଜାର ବନ୍ଦ ରହିଛି ।
ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଡ. ଆର.ପି. ଶର୍ମା ପ୍ରକାଶ କରିଛନ୍ତି । ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ କେନ୍ଦ୍ରାଂଚଳ ଆଇଜି ସୌମ୍ୟ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ସିଂହଦ୍ୱାରଠାରୁ ଏକ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଉତ୍ୟକ୍ତ ଜନତାଙ୍କୁ ଘଉଡାଇବା ପାଇଁ ପୁଲିସ ପକ୍ଷରୁ ଲାଠି ଚାଳନା ହୋଇଥିଲା । ସବୁକିଛି ଅନୁଧ୍ୟାନ ଚାଲିଛି । ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ।

ଆଇଜି ନିଜେ ରହି ତଦାରଖ କରୁଛନ୍ତି । ବନ୍ଦ ପାଳନ ବେଳେ ରାଜସ୍ୱ ମନ୍ତ୍ରୀଙ୍କର ବାସଭବନ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଶ୍ରୀମନ୍ଦିର ଅଫିସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏପରିକି ଟଉନ ଥାନାକୁ ମଧ୍ୟ ଆକ୍ରମଣ କରାଯାଇଛି । ଜିଲ୍ଲାପାଳ ଏବଂ ଏସ.ପି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବେ । ୬ ଘଂଟା ହିଂସାକାଣ୍ଡ ଚାଲିଥିଲା । ସୂଚନାଯୋଗ୍ୟ ଯେ, ଧାଡ଼ି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସାଧାରଣ ବିରୋଧ କରିଥିଲେ । ମାତ୍ର ପ୍ରଶାସନ ନିଜ ଜିଦରେ ରହି ମନ୍ଦିର ଭିତରେ ବାରିକେଟ ପୋତିବା ପାଇଁ ଖୋଳିବାରୁ ଜନସାଧାରଣ ପ୍ରତିବାଦ କରିଥିଲେ ଏବଂ ଜଗନ୍ନାଥ ସେନା ପକ୍ଷରୁ ଆଜି ବନ୍ଦ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

ଡିଜି କହିଛନ୍ତି ଯେ, ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସିସି ଟିଭି ଯାଂଚ କରାଯାଉଛି । ଅନ୍ୟ ପକ୍ଷରେ ଜିଲ୍ଲାପାଳ କହିଛନ୍ତି ଯେ, ଏହି ଗଣ୍ଡଗୋଳରେ ଅସାମାଜିକ ବ୍ୟକ୍ତିମାନେ ଏଥିରେ ସମ୍ପୃକ୍ତ ଅଛନ୍ତି । ଆଜିର ଘଟଣାର ପୁନରାବୃତି ଯେପରି ନ ହେବ ଏବଂ ଶାନ୍ତି ବଜାୟ କିପରି ରହିବ ସେଥିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟିର ବୈଠକ ଆରମ୍ଭ ହୋଇଛି ।

ଏହି ବୈଠକରେ ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଠାକୁର ଦର୍ଶନ କୋହଳ କରାଯାଇଛି । ତେବେ ସିଂହଦ୍ୱାରରେ ଜାରି ରହିବ ଧାଡ଼ି ବ୍ୟବସ୍ଥା । ଅନ୍ୟ ତିନି ଦ୍ୱାର ଦେଇ ସ୍ଥାନୀୟ ଲୋକଙ୍କୁ ଛଡ଼ାଯିବ । ସେମାନଙ୍କୁ ପୁରୀ ବାସିନ୍ଦା ବୋଲି ଯେ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ଏହି ବୈଠକ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ବୈଠକରେ ୫ ଜଣ ସେବାୟତ ପ୍ରତିନିଥି ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ