Connect with us

ଅପରାଧ

ମହିଳାମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ , ମହିଳା କର୍ମୀ ଗିରଫ

ସାଙ୍କେତିକ ଚିତ୍ର

ମହିଳାମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ , ମହିଳା କର୍ମୀ ଗିରଫ
ଭୁବନେଶ୍ୱର:- ମହିଳାମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବି କରି ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଦିନ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରାଯାଇଥିଲା । ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ଦଳୀୟ କାର୍ଯ୍ୟାଳୟରୁ ଦାବି ସମ୍ପର୍କିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ । ରାଜମହଲ ଛକ ଠାରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା ବେଳେ ଆଉକିଛି ଦଳୀୟ ନେତ୍ରୀମାନେ ପୋଲିସ୍ କୁ ଚକମା ଦେଇ ଭିନ୍ନ ରାସ୍ତାରେ ଯାଇ ନବୀନ ନିବାସ ନିକଟରେ ପହଂଚିଥିଲେ । ସେଠାରେ ମଧ୍ୟ ସୁରକ୍ଷା କର୍ମୀମାନେ ଆନ୍ଦୋଳନକାରୀମାନଙ୍କୁ ଅଟକାଇ ଗିରଫ କରିଥିଲେ । ଆନ୍ଦୋଳନକାରୀ ମହିଳାମାନଙ୍କୁ ଆୟତ କରିବାପାଇଁ ସୁରକ୍ଷା କର୍ମୀଙ୍କୁ ନାକେଦମ୍ ହେବାକୁ ପଡିଥିଲା । ଏହାପରେ ନବୀନ ନିବାସକୁ ପୋଲିସ୍ ଛାଉଣୀ କରାଯାଇଥିଲା ।

ମହିଳା ମାନଙ୍କର ଦୁଇଟା ଲେଖାଏଁ ସ୍ୱାମୀ ଅଛନ୍ତି କହି ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ଶାସକ ଦଳର ମନ୍ତ୍ରୀ ପ୍ରଦୀପ ମହାରଥୀ । ମନ୍ତ୍ରୀ ଏକ ଭିଡିଓରେ ୩୦ ହଜାର ମହିଳାଙ୍କ ଦି’ ଦିଟା ହିସାବରେ ୬୦ ହଜାର ସ୍ୱାମୀ ଅଛନ୍ତି ବୋଲି କହି ତାଙ୍କ ଯୁକ୍ତିକୁ ସଠିକ୍ ଦର୍ଶାଇଥିଲେ । ଏହା ଓଡିଶା ଭଳି ଏକ ସଂସ୍କୃତି ସଂପନ୍ନ ରାଜ୍ୟରେ ବସବାସ କରୁଥିବା ମହିଳାମାନଙ୍କୁ ଗଭୀର ଆଘାତ ଲାଗିଛି । ଏଭଳି ନାରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରଖିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହି ମହିଳାଙ୍କୁ ଅସମ୍ମାନ କରିଥିବା ମନ୍ତ୍ରୀଙ୍କୁ ବହିଷ୍କାର ନକରି ଘଂଟ ଘୋଡାଇ ରଖିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ମନ୍ତ୍ରୀ ମହାରଥୀ ନାରି ଜାତିକୁ ଅପମାନ କରିବା ପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିକୁ ଆଣିବା ପାଇଁ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଦୀପ ମହାରଥୀଙ୍କ ବୟାନ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ନୀରବତା ମହିଳା ଜାତିକୁ ଆଘାତ ଦେଇଛି । ପୂର୍ବରୁ ମହିଳା ମୋର୍ଚ୍ଚା ଏ ସଂପର୍କରେ ଥାନାରେ ଏତଲା ଦେବା ସହ ମହିଳା ମୋର୍ଚ୍ଚା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ମନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିବା ପାଇଁ ନିବେଦନ କରିଛି ।
ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ଥିବ ସେ ପର୍ଯ୍ୟନ୍ତ ରାଜ୍ୟର ମହିଳାମାନେ ରାଜରାସ୍ତାରେ ଲଢେଇ କରିବେ । ଏଥି ସହ ଆଗାମୀ ଦିନରେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ନକରିିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ।

ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା କାର୍ଯ୍ୟକର୍ତା ରାଜ୍ୟ କାର୍ଯ୍ୟାଳୟରୁ ବାହାରି ସିଧାସଳଖ ନବୀନ ନିବାସ ଅଭିମୁଖେ ଚାଲି ଚାଲି ଯାଇଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଯାଉଥିବା ସମୟରେ ଶୋଭାଯାତ୍ରାକାରୀମାନଙ୍କୁ ଶାସକ ଦଳର ପ୍ରରୋଚନାରେ ପୋଲିସ ବାଧା ସୃଷ୍ଟି କରିଥିଲା । ଏହି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ